ସାବତ ମାଆର ନିମର୍ମ କାଣ୍ଡ, ୫ ବର୍ଷର ପୁଅକୁ କୂଅରେ ଫିଙ୍ଗି ଦେଲା

ରାଉରକେଲା : ଏଇ ତ ପୁଅ ଆସି ପହଁଚିଥିଲା ଅଙ୍ଗନବାଡିରୁ । ହେଲେ ମାଆ ଖାଇବାକୁ ଦେବ କଣ, ଡ୍ରେସ୍ ଚେଞ୍ଜ୍ କରିଦେବ କଣ ବରଂ ଓଲଟି ପୁଅକୁ ସବୁଦିନ ପାଇଁ ଶୁଆଇଦେଲା ଚିରନିଦ୍ରାରେ । ଆପଣ ଭାବୁଥିବେ ମାଆ ହୋଇ ତା ପୁଅ ସାଙ୍ଗେ କେମିତି କିଏ କରିପାରିବ ଏମିତି। ଆଜ୍ଞା ଏ ମାଆ ପରା ସାବତ ମାଆ । ସେ ଜନ୍ମ କରିନଥିଲା ତେଣୁ ବାଧିଲାନି କି ହାତ ଅଟକାଇଲାନି ମାରିବାକୁ ।

ହଁ ମାଆର ରୂପ ବଦଳିଗଲା । ପାଞ୍ଚ ବର୍ଷର ସାବତ ପୁଅକୁ ମୁହଁରେ ପଟି ଓ ବେକରେ ପଥର ବାନ୍ଧି କୂଅରେ ପକାଇ ଦେଇଥିବା ଅଭିଯୋଗ ହୋଇଛି । ଏହି ଲୋମହର୍ଷଣକାରୀ ହତ୍ୟାକାଣ୍ଡ ସମସ୍ତଙ୍କୁ ସ୍ତବଧ କରି ଦେଇଛି । ହିଂସା ଦ୍ଵେଷ, ଅସହିଷ୍ଣୁତା, ମୋହ ମାୟା ଆଗରେ ହାର ମାନିଗଲା ମାଆର ମମତା। । କୂଅରେ ଶିଶୁ ପୁତ୍ରକୁ ମାରି ଦେବା ପରେ ପୋଲିସ ନିକଟରେ ନିଖୋଜ ଥିବା ନାଟକ କରୁଥିଲା ସାବତ ମା। ନିଖୋଜ ଶିଶୁ ପୁତ୍ରର ବାପା ଫ୍ରାନ୍ସିସ ଗୁଡିଆ ଠାରୁ ଅଭିଯୋଗ ପାଇବା ପରେ ରଘୁନାଥପାଲି ଥାନା ପୋଲିସର ଏକ ସ୍ଵତନ୍ତ୍ର ଟିମ ପିଲାକୁ ଖୋଜିବା ଆରମ୍ଭ କରିଥିଲା । ଖୋଜାଖୋଜିରେ ରାତି ପାହିଗଲା, ହେଲେ କେଉଁଠି ବି ମିଳିଲାନି କୁନି ପୁଅ । ପରଦିନ ପୁଣି ଖୋଜିବା ପରେ ଜାଣିବାକୁ ପାଇଲେ କୂଅରେ ପଡିଛି ଆୟୁଷ । ତେବେ ସବୁଠୁ ଦୁଃଖର ବିଷୟ ଯେ ଏତେ କୁନି ପିଲାଟିକୁ ଉଦ୍ଧାର କରିବା ବେଳେ ଦେଖିବାକୁ ମିଳିଲା କି ଅତି ନିର୍ମମ ଭାବେ ତାକୁ ହତା କରାଯାଇଛି । ତା ଆଖିରେ ପଟି ବାନ୍ଧି ପଛପଟୁ ହାତ ବାନ୍ଧି ପଥର ଓହଳା ଯାଇ ତାକୁ କୂଅରେ ପକାଇ ଦିଆଯାଇଥିଲା ।

ନିଖୋଜ ପାଞ୍ଚ ବର୍ଷର ଶିଶୁପୁତ୍ର ଆୟୁଷକୁ ନିର୍ମମ ଭାବରେ ପଥରରେ ବାନ୍ଧି କୂଅକୁ ଫୋଫାଡ଼ି ଦେଇଥିବା ସମ୍ପର୍କରେ ପୋଲିସ ଜାଣିବାକୁ ପାଇ ସାବତ ମା ନାଉରୀ ଗୁଡିଆକୁ ପଚରା ଉଚରା କରିଥିଲା । ହତାରେ ତାର ସମ୍ପୃକ୍ତି ଜାଣିବା ପରେ ଗିରଫ କରି କୋର୍ଟ ଚାଲାଣ କରିଛି ରଘୁନାଥପାଲି ଥାନା ପୋଲିସ୍। ରାଉରକେଲା ସହର ଉପକଣ୍ଠ ଲାଠିକଟା ବ୍ଲକ ଜଲଦା ସି ବ୍ଲକ ଅଞ୍ଚଳରେ ଘଟିଛି ଏହି ଅମାନବୀୟ ଘଟଣା।

କହି ରଖିବାକୁ ଚାହିଁବୁ ଯେ ଗତ ୧୧ ତାରିଖ ଦିନ ଦ୍ଵିପ୍ରହରରେ ପୁଅ ଆୟୁଷ ଖାଇବାକୁ ମାଗିଥିଲା, ଆଉ ରାଗରେ ସାବତ ମା ତାକୁ ମାରି କୂଅରେ ଫୋଫାଡ଼ି ଦେଲା । ତେବେ ବାପା ଫ୍ରାନ୍ସିସକୁ ଘଟଣା ସମ୍ପର୍କରେ ନାଟକୀୟ ଢଙ୍ଗରେ ପୁଅ କୁଆଡ଼େ ଚାଲି ଯାଇଛି ବୋଲି ନାଉରୀ କହିଥିଲା । ତା କଥାକୁ ବିଶ୍ବସ ନକରିବାର ବାଟ ନଥିଲା । ୧୧ ତାରିଖ ଦିନ ଖୋଜାଖୋଜି ପରେ ଆୟୁଷ ନମିଳିବାରୁ ୧୨ ତାରିଖ ଦିନ ପୋଲିସ ନିକଟରେ ନିଖୋଜ ହୋଇଥିବା ନେଇ ଅଭିଯୋଗ କରିଥିଲେ ଆୟୁଷର ବାପା ଫ୍ରାନ୍ସିସ । ତିନି ଦିନ ପରେ ୧୫ ତାରିଖରେ ପାଞ୍ଚ ବର୍ଷର ଶିଶୁ ପୁତ୍ରର ଶବ କୂଅରେ ଭାସିଲା । ଏହାପରେ ସ୍ଥାନୀୟ ଲୋକେ ଦେଖି ପୋଲିସକୁ ସୂଚନା ଦେଇଥିଲେ। ଆଉ ପୋଲିସ ତଦନ୍ତ କରିବା ପରେ ସାମ୍ନାକୁ ଆସିଲା ଭୟଙ୍କର ସତ । ଆୟୁଷକୁ ନିଜେ ମାରିଥିବା ମାନି ଥିଲା ସାବତ ମା ନାଉରୀ। ପଡ଼ୋଶୀଙ୍କ କହିବା କଥା ସାବତ ପୁଅକୁ ମାଡ଼ ମାରିବା ଠାରୁ ଆରମ୍ଭ କରି ଭଲ କରି ମୁଠାଏ ଖାଇବାକୁ ଦେଉନଥିଲା ମା । ସେଥିପାଇଁ ନିକଟସ୍ଥ ଅଙ୍ଗନୱାଡ଼ିରେ ନାଁ ଲେଖା ଯାଇଥଲା । କେବଳ ଭାତ ଗଣ୍ଡେ ଖାଇବା ପାଇଁ ଅଙ୍ଗନୱାଡ଼ି କେନ୍ଦ୍ରକୁ ଯାଉଥିଲା ଆୟୁଷ ।

ରାଜମିସ୍ତ୍ରୀ ଭାବେ କାମ କରୁଥିବା ଫ୍ରାନ୍ସିସ ନିଜର ପ୍ରଥମ ପତ୍ନୀ ଥିଲେ ମଧ୍ୟ ନାଉରୀକୁ ଦ୍ବିତୀୟ ବିବାହ କରିଥିଲେ । ଜଲଦା ସି ବ୍ଲକ ଅଞ୍ଚଳରେ ଏକ ଘର ଭଡ଼ା ନେଇ ପରିବାର ସହ ରହୁଥିଲା। ପ୍ରଥମ ପତ୍ନୀ ଏମାନଙ୍କ ସହ ରହୁ ନଥିଲେ । ଦ୍ବିତୀୟ ପତ୍ନୀ, ନାଉରୀ ଓ ପାଞ୍ଚ ବର୍ଷର ପୁଅ ଆୟୁଷକୁ ନେଇ ଘରେ ରହୁଥିଲେ। ସାବତ ମା ନାଉରୀ ଆୟୁଷକୁ ଠିକ ଭାବେ ଖାଇବାକୁ ଦେଉନଥିବା ବେଳେ ଅକଥନୀୟ ନିର୍ଯାତନା ଦେଉଥିଲା । ପ୍ରାୟ ଗୋଟିଏ ମାସ ପୂର୍ବରୁ ନାଉରୀ ଏକ କନ୍ୟା ସନ୍ତାନକୁ ଜନ୍ମ ଦେବା ପରେ ସାବତ ପୁଅ ଆୟୁଷ ପ୍ରତି ଅତ୍ୟାଚାର ଆହୁରି ବଢ଼ିଯାଇଥିଲା । ଶେଷରେ ସାବତ ପୁଅର ଜୀବନ ନେଇଗଲା ନାଉରୀ । ହେଲେ ଏଭଳି କରିବା ପୂର୍ବରୁ ଟିକେ ଚିନ୍ତା କଲାନି ଯେ ତାର ବି ଗୋଟିଏ ପିଲା ହୋଇଛି । ଏବେ ସେ କୁନି ଝିଅର ଭବିଷ୍ୟତ କଣ ହେବ ?

You might also like