ସ୍ୱାମୀ ଶର୍ଯ୍ୟାଶାୟୀ ହେବା ପରେ ପରିବାର ପ୍ରତିପୋଷଣ ପାଇଁ ମାଛ ବିକୁଛନ୍ତି ମହିଳା

କାକଟପୁର: ମାଛ ନେବ ମାଛ…. ଏମିତି ଡାକ ପକାଇ ଗାଁ ଦାଣ୍ଡରେ ଯାଉଥାନ୍ତି ଜଣେ ମହିଳା । ସ୍କୁଟିରେ ଥାଏ ଏକ ମାଛ ଡାଲା । ସକାଳୁ ସକାଳୁ ଜଣେ ମହିଳା ଏଭଳି ମାଛ ବିକିଥିବା ଦେଖି ଆମ ମନକୁ ଟିକେ କୌତୁହଳ ଲାଗିଲା । ଆଉ ଆମେ ଯାଇଥିଲୁ ତାଙ୍କ ପଛରେ ଏହାର କାରଣ ଜାଣିବା ପାଇଁ । ସେଇଠୁ ମହିଳା ଜଣକ ଆରମ୍ଭ କରିଥିଲେ ନିଜର ଜୀବନ କାହାଣୀ । କିଭଳି ଜଣେ ନାରୀ ନିଜର ପରିବାର ପାଇଁ ସର୍ବଂସହା ହୋଇପାରେ । ନିଜର ପରିବାରର ଭବିଷ୍ୟତ ପାଇଁ କିଛି ବି କରିପାରେ ଜଣେ ମହିଳା ।
ଯାହାର ଏକ ନଜିର ଦେଖିବାକୁ ମିଳିଛି ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ଛୁରିଅନା ପଞ୍ଚାୟତର ଅଣକଣା ଗାଁର ଲିପିନା ବେହେରାଙ୍କ କ୍ଷେତ୍ରରେ । ଲିପିନା ବେହେରାଙ୍କ ପରିବାର କହିଲେ ଶାଶୁ, ଶଶୁର, ଦେଢଶୁର, ଯା, ସ୍ଵାମୀଙ୍କ ସହିତ ଦୁଇଜଣ ଝିଅ ଏବଂ ତିନିଜଣ ପୁତୁରା ଝିଆରୀଙ୍କୁ ନେଇ ୧୦ ପ୍ରାଣୀ କୁଟୁମ୍ବ । ଆଜିକୁ ୨୦ ବର୍ଷ ହେବ ଦେଢଶୁର ବାହାର ରାଜ୍ୟକୁ ରୋଜଗାର କରିବାକୁ ଯାଇ ଆଉ ଫେରିନାହାନ୍ତି । ପରିବାର ଚଳାଉଥିଲେ ସ୍ଵାମୀ ଆଉ ଶଶୁର । ୨୦୧୦ରେ ଲିପିନାଙ୍କ ବିବାହ ଏହି ପରିବାରରେ ହୋଇଥିଲା ।
ବେଶ ହସ ଖୁସିରେ ଚାଲିଥିଲା ପରିବାର । କିନ୍ତୁ ଏଇ ହସ ଖୁସିର ପରିବାରରେ କାହାର ନଜର ଲାଗିଲା କେଜାଣି କ୍ଷଣିକରେ ସବୁ ଓଲଟ ପାଲଟ ହୋଇଗଲା । ୨୦୧୪ରେ ସ୍ଵାମୀଙ୍କ ମୁଣ୍ଡରେ ସ୍ନାୟୁ ଜନିତ ରୋଗ ବାହାରିଲା ଯାହାପରେ ପରିବାର ଉପରେ ଦୁଃଖର କଳା ବାଦଲ ଘୋଟି ଆସିଥିଲା । ସ୍ୱାମୀଙ୍କ ଚିକିତ୍ସା ପାଇଁ ମୁଣ୍ଡରେ ଅସ୍ତ୍ରୋପଚାର କରିବାକୁ ପଡିଲା । ଅସୁସ୍ଥ ସ୍ବାମୀଙ୍କୁ ସୁସ୍ଥ କରିବା ପାଇଁ ତିନିଥର ଅସ୍ତ୍ରୋପଚାର କରିବାକୁ ପଡିଥିବା ବେଳେ ଅନେକ ଟଙ୍କା ଖର୍ଚ୍ଚ ହୋଇସାରିଥିଲା କିନ୍ତୁ ସ୍ଵାମୀଙ୍କ ଦେହ ସୁସ୍ଥ ହୋଇନଥିଲା ।
ଡାକ୍ତରଙ୍କ ପରାମର୍ଶରେ ଶେଷ ଥର ୨୦୨୪ରେ ଅପରେସନ କରାଯାଇଥିଲା । କିନ୍ତୁ ଏହି ଅପରେସନ ସ୍ବାମୀଙ୍କୁ ସୁସ୍ଥ କରିବା ବଦଳରେ ଶର୍ଯ୍ୟାଶାୟୀ କରିଦେଲା । ଯାହାପରେ ଲିପିନାଙ୍କ ମୁଣ୍ଡରେ ଖସିପଡ଼ିଥିଲା ଦୁଃଖର ପାହାଡ଼ । ଯାହାପରେ ପରିବାର ଚଳାଇବାକୁ ଆଉ କେହିନଥିଲେ । ଏହି ସମୟରେ ନିଜ ପରିବାର ପାଇଁ କିଛି କରିବାକୁ ଅଣ୍ଟା ଭିଡିଲେ ଲିପିନା । ଯାହାପରେ ସ୍ୱାମୀଙ୍କ ମାଛ ବ୍ୟବସାୟକୁ ଆଗକୁ ନେବେ ବୋଲି ମନସ୍ଥ କଲେ ଏବଂ ଗାଁ ଗାଁ ବୁଲି ମାଛ ବ୍ୟବସାୟ ଆରମ୍ଭ କରିଥିଲେ । ଏଇଠୁ ଆରମ୍ଭ ହୋଇଥିଲା ଲିପିନାଙ୍କ ସଂଘର୍ଷର କାହାଣୀ ।
ପ୍ରଥମେ ସେ ନିଜ ପରିବାର ପାଇଁ ଏକ ସାଇକେଲ ଯୋଗେ କିଛି ମାଛ କିଣି ଗାଁ ଗାଁ ବୁଲି ବ୍ୟବସାୟ ଆରମ୍ଭ କଲେ । କିନ୍ତୁ ପରେ କିସ୍ତିରେ ଏକ ସ୍କୁଟରଟିଏ ଆଣିଛନ୍ତି ଏବଂ ଏହି ସ୍କୁଟର ମାଧ୍ୟମରେ ମାଛ ଧରି ଗାଁ କୁ ଗାଁ ବୁଲି ମାଛ ବ୍ୟବସାୟ କରୁଛନ୍ତି । ସପ୍ତାହର ରବିବାର, ବୁଧବାର ଏବଂ ଶୁକ୍ରବାର ଦିନ ଲିପିନା ମାଛ ନେଇ ଗାଁକୁ ବାହାରିଯାନ୍ତି । ଏଥିପାଇଁ ତାଙ୍କୁ ପୂର୍ବଦିନ ଗୋଦାମକୁ ଯାଇ ସେଠାରୁ ମାଛ କିଣି ତାହାକୁ ବରଫ ଦେଇ ରଖିବାକୁ ପଡିଥାଏ । ଏହାପରେ ରାତି ୨ଟାରୁ ଉଠି ଘର ଓ ସ୍ୱାମୀଙ୍କର ସେବା କରି ବାହାରିଯାଆନ୍ତି ମାଛ ବିକିବା ପାଇଁ ।
ଯେଉଁଥିପାଇଁ ଲିପିନାଙ୍କୁ ୩୦ ରୁ ୪୦ କିଲୋମିଟର ପର୍ଯ୍ୟନ୍ତ ବୁଲିବାକୁ ପଡିଥାଏ । ଗାଁ ଦାଣ୍ଡରେ ବୁଲି ବୁଲି “ମାଛ ନେବ ମାଛ ଡାକିଥାନ୍ତି”, ଲିପିନାଙ୍କ ଡାକ ଶୁଣି ଲୋକମାନେ ଦାଣ୍ଡକୁ ଆସି ତାଙ୍କ ଠାରୁ ମାଛ କିଣିନିଅନ୍ତି । ଆଉ ଏହି ବ୍ୟବସାୟରୁ ଚାଲିଥାଏ ତାଙ୍କ ତେଲ ଲୁଣ ସଂସାର । ତରାଜୁର କଣ୍ଟା ପରି ସମାଜ ଦଣ୍ଡରେ ନିଜକୁ ମାପିଚୁପି ଜୀବନ ସଂଗ୍ରାମରେ ଏକାକୀ ଲଢି ଚାଲିଛନ୍ତି ଲିପିନା । ଯେଉଁଥିପାଇଁ ଆଜି ସେ ନାରୀଜାତି ତଥା ସମାଜ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି । ଲିପିନାଙ୍କ ଏହି ସଂଘର୍ଷ ଭରା କାହାଣୀ ଶୁଣିଲେ କାହାର ବି ଆଖିରେ ଲୁହ ଭରିଯିବ ନିଶ୍ଚୟ ।
ଜଣେ ସାଧାରଣ ମହିଳା ପରିସ୍ଥିତି ଏବଂ ପରିବାରର ଭରଣପୋଷଣ ପାଇଁ କିଭଳି ନିଜକୁ ଉତ୍ସର୍ଗୀକୃତ କରିଦେଇଥାଏ ତାହାର ଜଣେ ଜୀବନ୍ତ ଉଦାହରଣ ଲିପିକା ।
Also read: ଜନ୍ମରୁ ଦୃଷ୍ଟି ବାଧିତ ଲକ୍ଷ୍ମଣ ଶବରଙ୍କୁ ବିବାହ କରି ଚର୍ଚ୍ଚାରେ ଚନ୍ଦ୍ରମା, ଚାରିଆଡୁ ଛୁଟୁଛି ପ୍ରଶଂସା