ସାବତ ବାପାକୁ ଜୀବନରୁ ମାରିବାକୁ ପ୍ରେମିକ ସହ ମିଶି ଝିଅ ରଚିଥିଲା ଷଡଯନ୍ତ୍ର

ବାଲିଗୁଡା : ଘରେ ଶୋଇଥିବା ବେଳେ ବାପା ପୁଅଙ୍କୁ ଏସିଡ ମାଡ଼ ଘଟଣା । ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ । ଏସିଡ ମାଡ଼ ଘଟଣାରେ ନିଜ ସାବତ ଝିଅ ସହ ତାର ପ୍ରେମିକର ହାତଥିବା ସୂଚନା । ସାବତ ବାପାକୁ ରାସ୍ତା ରୁ ସବୁଦିନ ପାଇଁ ସଫା କରିଦେବା ପାଇଁ ଝିଅ ରଚିଥିଲା ଷଡଯନ୍ତ୍ର । ଗୁଣି ଗାରେଡିକୁ ସନ୍ଦେହକୁ ନେଇ ବଢିଥିଲା ଶତ୍ରୁତା ।
ଖବର ମୁତାବକ, ତୁମୁଡିବନ୍ଧ ଥାନା ମୁଣ୍ଡିଗଡ଼ ପଂଚାୟତର ବୁଡ଼ା କୁଣ୍ଡେଲ ଗାଁରେ ଘରେ ଶୋଇଥିବା ବେଳେ ବାପା ପୁଅଙ୍କୁ ଏସିଡ ମାଡ଼ ଘଟଣାରେ ସାମ୍ନାକୁ ଆସିଲା ସତ । ଏସିଡ ମାଡ଼ ଘଟଣାରେ ନିଜ ସାବତ ଝିଅ ପୁଷ୍ପାଞ୍ଜଳି ପନ୍ଦର ଓ ତାର ପ୍ରେମିକ ବିଜୟ ମାଝୀ ହିଁ ମଧ୍ୟ ରାତ୍ରିରେ ଭିଆଇଥିଲେ ଏପରି ଜଘନ୍ୟ କାଣ୍ଡ । ସାବତ ଝିଅ ଓ ତାଙ୍କ ପ୍ରେମିକ ମିଶି ପୂର୍ବ ଯୋଜନା ମୁତାବକ ସାବତ ବାପା ମୋହନ ପନ୍ଦରଙ୍କୁ ଜୀବନରୁ ମାରିଦେବା ପାଇଁ କରିଥିଲେ ଏପରି ଏସିଡ ମାଡ଼ । ଏଥିପାଇଁ କୋଲକାତାରୁ ପୂର୍ବ ଯୋଜନା ମୁତାବକ ନିଜ ପ୍ରେମିକ ବିଜୟ ଦ୍ୱାରା ଏସିଡ ଆଣି ନିଜ ଗାଁ ବୁଡ଼ା କୁଣ୍ଡେଲରେ ରଖିଥିଲା ସାବତ ଝିଅ ପୁଷ୍ପାଞ୍ଜଳି । ତେବେ ବୁଡ଼ା କୁଣ୍ଡେଲ ଭଳି ଏକ ଉପାନ୍ତ ଗାଁରେ ଏସିଡ ମାଡ଼ ଘଟଣା ନୂଆଁ ଥିବାବେଳେ ତୁମୁଡିବନ୍ଧ ପୋଲିସ୍ ପାଇଁ ବଡ଼ ଚାଲେଞ୍ଜ ସୃଷ୍ଟି ହୋଇଥିଲା । ବାଲିଗୁଡା ଏସଡିପିଓ କୋମଳ କୁମାର ପଣ୍ଡା ଘଟଣାର ତଦନ୍ତ ଦାୟିତ୍ୱ ନିଜେ ନେଇଥିଲେ । ଘଟଣା ଘଟିବାର ୨୪ଘଣ୍ଟା ମଧ୍ୟରେ ମୁଖ୍ୟ ଅଭିଯୁକ୍ତ ସାବତ ଝିଅ ଓ ତା ପ୍ରେମିକକୁ ଗିରଫ କରିବା ସହ ବ୍ୟବହୃତ ଏସିଡକୁ ମଧ୍ୟ ଜବତ କରାଯାଇଥିବା ସୂଚନା ଦେଇଛନ୍ତି ଏସଡିପିଓ ।
ତେବେ ଯାହା ସୂଚନା ମିଳିଛି କି, ଏସିଡ ଆକ୍ରମଣର ଶୀକାର ହୋଇଥିବା ମୋହନ ପନ୍ଦରଙ୍କ ପ୍ରଥମ ସ୍ତ୍ରୀଙ୍କ ଝିଅ ପୁଷ୍ପାଞ୍ଜଳି । ପୁଷ୍ପାଞ୍ଜଳି ସହ ସେହି ଗାଁର ବିଜୟ ମାଝୀର ପ୍ରେମ ସମ୍ପର୍କ ରହିଥିଲା । ଏଥିପାଇଁ ନିଜ ସାବତ ଝିଅକୁ ପାଖରେ ରଖୁ ନଥିଲେ ମୋହନ । ତେଣୁ ପୁଷ୍ପାଞ୍ଜଳି ଦୀର୍ଘ ୪ବର୍ଷ ହେବ ଅନ୍ୟତ୍ର ରହୁଥିଲେ । ଏପଟେ ଦୁଇ ମାସ ହେବ ପୁଷ୍ପାଞ୍ଜଳିଙ୍କ ପ୍ରେମିକ ବିଜୟର ମା’ଙ୍କ ମୃତ୍ୟୁ ହୋଇଥିଲା । ତେବେ ସାବତ ବାପା ମୋହନ ଗୁଣି ଗାରେଡି କରି ପ୍ରେମିକର ମା’କୁ ମାରିଦେଇଥିବା ନେଇ ସନ୍ଦେହ କରିଥିଲେ ପୁଷ୍ପାଞ୍ଜଳି ଓ ବିଜୟ । ସାବତ ଝିଅ ପୁଷ୍ପାଞ୍ଜଳିର ବିଜୟ ସହ ଥିବା ପ୍ରେମ ସମ୍ପର୍କକୁ ନେଇ ସାବତ ବାପା ରାଜି ନଥିଲେ, ଯାହାକୁ ନେଇ ଉଭୟଙ୍କ ମୁଣ୍ଡରେ ପଶିଥିଲା ଗୁଣି ଗାରେଡି ହୋଇଥିବା ନେଇ ସନ୍ଦେହ ।
ତେଣୁ ସାବତ ଝିଅ ନିଜ ପ୍ରେମିକ ସହ ମିଶି ଯୋଜନାବଦ୍ଧ ଭାବେ ସାବତ ବାପାକୁ ମାରିଦେବାକୁ ଉଦ୍ୟମ କରିଥିଲା । ବିଳମ୍ବିତ ରାତିରେ ମୋହନ ପନ୍ଦର ଓ ତାଙ୍କ ପୁଅ ଅନୁଜ ଶୋଇଥିବାବେଳେ ଏସିଡ ମାଡ଼ରେ ଗୁରୁତର ହୋଇଥିଲେ । ଉଭୟ ଙ୍କୁ ତୁମୁଡିବନ୍ଧ ମେଡିକାଲ ରେ ଭର୍ତି ପରେ ବାଲିଗୁଡା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ମୋହନଙ୍କ ଛାତି, ମୁହଁ ଓ ଆଖି ପତା ଏସିଡ ମାଡ଼ ରେ ପୋଡି ଯାଇଥିବା ବେଳେ ତାଙ୍କ ପୁଅ ଅନୁଜଙ୍କ ମଧ୍ୟ ଛାତି ଓ ମୁହଁ ପୋଡି ଯାଇଛି । ତେବେ ଉଭୟ ଙ୍କ ଶରୀରରେ ପୋଡାଜଳା ଅତ୍ୟଧିକ ନେଇ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଏଭଳି ଏସିଡ ଫିଙ୍ଗା ଘଟଣାରେ ସାବତ ଝିଅ ଓ ତା ପ୍ରେମିକକୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି ।