ନିଜ ଘର ନିଜେ ଜାଳିଦେଲେ ମହିଳା, ଜଳି ପୋଡ଼ି ପାଉଁଶ ହୋଇଗଲା ଆସବାବପତ୍ର

ନିଜ ଘର ନିଜେ ଜାଳିଦେଲେ ମହିଳା । କଣ ହେଲା କେଜାଣି ଘରେ ବସୁ ବସୁ ଘରେ ନିଆଁ ଲଗାଇଦେଲେ । ହୁତୁହୁତୁ ହୋଇ ଘର ଜଳିଲା । ଘର ଜଳୁଥିବା ଦେଖି ସ୍ଥାନୀୟ ଲୋକେ ଘର ଆଗରେ ରୁଣ୍ଡ ହୋଇଗଲେ । କେମିତି ନିଆଁ ଲାଗିଲା ନା କିଏ ଲଗାଇଦେଲା । ଏଭଳି ଭାବୁଥିବାବେଳେ ମହିଳା ହିଁ ନିଜ ଘରେ ନିଜେ ନିଆ ଲଗାଇଥିବା ଜଣା ପଡ଼ିଛି । ମହିଳାଙ୍କ ଏଭଳି କାଣ୍ଡ ସମସ୍ତଙ୍କୁ ପ୍ରଥମେ ଆଶ୍ଚର୍ଯ୍ୟ କରିଥିଲା ।

ବାଲିଗୁଡା ୧୩ ନମ୍ବର ୱାର୍ଡ ସୁନାପାଙ୍ଗାରେ ଘଟିଛି ଏପରି ଅଭାବନୀୟ ଘଟଣା । ତେବେ ନିଜ ଘର ଜାଳି ଦେଇଥିବା ମହିଳା ଜଣକ ହେଲେ ସୁନାପାଙ୍ଗାର ବାସନ୍ତୀ ଶତପଥୀ l ମହିଳା ଜଣକ ମାନସିକ ଅନଗ୍ରସର ହୋଇଥିବାରୁ ଏମିତି କିଛି କରି ବସିଛନ୍ତି । ସୁନାପାଙ୍ଗା ସ୍ଥିତ ନିଜ ଘରେ ସେ ଏକୁଟିଆ ରହି ଆସୁଥିବା ବେଳେ ନିଜ ଘରେ ଗତ କାଲି  ନିଆଁ ଲଗେଇ ଦେଇଥିଲେ । ନିଆଁ ଘର ସାରା ବ୍ୟାପି ବହୁ ଆସବାବ ପତ୍ର ଜଳି ନଷ୍ଟ ହୋଇଯାଇଥିବା ଜଣା ପଡିଛି । ତେବେ ନିଆଁ ଜଳୁଥିବା ଦେଖି ସ୍ଥାନୀୟ ବାସିନ୍ଦା ଅଗ୍ନିଶମ ବାହିନୀକୁ ଖବର ଦେବା ପରେ ନିଆଁକୁ ଆୟତ୍ତ କରିଛି ଅଗ୍ନିଶମ ବାହିନୀ । ତେବେ ମାନସିକ ଅନଗ୍ରସର ମହିଳା ଜଣକ ନିଆଁ ଲାଗିବା ପରେ ବାରି ପଟ ହୋଇ ଘର ବାହାରକୁ ଚାଲିଯାଇଥିବା ବେଳେ ତାଙ୍କ ଜୀବନ ସୁରକ୍ଷିତ ଥିବା ଜଣା ପଡିଛି ।

ଗରିବ ମହିଳା ମାନସିକ ଅନଗ୍ରସର ହୋଇଥିବାରୁ ଏମିତି କାଣ୍ଡ କରି ବସିଲେ । ଏବେ ତାଙ୍କ ଘରର ସବୁ ଜିନିଷ ନଷ୍ଟ ହୋଇଯାଇଛି । ତାଙ୍କର ସମ୍ପର୍କୀୟଙ୍କ କହିବା ଅନୁସାରେ ସେ ପୂର୍ବରୁ ମଧ୍ୟ ଏମିତି ଘରେ ନିଆ ଲଗାଇଥିଲେ । ବାସନ୍ତୀଙ୍କ ସ୍ବାମୀଙ୍କ ଦେହାନ୍ତ ପରେ ସେ ଏକୁଟିଆ ଏହି ଘରେ ରହୁଛନ୍ତି । ବହୁ କଷ୍ଟରେ ପେଟ ପାଇଁ ଦାନା ଯୋଗାଡ଼ କରନ୍ତି ବାସନ୍ତୀ । ଏମିତି ପରିସ୍ଥିତିରେ ବାସନ୍ତୀ ନିଜ ଘର ଜାଳି ଦେଇଥିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି ।