ନ୍ୟାୟ ପାଇଁ ୮ ବର୍ଷର ପୁଅକୁ ଧରି ସ୍ୱାମୀଙ୍କ ଘର ଆଗରେ ଧାରଣାରେ ସ୍ତ୍ରୀ

ଜଳେଶ୍ବର(କେନ୍ଯୁଜ୍): ନ୍ୟାୟ ପାଇଁ ୮ ବର୍ଷର ପୁଅକୁ ଧରି ସ୍ୱାମୀଙ୍କ ଘର ଆଗରେ ଶୀତ କାକରରେ ଧାରଣାରେ ବସିଛନ୍ତି ସ୍ତ୍ରୀ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ନାବରା ଗାଁରେ । ଗାଁର ହରିପଦ ଦେ ଜଳେଶ୍ୱର ରାଜପୁର ଗାଁର ଗୟାପ୍ରସାଦ ବେହେରାଙ୍କ ଝିଅ ଶୁଭସ୍ମିତାଙ୍କୁ ୨୦୧୨ରେ ବିବାହ କରିଥିଲେ । ତେବେ ବିବାହର କିଛି ବର୍ଷ ପରେ ଶାଶୁ ଘର ଲୋକେ ଅଧିକ ଯୌତୁକ ଦାବି କରି ଶୁଭସ୍ମିତାଙ୍କୁ ଶାରୀରିକ ଓ ମାନସିକ ନିିର୍ଯାତନା ଦେଉଥିଲେ । ଏନେଇ ଶୁଭସ୍ମିତା ୨୦୧୫ରେ ବାଲେଶ୍ୱର ଜିଲ୍ଲା ପରିବାର ଅଦାଲତର ଦ୍ଵାରସ୍ଥ ହୋଇଥିଲେ ।

କୋର୍ଟଙ୍କ ରାୟ ମୁତାବକ ଶୁଭସ୍ମିତା ଓ ତାଙ୍କ ପୁଅର ଭରଣ ପୋଷଣ ବାବଦ ମାସକୁ ୮ ହଜାର ଟଙ୍କା ଦେବା ପାଇଁ ସ୍ୱାମୀ ହରିପଦଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ମାତ୍ର ଶୁଭସ୍ମିତାଙ୍କୁ କୌଣସି ଭରଣ ପୋଷଣ ମିଳିନଥିଲା । ଯାହାକୁ ନେଇ ଶୁଭସ୍ମିତା ପୁଅକୁ ଧରି ନ୍ୟାୟ ପାଇଁ ସ୍ୱାମୀଙ୍କ ଘର ଆଗରେ ଧାରଣାରେ ବସିଥିଲେ । ତେବେ ପୋଲିସ ଓ ବାଲେଶ୍ୱର ଶିଶୁ ସୁରକ୍ଷା ବିଭାଗ ପହଞ୍ଚି ବଳ ପୂର୍ବକ ସେମାନଙ୍କୁ ଉଠାଇ ନେଇଥିଲେ । ଏହାପରେ ଶିଶୁ ସୁରକ୍ଷା ବିଭାଗ ଘଟଣାର ତଦନ୍ତ କରି ଶୁଭସ୍ମିତା ଓ ପୁଅକୁ ଶାଶୁଘରେ ସୁରକ୍ଷିତ ଥଇଥାନ କରିବାକୁ ସିଂଲା ପୋଲିସକୁ ନିର୍ଦେଶ ଦେଇଥିଲେ ।

ମାତ୍ର ସିଂଲା ପୋଲିସ କୌଣସି ସହଯୋଗ ନକରିବାରୁ ଗତକାଲି ଶୁଭସ୍ମିତା ତାଙ୍କ ବୁଢୀ ମାଆଙ୍କ ସହିତ ପୁଅକୁ ଧରି ସ୍ୱାମୀଙ୍କ ଘରକୁ ଆସିଥିଲେ । ହେଲେ ଏମାନଙ୍କୁ ଦେଖି ଶାଶୁଘର ଲୋକେ ଫାଟକରେ ତାଲା ପକାଇ ଫେରାର ହୋଇଯାଇଛନ୍ତି । ଏପରିସ୍ଥିତିରେ ଶୁଭସ୍ମିତା ବୁଢୀ ମା ଏବଂ ପୁଅକୁ ଧରି ଶାଶୁ ଘର ସାମ୍ନାରେ ବସି ରହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.