ସ୍ୱାମୀଙ୍କ ସହ ମାର୍କେଟରୁ ଫେରୁଥିଲେ ମହିଳା, ବେକରୁ ସୁନା ଚେନ୍ ଝାମ୍ପିନେଲେ ଦୁର୍ବୃତ୍ତ

ଭଦ୍ରକ: ରାତି ପ୍ରାୟ ୧୦ଟା ହୋଇଥାଏ । ସ୍ୱାମୀ ସ୍ତ୍ରୀ ଜିନିଷପତ୍ର କିଣାକିଣି କରି ମାର୍କେଟରୁ ଫେରୁଥାନ୍ତି । ଏତିକି ବେଳେ ଦୁଇ ଜଣ ସାଇଡରେ ଆଣି ଗାଡି ଲଗେଇଲେ । ଆଉ ମହିଳା ଜଣକ କିଛି ବୁଝିବା ଆଗରୁ ବେକରୁ ଝାମ୍ପିନେଲେ ସୁନା ଚେନ୍ । ଆଉ ତୁରନ୍ତ ସେଠାରୁ ଚମ୍ପଟ ମାରିଥିଲେ । ବେକରୁ ଚେନ ଭିଡିବା ସମୟରେ ମହିଳା ଜଣକ ସାମାନ୍ୟ ଆହତ ବି ହୋଇଛନ୍ତି । ହଁ ଆଜ୍ଞା, ମହିଳାଙ୍କ ବେକରୁ ସୁନା ଚେନ ଝାମ୍ପି ନେଲେ ଦୁର୍ବୁତ୍ତ । କ’ଣ ଆପଣ ବି ବେକରେ ସୁନା ଚେନ୍ ପକାଇ ବାହାରକୁ ଯାଉଛନ୍ତି କି ? ଯଦି ଏଭଳି କିଛି କରୁଛନ୍ତି ତେବେ ସାବଧାନ ରୁହନ୍ତୁ ।
କାହିଁକି ନା ଘର ବାହାରେ ବୁଲୁଛନ୍ତି ଲୁଟେରା । ସୁଯୋଗ ପାଇଲେ ଏ ଲୁଟେରାମାନେ ଆପଣଙ୍କ ସୁନା ଚେନ୍ ଲୁଟି ନେଇ ଫେରାର ମାରିବେ । ଲୋକଙ୍କ ଟିକିଏ ଅସାବଧାନତା ଯୋଗୁଁ ସୁନା ଚେନ୍ ଲୁଟି ନେଇ ଫେରାର ମାରୁଛନ୍ତି ଲୁଟେରା । ଭଦ୍ରକ ଟାଉନ ଥାନା ଅଧିନସ୍ଥ ଚାରି ଘରିଆ ଛକ ନିକଟରେ ଘଟିଛି ଏଭଳି ଲୁଟ୍ । ଦୁଇ ଜଣ ଦୁର୍ବୁତ୍ତ ଏକ କଳା ପଲସର ଗାଡିରେ ଆସି ମହିଳାଙ୍କ ବେକରୁ ସୁନା ଚେନ ଝାମ୍ପି ନେଇ ଫେରାର ମାରିଥିଲେ । ଲୁଟର ଶିକାର ହୋଇଥିବା ମହିଳା ଜଣଙ୍କ ହେଲେ ଭଦ୍ରକ ଟାଉନ ଥାନା ଅଧିନସ୍ଥ ଚାରି ଘରିଆ ଦୁଃଖ ନଗରର ପଦ୍ମାବତୀ ମିଶ୍ର ।
ଗତକାଲି ରାତି ପ୍ରାୟ ୧୦ଟାରେ ତାଙ୍କ ସ୍ୱାମୀଙ୍କ ସହିତ ମାର୍କେଟିଂ କରି ଫେରୁଥିବା ବେଳେ ଦୁର୍ବୁତ୍ତମାନେ ତାଙ୍କୁ ଅନେକ ସମୟ ଧରି ପିଛା କରିଥିଲେ । ଶେଷରେ ମୌକା ଦେଖି ଚାରି ଘରିଆ ଛକ ନିକଟରେ ସୁନା ଚେନ ଟାଣି ନେଇଗଲେ । ପରେ ପଦ୍ମାବତୀ ମିଶ୍ର ଏ ସମ୍ପର୍କରେ ଭଦ୍ରକ ଟାଉନ ଥାନାକୁ ଯାଇ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ଯଦି ଆପଣ ସୁନା ଚେନ୍ ପିନ୍ଧୁଛନ୍ତି ତେବେ ସାବଧାନ ରୁହନ୍ତୁ । କାରଣ ଆଜିକାଲି ଚାରିଆଡେ ଲୁଟେରା ଚୋରି କରିବା ଉଦ୍ଦେଶ୍ୟରେ ଘୁରି ବୁଲୁଛନ୍ତି । କେତେବେଳେ ଯେ ଆପଣଙ୍କୁ ଟାର୍ଗେଟ କରି ଆପଣଙ୍କ ଠାରୁ ଦାମୀ ସୁନା ଗହଣା ଲୁଟିନେବେ ତାହା କହି ହେବନି । ସୁନା ତ ଯିବ ଏହା ସହ ଆପଣଙ୍କ ଜୀବନ ମଧ୍ୟ ବିପଦ ରହିଛି । ତେଣୁ ଯଦି ବି ଆପଣ ସୁନା ଜିନିଷ ପିନ୍ଧୁଛନ୍ତି ଏହାକୁ ଓଢ଼ଣୀ କିମ୍ବା ଶାଢୀରେ ଘୋଡ଼ାଇ ରଖିବାକୁ ଚେଷ୍ଟା କରନ୍ତୁ । ଏଭଳି କରିବା ଦ୍ୱାରା ସୁନା ଜିନିଷ ଚୋରଙ୍କ ନଜରରେ ଏତେ ସହଜରେ ପଡ଼ିବନି ଏବଂ ଆପଣଙ୍କ ଜିନିଷ ସୁରକ୍ଷିତ ରହିବ ।