ବାହାଘରର ଦୁଇ ବର୍ଷ ପରେ ଜୀବନ ହାରିଦେଲେ ପ୍ରଭାତୀ, ଆଖି ଦାନ କଲେ ପରିବାର ଲୋକେ

ଭୁବନେଶ୍ୱର (କେନ୍ୟୁଜ୍‌) : କାନ୍ଦିବାକୁ ଚାହୁଁଛି ମା’ଟିଏ ହେଲେ କାନ୍ଦି ପାରୁନି । ଅପେକ୍ଷା କରିଛି ଝିଅକୁ । ଇଏ ଥିଲା ଭୁବନେଶ୍ୱର କ୍ୟାପିଟାଲ ହସପିଟାଲ ଶବ ବ୍ୟବଚ୍ଛେଦ ଗୃହ ନିକଟର ଦୃଶ୍ୟ । ଏତିକି ବେଳେ ପୋଷ୍ଟମର୍ଟମ ରୁମ୍‌ରୁ ଶବଟିଏ ବାହାରିଲା । ଆଉ କାନ୍ଦକୁ ଅଟକାଇ ରଖିଥିବା ମା’ଟି ଦୌଡ଼ି ଚାଲିଗଲା ଶବ ପାଖକୁ ।

ମୃତଦେହର ମୁଣ୍ଡକୁ ଧରି କପାଳରରେ ବୋକ ଦେଇ ଗେଲ ପରେ ଗେଲ କରି ଚାଲିଲେ । କାନ୍ଦି କାନ୍ଦି କହୁଥାନ୍ତି… ମୋତେ କିଏ ଆଉ ବୋଉ ବୋଲି ଡ଼ାକିବ ମୋ ଧନା ମୁଁ ତୋ ବିନା କେମିତି ବଞ୍ଚିବି ଲୋ ସୁନା । ସେଇ କାନ୍ଦିବା ଭିତରେ ଗୋଡ଼ ପାଖକୁ ଯାଇ ଆଉଁସି ପକାଇବା ବେଳେ ପରିବାର ଲୋକେ ତାଙ୍କୁ ଟାଣି ନେଉ ଥାଆନ୍ତି..ା ହେଲେ ତାଙ୍କ କାନ୍ଦକୁ ବା ରୋକିବ କିଏ । ସେମିତି ବାହୁନି ବାହୁନି କାନ୍ଦୁ ଥାନ୍ତି…ମୋତେ କିଏ ଦିନକୁ ଚାରିଥର ଫୋନ କରିବ, । ଏମିତି କହି କହି ଭୂଇଁ ଦରାଣ୍ଡି ଝିଅର ସବୁ କଥା ମନେପକାଇ ବାହୁନୁ ଥାନ୍ତି..।

ଏବେ ଆସନ୍ତୁ ଜାଣିବା ପୂରା ଘଟଣା କଣ । ମୃତ ମହିଳାଙ୍କ ବାପାଙ୍କୁ ପଚାରିବା ପରେ ଶୁଣିବାକୁ ମିଳିଲା ଆଉ ଏକ ଦୁଃଖଦାୟକ କାହାଣୀ । …ନାଁ ତାଙ୍କର କୃପାସିନ୍ଧୁ ଡାକୁଆ । ଘର ହେଉଛି ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଅନ୍ତର୍ଗତ ଲାଠିପଡ଼ା ଗାଁରେ । ଦୁଇ ବର୍ଷ ତଳେ ଝିଅ ପ୍ରଭାତୀ ଡାକୁଆଙ୍କୁ ନୟାଗଡ଼ ଜିଲ୍ଲାର ମାଛପଡ଼ା ଗାଁର ଜଣେ ଯୁବକଙ୍କ ସହ ବାହା ଦେଇଥିଲେ । ତେବେ ଅନେକ ସମୟରେ ସ୍ବାମୀ ସ୍ତ୍ରୀ ଭିତରେ ଘରୋଇ କଳି ଝଗଡ଼ା ଲାଗୁଥିଲା । ପରେ ସେମାନେ ଗାଁରୁ ଆସି ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଡମଣା ଅଞ୍ଚଳ ତାରେଣି ବସ୍ତିରେ ଘର ଭଡା ନେଇ ରହିଲେ। ଘଟଣା ଦିନ ସ୍ବାମୀ ସ୍ତ୍ରୀଙ୍କ ଭିତରେ କୌଣସି କଥାକୁ ନେଇ ପୁଣି ଝଗଡ଼ା ହୋଇଥିଲା। ଫଳରେ ପ୍ରଭାତୀ ଫ୍ୟାନରେ ନିଜ ଓଢ଼ଣୀ ଲଗାଇ ଜୀବନ ହରିଛନ୍ତି ବୋଲି ଶ୍ୱଶୁର କୃପାସିନ୍ଧୁଙ୍କୁ ଫୋନ କରି କହିଲେ ପ୍ରଭାତୀଙ୍କ ସ୍ବାମୀ । …ପରେ ପ୍ରଭାତୀଙ୍କ ଶବ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚିଲା। ତେବେ ପ୍ରଭାତୀଙ୍କ ଜୀବନ ହାରିବାକୁ ନେଇ ପରିବାର ଲୋକ ତାଙ୍କ ସ୍ୱାମୀଙ୍କୁ ଦାୟୀ କଲେ । ପୋଲିସ୍‌ରେ ଏତଲା ମଧ୍ୟ ଦେଲେ । ତେଣୁ ପୋଲିସ୍‌ ତାଙ୍କୁ ଗିରଫ କଲା ।

ହେଲେ ଝିଅ ସବୁଦିନ ପାଇଁ ହଜିଗଲା କୃପାସିନ୍ଧୁଙ୍କର । କେତେ ଆଶା ଓ ସ୍ୱପ୍ନ ଦେଖଇ ଝିଅ ବାହା ଦେଇଥିଲେ । କିନ୍ତୁ ସେଇ ଝିଅକୁ ଶେଷରେ ମଶାଣୀ ନେବାକୁ ହେଲା । ତଥାପି ଧୈର୍ଯ୍ୟ ରଖି ପରିବାର ଲୋକେ ଶବ ବ୍ୟବଚ୍ଛେଦ ପୂର୍ବରୁ ଝିଅ ପ୍ରଭାତୀର ଆଖିକୁ ଦାନ କରିଦେଲେ । … ଆମ ଝିଅ ସିନା ରହିଲାନି ହେଲେ ତା ଆଖି ତ ଆଉ କାହାର ଜ୍ୟୋତି ହୋଇ ଜଳିବ । ଏଇଆ ଥିଲା କୃପାସିନ୍ଧୁଙ୍କ ପରିବାର ମନରେ ।…

PRABHATI-2

ଏସବୁ ଭିତରେ କିନ୍ତୁ ଆମେ ଭୁଲି ଯାଉଛେ କି ଘରୋଇ କଳି ଓ ହିଂସା ଏବେ ସାଧାରଣ ଘଟଣା ହୋଇଗଲାଣି । ତା ସହିତ ଏମିତି ହତ୍ୟା ଓ ଆତ୍ମହତ୍ୟା । ଯାହା ଆମର ଅସହିଷ୍ଣୁତା ଏବଂ ଭୁଲ ନିଷ୍ପତ୍ତି ଯୋଗୁଁ ଘଟୁଛି । ଟିକେ ସହନଶୀଳତା ଓ ଧୈର୍ଯ୍ୟ ବଢ଼ାଇଲେ, ଶାନ୍ତ ମନରେ ଚିନ୍ତା କଲେ ଏଭଳି ଘଟଣାକୁ ନିଶ୍ଚୟ ଏଡ଼ାଇ ହେବ । ଯଦି ସମସ୍ୟା ଅଛି ତ ସମାଧାନର ବାଟ ବି ଅଛି । ଏହାର ସମାଧାନ ହତ୍ୟା କି ଆତ୍ମହତ୍ୟା ନୁହେଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.