କଙ୍ଗାରୁକୋର୍ଟରେ ମହିଳାଙ୍କୁ ଲଣ୍ଡା କରି ମଟନ ଭୋଜି ଖାଇଲେ ଜାତି ସମାଜର ଲୋକେ

ଝାରସୁଗୁଡ଼ା : ଯଦି ମଣିଷ ପାଖରେ ମଣିଷ ପଣିଆ ଟିକିଏ ନରୁହେ ବଞ୍ଚି ଥାଉ ଥାଉ ସେସବୁକୁ ହଜାଇ ବସେ ତାହେଲେ ଏ ସମାଜର ଅବସ୍ଥା କଣ ହେବ ତାହା ନକହିବା ଭଲ। ତେବେ ଆଜିର ଆଧୁନିକତା ଭିତରେ ଅନ୍ଧ ବିଶ୍ୱାସ ଯେମିତି ମଣିଷକୁ କରୁଛି ଅନ୍ଧ । ଜାତି ସମାଜ ନାରେ ଚାଲିଛି ଜୁଲମ । ଦିନକୁ ଦିନ ଏହି ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଲୋକେ ଅନେକ କିଛି କାଣ୍ଡ କରି ବସୁଛନ୍ତି, ଯାହା ସମଗ୍ର ମଣିଷ ଜାତିକୁ ନିନ୍ଦିତ କରୁଛି । କେତେବେଳେ କାହାର ଜୀବନ ନେଉଛନ୍ତି ତ ପୁଣି କେତେବେଳେ କାହାକୁ ଲଣ୍ଡା କରି ଖାସି ମାଂସ ଭୋଜି କରୁଛି ।
ଝାରସୁଗୁଡ଼ା ଜିଲ୍ଲା ଲଇକେରା ଥାନା ଅନ୍ତର୍ଗତ ରାଉତବାହାଲ ଗ୍ରାମରେ ଘଟିଛି ଏକ ହୃଦୟ ବିଦାରକ ଦୃଶ୍ୟ । ଜାତିପ୍ରଥା ନାମରେ ଚାଲିଛି କଙ୍ଗାରୁ କୋର୍ଟ । ଆଉ ଏହି କଙ୍ଗାରୁ କୋର୍ଟରେ ନ୍ୟାୟ ଦେବା ବଦଳରେ, ମହିଳାଙ୍କୁ ଲଣ୍ଡା କରି ଖାସି ମାଂସ ଭୋଜି କଲେ ଜାତି ସମାଜର ଲୋକେ । ସୂଚନାନୁସାରେ ରାଉତବାହାଲ ଗ୍ରାମରେ ସ୍ୱାମୀ ଓ ସ୍ତ୍ରୀଙ୍କର କୋୖଣସି କାରଣରୁ ଝଗଡ଼ା ହୋଇଥିଲା । ଯେଉଁ ଝଗଡ଼ାରେ ସ୍ତ୍ରୀ ଉତକ୍ଷିପ୍ତ ହୋଇ ସ୍ୱାମୀଙ୍କ ଉପରକୁ ହାତ ଉଠାଇ ଦେଇଥିଲେ ବୋଲି କୁହାଯାଉଛି । ତେବେ ଏହି କଥାକଚ ସହଜରେ ହଜମ କରିପାରିଲାନି ସ୍ୱାମୀ । ଏନେଇ ଘର କଳିକୁ ପଦାରେ ପକାଇବା ସହ ସ୍ୱାମୀ ଜଣକ ଏହି ଘଟଣାକୁ ନେଇ କଙ୍ଗାରୁକୋର୍ଟରେ ଅଭିଯୋଗ କଲେ । ତେବେ ଘଟଣାକୁ ନେଇ ଜାତି ସମାଜରେ ବୈଠକ ବସିଲା । ବୈଠକ ପରେ ଦଣ୍ଡ ମଧ୍ୟ ସ୍ଥିର କରାଗଲା ।
ଜାତି ସମାଜ ମୁଖିଆ ଓ ମହିଳାଙ୍କ ସ୍ୱାମୀ ସମ୍ମୁଖରେ ସ୍ତ୍ରୀଙ୍କୁ କରାଗଲା ଲଣ୍ଡା । ଏତିକି ମନ ବୁଝିଲାନି ଆଜ୍ଞା । ଜାତିରେ ପୁନଃ ପ୍ରବେଶ କରିବା ପାଇଁ ଖାସି ମାଂସ ଭୋଜି ବା ମଟନ ଭୋଜି ଦେବାକୁ ହେବ ବୋଲି ସମାଜ ପକ୍ଷରୁ ବାଧ୍ୟ କରାଯାଇଥିଲା । ଉକ୍ତ ପରିବାର ଜଣକ ଗରିବ ଶ୍ରେଣୀର ହୋଇଥିଲେ ମଧ୍ୟ ଜାତି, ସମାଜ କଥା ମାନି ଭୋଜି ମଧ୍ୟ ଦେଇଥିବା ଜଣାପଡିଛି । ତେବେ ଏହି କଥା ସେତେବେଳେ ପଦାକୁ ଆସିଲା ଯେତେବେଳେ ତାମିଲନାଡୁରେ କାମ କରୁଥିବା ଏହି ଦମ୍ପତିଙ୍କ ପୁଅ ଘରକୁ ଆସିଲେ । ମାଆ ଉପରେ ହୋଇଥିବା ଏହି ଅନ୍ୟାୟ ବିରୁଦ୍ଧରେ ସେ ସ୍ଵର ଉଠାଇଲେ । ତୁରନ୍ତ ଏନେଇ ଲଇକେରା ଥାନା ଦ୍ୱାରସ୍ଥ ହୋଇଥିଲେ । ପୋଲିସ ଏହି ଘଟଣାକୁ ନେଇ ଏକ ମାମଲା ରୁଜୁ କରି ୪ଜଣକୁ ଗିରଫ କରିଥିବା ସୂଚନା ମିଳିଛି ।
ଆଇନକୁ ଚାଲେଞ୍ଜ କରି କଙ୍ଗାରୁକୋର୍ଟରେ ଏବେ ବି ଚାଲିଛି ନ୍ୟାୟ ବିଚାର । ବାରମ୍ବାର ସଚେତନତା ସତ୍ତ୍ୱେ ଏଭଳି ଅବିଚାର ଘଟିଚାଲିଛି । ତେବେ ଏହି ଘଟଣାରେ ମହିଳାଙ୍କୁ ନ୍ୟାୟ ମିଳୁଛି କି ନାହିଁ ତାହା ସମୟ କହିବ ।