ମହିଳାଙ୍କୁ ଛୁରୀ ଦେଖାଇ ହାତଗୋଡ ବାନ୍ଧି ଦୁଷ୍କର୍ମ ଅଭିଯୋଗ, ଗିରଫ ପରେ ଅଭିଯୁକ୍ତର ସିନ୍ ରିକ୍ରିଏସନ

ଢେଙ୍କାନାଳ : ଢେଙ୍କାନାଳ ଜିଲା ସଦର ଥାନା ଗେଙ୍ଗୁଟିଆ ନିକଟସ୍ଥ ରଣପଶି ଓଭରବ୍ରିଜ୍ ନିକଟରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ମହିଳାଙ୍କୁ ଛୁରୀ ଦେଖାଇ ହାତଗୋଡ ବାନ୍ଧି କରାଯାଇଛି ଦୁଷ୍କର୍ମ । ଅଭିଯୁକ୍ତ ହେଲା ହୃଷିକେଶ ସାହୁ । ଶୁକ୍ରବାର ରାତି ୮ଟାରୁ ୧୧ଟା ପର୍ଯ୍ୟନ୍ତ ଏକ ଘରେ ଏକୁଟିଆ ପାଇ ଏପରି ଘୁର୍ଣ୍ଣ୍ୟ କାର୍ଯ୍ୟ କରିଥିବା ଅଭିଯୋଗ ହୋଇଛି । ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ହୃଷିକେଶ ସାହୁ(୩୦)କୁ ଗିରଫ କରିଛନ୍ତି ।
ଘଟଣାରୁ ଜଣାପଡିଛି ଯେ, ରଣପଶି ଓଭରବ୍ରିଜ୍ ନିକଟରେ ଜଣେ ମହିଳା ଭଡାରେ ଏକ ଘରେ ଏକୁଟିଆ ରହୁଥିଲେ । ନିକଟରେ ଏକ ସ ମିଲରେ କାରୀଗର ଭାବେ କାମ କରୁଥିଲା ଦେବଗଡ ଜିଲା ଅଂଚଳର ହୃଷିକେଶ ସାହୁ । ଶୁକ୍ରବାର ରାତିରେ ମହିଳା ଜଣକ କୌଣସି କାର୍ଯ୍ୟରେ ଘର ବାହାରକୁ ଆସି ଘର ଭିତରକୁ ଯିବା ପୂର୍ବରୁ ଏହାର ସୁଯୋଗ ପାଇ ଅଭିଯୁକ୍ତ ହୃଷିକେଶ ଘରେ ଭିତରେ ଆଗରୁ ଯାଇ ଲୁଚିଥିଲା ।
ମହିଳା ଜଣକ ଘରକୁ ଆସି ବସିଥିବା ବେଳେ ହଠାତ୍ ହୃଷିକେଶ ତାଙ୍କ ପଛ ପାଖରୁ ଆସି ତାଙ୍କ ମୁହଁରେ ଏକ ଚାଦର ପକାଇ ତାଙ୍କୁ ଧରିନେଇଥିଲା । ଦୁଷ୍କର୍ମ କରିବା ପରେ ଅଭିଯୁକ୍ତ ସେଠାରୁ ପଳାଇ ଯାଇଥିଲା । ମହିଳା ଜଣକ ଶନିବାର ଏ ସଂକ୍ରାନ୍ତରେ ସଦର ଥାନାରେ ଏକ ଅଭିଯୋଗ କରିବା ପରେ ଥାନାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଇଥିଲା । ଏସପିଙ୍କ ନିର୍ଦ୍ଦେଶ ପରେ ଅତିରିକ୍ତ ଏସପି ଘଟଣାର ତଦନ୍ତ କରିଥିଲେ ।
ଏହାପରେ ଅଭିଯୁକ୍ତକୁ ସମ୍ପୃକ୍ତ ଅଂଚଳରୁ ଗିରଫ କରି ପଚରାଉଚରା କରାଯାଇଥିଲା । ତା’ ଠାରୁ ଘଟଣାରେ ବ୍ୟବହୃତ ଛୁରୀକୁ ଜବତ କରାଯାଇଛି । ସାଇଂଟିଫିକ୍ ଟିମ୍ ଘଟଣା ସ୍ଥଳରେ ପହଁଚି ପଡିଥିବା ପାଦ ଚିହ୍ନକୁ ନେଇ ତଦନ୍ତ କରିଥିଲେ । ଏହାପରେ ଅଭିଯୁକ୍ତ ପୋଲିସ ଉପସ୍ଥିତିରେ ଘଟଣାସ୍ଥଳରେ ସିନ୍ ରିକ୍ରିଏସନ କରିଥିଲା ବୋଲି ଅତିରିକ୍ତ ଏସପି ସୂଚନା ଦେଇଛନ୍ତି । ଅଭିଯୁକ୍ତକୁ ରବିବାର କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡିଛି । ପୀଡିତାଙ୍କର ଡାକ୍ତରୀ ପରୀକ୍ଷା କରାଯାଇଥିବା ପୋଲିସ ସୂତ୍ରରୁ ପ୍ରକାଶ ।