ସାତଦିନ ହେଲା ନିଖୋଜ ମହିଳାର ମିଳୁନି ପତ୍ତା, ମା’ ଫଟୋକୁ ଧରି କାନ୍ଦୁଛି ପୁଅ

ଭଦ୍ରକ : ଘର ଦୁଆରେ ମା’ ଫଟୋକୁ ଧରି ବସିକି କାନ୍ଦୁଛି ୧୪ ବର୍ଷର ପୁଅ । ମା’ ତୁ ମୋତେ ନ କହି କୁଆଡ଼େ ଗଲୁ ? ତୋର କଣ ମୋ କଥା ମନେ ପଡ଼ୁନି । ମୁଁ ଅଝଟ କଲେ ତୁ ବୁଝାଉଥିଲୁ ନଖାଇଲେ ଖୁଆଇ ଦେଉଥିଲୁ । କେତେ ଗେହ୍ଲା କରୁଥିଲୁ ହେଲେ ହଠାତ୍ ମୋତେ ଛାଡ଼ି ତୁ କୁଆଡ଼େ ଚାଲିଗଲୁ ? ମୁଁ କେତେ ମା’ ମା’ ଡାକିଲିଣି ତୁ କଣ ଶୁଣିପାରୁନୁ ? କୋଉଠି ଅଛୁ ତୁ… ଫେରିଆ ମୋ ପାଖକୁ । ମୁଁ ତୋ ବିନା କେମିତି ବଞ୍ଚିବି । କାହାକୁ ମା’ ବୋଲି ଡାକିବି । ଏମିତି କେତେ କଥା କହି କାନ୍ଦୁଛି ପୁଅ । ହେଲେ ତା କଥା ମା’ ପାଖରେ ପହଞ୍ଚିପାରୁନି ….କି ସେ ଶୁଣିପାରୁନି । ବିଚରା ପୁଅ ମା’କୁ ନପାଇ ତା ଫଟୋଟିକୁ ଧରି କାନ୍ଦୁଛି ।
ମା’ନିଖୋଜ ହେବାର ସାତଦିନ ହେଲାଣି । ହେଲେ କିଛି ଖୋଜ ଖବର ମିଳୁନି । ଭଦ୍ରକ ଜିଲ୍ଲା ବଂସଡ଼ା ଥାନା ଅଧିନସ୍ଥ ଘଣ୍ଟେସର କୁଳିଆଡ଼ିଆ ଗାଁର ବାବାଜୀ ନାଥଙ୍କ ସ୍ତ୍ରୀ ବିନୋଦିନୀ ନାଥ ଗତ ୧୮ତାରିଖ ବିଳମ୍ବିତ ରାତିରେ ଘରେ ସମସ୍ତେ ଶୋଇଥିବା ବେଳେ କୁଆଡେ ପଳାଇ ଯାଇଛନ୍ତି । ଏନେଇ ପୁରା ପରିବାର ଏବଂ ବନ୍ଧୁ ବାନ୍ଧବ ବହୁ ଖୋଜା ଖୋଜି କରିଥିଲେ ମଧ୍ୟ ପାଉ ନାହାଁନ୍ତି ।
ମହିଳାଙ୍କ ଏପରି ନିଖୋଜ ନେଇ ଘଣ୍ଟେଶ୍ୱର ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ ପରିବାର ଲୋକେ । ହେଲେ ଅଭିଯୋଗକୁ ୭ଦିନ ବିତି ଯାଇଥିଲେ ମଧ୍ୟ ଉକ୍ତ ମହିଳାଙ୍କ ସନ୍ଧାନ ପାଉନି ପୋଲିସ । ଘରେ ଥିବା ୧୪ ବର୍ଷର ପୁଅ ମା’ର ଫେରିବା ବାଟକୁ ଚାହିଁ ବସିଛି । ପୁରା ପରିବାର ଆଖିରୁ ଶୁଖୁନି ଲୁହ । ଘରେ ଅରନ୍ଧାବଢ଼ା। ନା ସକାଳୁ ଚୁଲି ଜଳୁଛି ନା କାହାରି ପେଟକୁ ଦାନା ଯାଉଛି । ବିନୋଦିନୀ ଶାଶୂଙ୍କ କହିବା ଅନୁଯାୟୀ ବିନୋଦିନୀ ସକାଳୁ ସକାଳୁ ପୁଲ ତୋଳିବାକୁ ଯାଇଥିଲେ । ତା’ ପରେ ଆଉ ଘରକୁ ଫେରି ନଥିଲେ । ପାଖ ସାହି ସବୁଠି ଖୋଜିଥିଲେ ମଧ୍ୟ ପାଇନଥିଲେ । ବିନୋଦିନୀଙ୍କର ୬ ଟି ଝିଅ ଗୋଟିଏ ପୁଅ । ଏବେ ମା’ କୁ ନପାଇ ଦୁଃଖରେ ଭାଙ୍ଗିପଡ଼ିଛନ୍ତି ୭ଟି ପିଲା ।