ସମ୍ବଲପୁର : ସମ୍ପତ୍ତି ପାଇଁ ମାଆ ଝିଅଙ୍କୁ ହତ୍ୟା ଅଭିଯୋଗ । ସମ୍ବଲପୁର ମାନେଶ୍ଵର ହାଟପଦା ଗାଁରେ ଵୃଦ୍ଧା ମାଆ ଓ ଝିଅଙ୍କୁ ପୁଅ ଜାଳିଦେଇଥିବା ଅଭିଯୋଗ ହୋଇଛି । ଏହି ଅଭିଯୋଗ ଆଣିଛନ୍ତି ମୃତ ବୃଦ୍ଧାଙ୍କ ସାନ ଭଉଣୀ । ୯୦ ବର୍ଷୀୟ ଵୃଦ୍ଧା ସ୍ନେହଲତା ଦୀକ୍ଷିତ ଓ ତାଙ୍କ ୬୨ ବର୍ଷୀୟ ଝିଅ ସୈରେନ୍ଦ୍ରୀ ଦୀକ୍ଷିତଙ୍କି ସମ୍ପତ୍ତି ଲୋଭରେ ପୋଡ଼ି ମାରିଦେଇଥିବା ଅଭିଯୋଗ ଆଣିଛନ୍ତି ମୃତ ସ୍ନେହଲତାଙ୍କ ସାନ ଝିଅ ଇନ୍ଦ୍ରାଣୀ ପୁରୋହିତ ।
ମଙ୍ଗଳବାର ରାତି ପ୍ରାୟ ୧୦ଟା ରୁ ୧୧ ଟା ମଧ୍ଯରେ ସ୍ନେହଲତାଙ୍କ ଉପର ମହଲା ଘରେ ନିଆଁ ଜଳୁଥିବା କିଛି ଲୋକ ଦେଖି ତାଙ୍କ ପୁଅଙ୍କୁ ଫୋନ କରିଥିଲେ । ଏନେଇ ତୁରନ୍ତ ପୋଲିସକୁ ଫୋନ ସହ ନିଆଁ ଲିଭାଇବା ପାଇଁ ଚେଷ୍ଟା କରିଥିଲେ । ପୋଲିସ ଘଟଣାସ୍ଥଳରେ ତୁରନ୍ତ ପହଞ୍ଚି ପ୍ରଥମେ ନିଆଁକୁ ଆୟତ୍ତ କରିଥିଲା । ସେତେବେଳକୁ ସ୍ନେହଲତା ଓ ସୈରେନ୍ଦ୍ରୀଙ୍କ ମୃତ୍ୟୁ ହୋଇ ସାରିଥିଲା । ପଡ଼ୋଶୀ ସ୍ନେହଲତାଙ୍କ ସାନ ଝିଅ ଇନ୍ଦ୍ରାଣୀଙ୍କୁ ଫୋନ କରି ଡାକିଥିଲେ । ଇନ୍ଦ୍ରାଣୀ ଘଟଣାସ୍ଥଳରେ ପହଞ୍ଚି ଅଭିଯୋଗ ଆଣିଥିଲେ ଏହା ହତ୍ୟାକାଣ୍ଡ । ଆଉ ତାଙ୍କ ଭାଇ ଚତୁରତାର ସହ ଏହା ଘଟାଇଛନ୍ତି । ସମ୍ପତ୍ତି ପାଇଁ ଦୀର୍ଘ ଦିନରୁ ଚାଲିଥିଲା ପରିବାର ମଧ୍ଯରେ ଗଣ୍ଡଗଳ । ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ ଟିମ ର ତଦନ୍ତ ଆରମ୍ଭ କରିଛି ।
ଦୀକ୍ଷିତ ପରିବାରର ଚାରି ଝିଅ ଓ ଗୋଟିଏ ପୁଅ । ପୂର୍ବରୁ ଦୁଇ ଭଉଣୀଙ୍କର ମୃତ୍ୟୁ ଘଟିଥିବା ବେଳେ ସୈରେନ୍ଦ୍ରି ନିଆଁ ରେ ପୋଡି ହୋଇ ମୃତ୍ୟୁ ବରଣ କରିଛନ୍ତି । ସୈରେନ୍ଦ୍ରୀ ଜଣେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ । ତାଙ୍କ ବାପା ଓ ମାଆଙ୍କ ନାମରେ ଅନେକ ସମ୍ପତ୍ତି ରହିଛି । ଯାହା ଆଜି ପର୍ଯ୍ୟନ୍ତ ଭାଗ ହୋଇନାହିଁ । ସୈରେନ୍ଦ୍ରୀ ମଧ୍ୟ ଅନେକ ସମ୍ପତ୍ତି କରିଛନ୍ତି । ସମ୍ପତ୍ତି ପାଇଁ କୋର୍ଟରେ କେସ ମଧ୍ୟ ଚାଲୁଛି । ସେପଟେ ପୋଲିସ କହିଛି ଘଟଣାସ୍ଥଳରେ ପହଞ୍ଚିବା ବେଳେ ଉପର ଘରେ ଗ୍ୟାସ ଜଳୁଥିଲା । ହୁଏତ ଗ୍ୟାସ ରୁ ନିଆଁ ଲାଗିଥାଇପାରେ । ସବୁ ଦିଗକୁ ନେଇ ତଦନ୍ତ ଜାରି ରହିଛି । ପୁଅ ଜଗନ୍ନାଥଙ୍କୁ ମଧ୍ୟ ପଚରା ଉଚରା କରାଯିବ ବୋଲି ପୋଲିସ କହିଛି ।