ତାଳଚେର: ମା ସାଜି ବିଧବା ବୋହୂକୁ ବିବାହ ଦେଲେ ଶାଶୁ, ସମାଜ ପାଇଁ ସୃଷ୍ଟି କଲେ ଅନନ୍ୟ ଉଦାହରଣ

ତାଳଚେର: ସମାଜରେ ଯୌତୁକ ଦାବି ପରି ବୋହୂକୁ ମାରିବା ଭଳି ଘଟଣା ଘଟୁଥିବା ବେଳେ ତାଳଚେରର ମହିଳା କିନ୍ତୁ ସମାଜକୁ ନୂଆ ରାସ୍ତା ଦେଖାଇଛନ୍ତି। ମା ସାଜି ବିଧବା ବୋହୂକୁ ବିବାହ ଦେଇଛନ୍ତି ଜଣେ ଶାଶୂ। ତାଳଚେର ଗୋବରା ଗାଁର ପ୍ରତିମା ବେହେରା ପୁଅ ମୃତ୍ୟୁର ଦୁଇମାସ ପରେ ବୋହୂକୁ ପୁଣି ଥରେ ବିବାହ ଦେଇଛନ୍ତି। ଚଳିତବର୍ଷ ଫେବୃଆରି ମାସରେ ଗୋବରା ଗାଁର ରଶ୍ମୀରଞ୍ଜନଙ୍କୁ ତୁରଙ୍ଗ ଗାଁର ଲିଲି ବେହେରା ବିବାହ କରିଥିଲେ। ତେବେ ଭରତପୁର କୋଇଲା ଖଣି ଦୁର୍ଘଟଣାରେ ରଶ୍ମୀରଞ୍ଜନଙ୍କର ମୃତ୍ୟୁ ହେବା ପରେ ସ୍ୱାମୀଙ୍କୁ ଝୁରି ହେଉଥିଲେ ଲିଲି । ବାରମ୍ବାର ମୂର୍ଚ୍ଛା ଯିବା ସହ କାନ୍ଦ ବନ୍ଦ ହେଉନଥିଲା। ବୋହୂର ଏ ଅବସ୍ଥାକୁ ସହ୍ୟ କରିପାରିନଥିଲେ ଶାଶୂ ପ୍ରତିମା ବେହେରା। ଲିଲିଙ୍କୁ ଆଉ ଥରେ ବାହା ହେବାକୁ ମନାଇବା ପରେ ସେ ଗ୍ରାମର ଜଣେ ଯୁବକଙ୍କ ସହ ବିବାହ ଦେଇଛନ୍ତି। ଏଥିରେ ଶାଶୂ ନିଜେ ମା ସାଜି ବିବାହ କରାଇଥିଲେ। ପ୍ରତିମାଙ୍କ ଏଭଳି ଉଦ୍ୟମକୁ ସମସ୍ତେ ବେଶ ପ୍ରଶଂସା କରିଛନ୍ତି।