ନେତ୍ରୀ ହେବ ତ ଏମିତି, ନିଜ ଦରମା ଟଙ୍କାରେ ଅଟୋ କରି ପଞ୍ଚାୟତବାସୀଙ୍କୁ ଭତ୍ତା ଆଣିବାକୁ ପଠାଉଛନ୍ତି ସରପଞ୍ଚ

ପିପିଲି: ଲୋକଙ୍କ ସେବା କରିବା ପାଇଁ ରାଜନୈତିକ ମଇଦାନକୁ ଓହ୍ଲାଇଥାନ୍ତି ଅନେକ ବ୍ଯକ୍ତି । ନିର୍ବାଚିତ ହେବା ପରେ ନେତା ମାନେ ବିଭିନ୍ନ ନୀତି ଆପଣାଉଥିବା ବେଳେ ଜଣେ ଏମିତି ସରପଞ୍ଚ ବି ଅଛନ୍ତି ଯିଏ ତାଙ୍କ ମାସିକ ଦରମାରେ ଅସହାୟ ବୃଦ୍ଧ ବୃଦ୍ଧାଙ୍କୁ ମାଗଣାରେ ଅଟୋରେ ଭତ୍ତା ନେବା ପାଇଁ ପଞ୍ଚାୟତ ଅଫିସକୁ ନେବା ଆଣିବା କରୁଛନ୍ତି।
ଭୁବନେଶ୍ୱର ଉପକଣ୍ଠ ଇଟିପୁର ଗ୍ରାମପଞ୍ଚାୟତ। ଏହି ପଞ୍ଚାୟତ ୧୯୫୫ ମସିହାରେ ପ୍ରତିଷ୍ଠା ହୋଇଥିଲା। ପଞ୍ଚାୟତ ଅଧୀନରେ ୧୨ ଟି ୱାର୍ଡ଼ ରହିଛି। ଏଠାରେ ମଧୁବାବୁ ପେନସନ ଯୋଜନାରେ ୬୨୬ ଜଣଙ୍କୁ ପ୍ରତି ମାସରେ ଭତ୍ତା ପ୍ରଦାନ କରାଯାଉଛି। ଲୋକମାନେ ଭତ୍ତା ନେବାକୁ ପଞ୍ଚାୟତ କାର୍ଯ୍ଯାଳୟକୁ ଆସିଥାନ୍ତି। ମାତ୍ର ଏହି ପଞ୍ଚାୟତର ସରପଞ୍ଚ ଭାବେ ନର୍ମଦା ଚନ୍ଦ୍ରମା ସାହୁ ନିର୍ବାଚିତ ହେବା ପରେ ଏକ ଭିନ୍ନ ନୀତି ଆପଣାଇଛନ୍ତି। ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଦର୍ଶ ଭାବରେ ବାଛି ନେଇ ନିଜ ମାସିକ ଦରମା ଟଙ୍କାକୁ ପଞ୍ଚାୟତର ଅସହାୟ ବୃଦ୍ଧବୃଦ୍ଧାଙ୍କ ପାଇଁ ଉତ୍ସର୍ଗ କରିଛନ୍ତି ନର୍ମଦା। ଦରମା ଟଙ୍କାରେ ସେ ସମସ୍ତ ବୃଦ୍ଧବୃଦ୍ଧାଙ୍କୁ ଅଟୋରେ ପଞ୍ଚାୟତ ଅଫିସକୁ ଆଣିଥାନ୍ତି। ସେମାନେ ଭତ୍ତା ନେଇ ସାରିବା ପରେ ପୁନର୍ବାର ସେମାନଙ୍କୁ ଘରେ ନେଇ ଛାଡ଼ିଥାନ୍ତି। ତେବେ ସେ ଯେ ପର୍ଯ୍ଯନ୍ତ ପଦବୀରେ ଅଛନ୍ତି ଏଭଳି ମହତ କାର୍ଯ୍ଯ ଜାରି ରଖିବେ ବୋଲି କହିଛନ୍ତି ନର୍ମଦା।
ସେପଟେ ମାସର ୧୫ ତାରିଖକୁ ଅପେକ୍ଷା କରି ରହିଥାନ୍ତି ବୟସ୍କବୟସ୍କା ଏବଂ ଦିବ୍ଯାଙ୍ଗମାନେ। ଏହି ଦିନ ସେମାନଙ୍କୁ ରାଜ୍ଯ ସରକାରଙ୍କ ମଧୁବାବୁ ପେନସନ ଯୋଜନାରେ ଆର୍ଥିକ ସହାୟତା ପାଇଁ ଟଙ୍କା ଯୋଗାଇ ଦିଆଯାଇଥାଏ । ଲୋକମାନେ ଭତ୍ତା ନେବା ପାଇଁ ଅଟୋ ଯୋଗେ ଆସୁଥିବା ବେଳେ ସେମାନଙ୍କୁ ଅଟୋ ଭଡ଼ା ଦେବାକୁ ପଡ଼ିଥାଏ। ମାତ୍ର ସରପଞ୍ଚଙ୍କ ଏହି ମାଗଣା ଅଟୋ ସେବା ଯୋଗୁଁ ବେଶ ହସଖୁସିରେ ଆସୁଛନ୍ତି ହିତାଧିକାରୀମାନେ। ଅନ୍ୟପଟେ ଅଟୋଟିଏ କରି ନିଜ ଗୁଜୁରାଣ ମେଣ୍ଟାଉଛନ୍ତି ଅଟୋ ଚାଳକ । ଯେତେ କାମ ଥିଲେ ବି ଭତ୍ତା ବଣ୍ଟା ହେବା ଦିନ ଲୋକମାନଙ୍କୁ ନେବା ଆଣିବା କରିଥାନ୍ତି। ଭତ୍ତା ନେବା ବେଳେ ସେମାନଙ୍କ ପାଇଁ ପଞ୍ଚାୟତ ପକ୍ଷରୁ ପାନୀୟ ଜଳର ବ୍ଯବସ୍ଥା କରାଯାଇଥାଏ।
ତେବେ ମାସେ କି ଦୁଇ ମାସ ନୁହେଁ ପଞ୍ଚାୟତ ନିର୍ବାଚନରେ ମହିଳା ସରପଞ୍ଚ ନର୍ମଦା ଚନ୍ଦ୍ରମା ସାହୁ ନିର୍ବାଚିତ ହେବା ପର ଠାରୁ ଦୀର୍ଘ ୪ ମାସ ଧରି ପଞ୍ଚାୟତବାସୀଙ୍କ ପାଇଁ ଏଭଳି ନିରନ୍ତର ମାଗଣା ଅଟୋସେବା ଯୋଗାଇ ଅନ୍ଯମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି।