ଘର ବାରଣ୍ଡାରେ ବସିଥିବା ବେଳେ ମହିଳାଙ୍କ ଉପରେ ଚଢିଗଲା କାର୍, ପ୍ରତିବାଦରେ ରାସ୍ତା ଅବରୋଧ

ଭଂଜନଗର : ଏମିତି ବି ଆସେ ମୃତ୍ୟୁ। ଘର ବାରଣ୍ଡାରେ ବସିଥିବା ବେଳେ ମହିଳାଙ୍କ ଉପରେ ଚଢିଗଲା କାର୍। ଘଟଣାସ୍ଥଳରେ ମହିଳା ମୃତ, ୨ ଆହାତ। ଗଂଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର – ଭଂଜନଗର ମୁଖ୍ୟ ରାସ୍ତାର କେଶରାପଲ୍ଲୀ ଗାଁରେ ଦୁର୍ଘଟଣା ଘଟିଛି। ମୃତ ମହିଳା ହେଲେ ଗାଁର ସଂଯୁକ୍ତା ବିଷୋୟୀ । ପ୍ରତିବାଦରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ ସ୍ଥାନୀୟ ଲୋକେ। ଫଳରେ ବ୍ରହ୍ମପୁର – ଭଂଜନଗର ରାସ୍ତାରେ ଦୀର୍ଘ ୮ ଘଣ୍ଟା ଧରି ଯାନବାହାନ ଚଳାଚଳ ବନ୍ଦ ରହିଥିଲା। ଗାଙ୍ଗପୁର ଥାନା ପୋଲିସ ପହଞ୍ଚି ସଂପୃକ୍ତ କାର୍ ଚାଳକଙ୍କୁ ଅଟକ ରଖି ତଦନ୍ତ କରିଥିଲେ । ସଂପୃକ୍ତ ଗାଡ଼ି ଚାଳକ କ୍ଷତିପୂରଣ ଦେବାକୁ ରାଜି ହେବା ପରେ ରାସ୍ତାରୋକ ହଟାଯାଇ ଯାନବାହନ ଚଳାଚଳ ସ୍ବାଭାବିକ କରାଯାଇଛି।

ସୂଚନା ଅନୁଯାୟୀ, ଗାଁର ମୁଖ୍ୟ ରାସ୍ତାକଡରେ ଥିବା ଏକ ଘର ବାରଣ୍ଡାରେ କିଛି ମହିଳା ଏବଂ ଛୋଟ ଛୁଆ ବସିଥିଲେ। ରାତିରେ ବ୍ରହ୍ମପୁରରୁ ଭଞ୍ଜନଗର ଅଭିମୁଖେ ଯାଉଥିବା ଏକ କାର୍ ଘର ଉପରକୁ ମାଡି ଯାଇଥିଲା। କାରରେ ଚାପି ହୋଇ ସଂଯୁକ୍ତାଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣାରେ ଗୁରୁତର ଅନ୍ୟ ଜଣେ ମହିଳା ଏବଂ ଜଣେ ଶିଶୁଙ୍କୁ ଉଦ୍ଧାର କରି ପ୍ରଥମେ ଆସିକା ଓ ପରେ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ହୋଇଥିଲା।