ମହିଳାଙ୍କୁ ଗାଁ ଦାଣ୍ଡରେ ଉଲଗ୍ନ କରି ମାଡ ମାରିଲେ ଯୁବକ

କେନ୍ଦ୍ରାପଡା : ବର୍ବରତାର ସବୁ ସୀମା ପାର୍ କରିଦେଲେ । ମହିଳାଙ୍କୁ ଗାଁ ଦାଣ୍ଡରେ ଉଲଗ୍ନ କରି ମାଡ ମାରିଲେ କିଛି ଯୁବକ। ଏ ଦୃଶ୍ୟ ଦେଖିଲାରୁ ଦେହ ଶିତେଇ ଯାଉଛି ଲୋମ ଟାଙ୍କୁରି ଉଠୁଛି । କି ମାଡ଼ ! ଏମିତି କଣ କିଏ କାହାକୁ ମାରିପାରେ । ଯଦି ସେହି ସମୟରେ ମହିଳାଙ୍କ ଜୀବନ ଚାଲିଯାଇଥାଆନ୍ତା ତାହେଲେ କଣ ହୋଇଥାନ୍ତା ? ଉଜୁଡ଼ି ଯାଇଥାଆନ୍ତା ସୁନା ସଂସାର । ମା ’ ଛଉଣ୍ଡ ହୋଇଯାଇ ଥାଆନ୍ତେ ପିଲାମାନେ । ସୌଭାଗ୍ୟକୁ ଏହି ମରଣାନ୍ତକ ଆକ୍ରମଣରେ ମହିଳାଙ୍କ ଜୀବନ ବଞ୍ଚିଯାଇଛି । ବର୍ତ୍ତମାନ ଏହି ମାଡ଼ ମାରୁଥିବା ଭିଡିଓ ଏବେ ମୋବାଇଲ୍ ରୁ ମୋବାଇଲ ଘୂରି ବୁଲୁଛି l

କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ କପାଳେଶ୍ଵର ପଞ୍ଚାୟତର ସମଲପୁର ଗାଁ ରେ ଘଟିଛି ଏହି ଅମାନବୀୟ ଘଟଣା l ତେବେ ମହିଳାଙ୍କୁ ଉଲଗ୍ନ କରି ମାଡ ମରାଯିବାର ଭିଡିଓ ଭାଇରାଲ୍ ହେବାରେ ଲାଗିଛି l ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସମଲପୁର ଗାଁ ର ଯୁବତୀ ଲକ୍ଷ୍ମୀପ୍ରିୟା ଦାସଙ୍କୁ ଆଜି ପୂର୍ବାହ୍ନରେ ରେ କିଛି ଯୁବକ ସଂଘବଧ ଆକ୍ରମଣ କରିଥିଲେ l ଲକ୍ଷ୍ମୀପ୍ରିୟା ଚିତ୍କାର କରିବାରୁ ତାଙ୍କ ମା ପ୍ରଭାତୀ ଦାସ ଘଟଣା ସ୍ଥଳରେ ପହଂଚି ଝିଅକୁ ବଞ୍ଚାଇବା ପାଇଁ ଉଦ୍ୟମ କଲାବେଳେ ଆକ୍ରମଣକାରୀ ପ୍ରଭାତୀ ଙ୍କୁ ମାଡ଼ମାରି ଉଲଗ୍ନ କରି ଦେଇଥିଲେ ଏବଂ ତଣ୍ଟି ଉପରେ ଚଢି ଯାଇଥିଲେ l ଏ ନେଇ ଲକ୍ଷ୍ମୀପ୍ରିୟା ସଦର୍ ଥାନାରେ ଅଭିଯୋଗ କରିଛନ୍ତି l

ତେବେ ପୂର୍ବ ଶତ୍ରୃତାରୁ ଏହି ଘଟଣା ଘଟିଥିବା କୁହାଯାଉଛି l ଆକ୍ରମଣରେ ଗୁରୁତର ଚାରିଜଣ କେନ୍ଦ୍ରାପଡା ମେଡିକାଲରେ ଚିକିତ୍ସିତ ହେଉଛନ୍ତି l ଘଟଣା ସମ୍ପର୍କରେ ଖବର ପାଇବା ପରେ ସମଲପୁର ଗାଁ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି l ଘଟଣାକୁ କିଛି ସମୟ ବିତି ଯାଇଥିଲେ ମଧ୍ୟ ପୋଲିସ କାହାକୁ ଗିରଫ କରି ନଥିବା ବେଳେ ଆହତଙ୍କ ପରିବାର ଅସନ୍ତୋଷ ପ୍ରକାଶ କରିଥିଲେ l ପୀଡିତା ଲକ୍ଷ୍ମୀପ୍ରିୟା ଏତଲାରେ ୧୦ ଜଣଙ୍କ ନାମ ଉଲ୍ଲେଖ କରିଛନ୍ତି l ଏନେଇ ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ସହ ୩ ଜଣଙ୍କୁ ଗିରଫ କରିଛି ପୋଲିସ ।

Also Read:୩ ଦିନ ପରେ ବନ୍ଦ ଘରୁ ଦମ୍ପତିଙ୍କ ଗଳିତ ମୃତଦେହ ଉଦ୍ଧାର, ସାଇଣ୍ଟିଫିକ୍ ଟିମର ତଦନ୍ତ