ଆଜିକୁ ୬ ବର୍ଷ ହେଲା ମିଳୁନି ଝିଅ, ଖୋଜି ଖୋଜି ବୁଢୀ ମା’ର ଅବସ୍ଥା ବେହାଲ୍

ଭଦ୍ରକ: ଝିଅକୁ ସାଙ୍ଗରେ ନେଇ ପୁରୀ ଯାଇଥିଲା ବୁଢ଼ୀ ମା’ । ଆଉ ସେଠାରେ ଜଗନ୍ନାଥଙ୍କ ସୁନା ବେଶ ଦେଖି ଫେରୁଥିବା ସମୟରେ ଭିଡ଼ ଭିତରେ ହଠାତ୍ ହାତ ଛାଡି ଦେଇଥିଲା କଥା କହିପାରୁନଥିବା ଝିଅଟି । ଆଉ ତାପରେ ଦେଖୁ ଦେଖୁ ବଦଳିଗଲା ଜୀବନର ମୋଡ । ଆଜିକୁ ୬ ବର୍ଷ ରୁ ଊର୍ଦ୍ଧ୍ୱ ସମୟ ବିତିଯାଇଥିଲେ ସୁଦ୍ଧା ଏଯାଏ ମିଳୁନି ଝିଅର ପତ୍ତା । ଏବେ ପରିଣତ ବୟସରେ ନିରାଶ୍ରୟା ମା’ ନିଜର ହଜିଲା ଝିଅକୁ ଖୋଜି ଖୋଜି ନ ପାଇ ଶେଷରେ ସବୁଦିନ ବାହୁନି ବାହୁନି କାନ୍ଦୁଛି । ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ସହରାଞ୍ଚଳ ଅଧିନସ୍ତ ଚରମ୍ପା ବରାଳ ପୋଖରୀ ଗାଁରେ ।

ଏହି ଗାଁର ନିରାଶ୍ରୟା ବୃଦ୍ଧା ଅନ୍ନପୂର୍ଣ୍ଣା ଧଡ଼ା । ବୟସ ୬୫ ବର୍ଷ । ସ୍ୱାମୀ ବହୁ ବର୍ଷ ପୂର୍ବରୁ ଆରପାରିରେ । ପରିବାର କହିଲେ ନିଜର ଏକ ମାତ୍ର ଝିଅ କମଳିନୀ । ଯିଏକି କଥା କହି ପାରେନି ତାସହ ସାନସିକ ରୂପେ ଟିକେ କମଯୋର । ଯାହାକୁ ନେଇ ଦୁଃଖ କଷ୍ଟରେ ରହୁଥିଲେ ଅନ୍ନପୂର୍ଣ୍ଣା । ତେବେ ଆଜିକୁ ୬ବର୍ଷ ପୂର୍ବେ ନିଜ ୪୦ବର୍ଷର ଝିଅକୁ ଜଗନ୍ନାଥଙ୍କ ସୁନା ବେଶ ଦର୍ଶନ କରାଇବା ପାଇଁ ମନ ବଳାଇଲା ବୁଢୀ ମା’ ଜଣକ । ଝିଅକୁ ଜଗା ଦର୍ଶନ କରାଇଲେ କାଳେ ତା ପାଟି ଖୋଲିଯିବ କି, ମନରେ ଏକଥା ଚିନ୍ତା କରିଥିଲା । ତେଣୁ ସେ ଗାଁରୁ ୟାକୁ ତାକୁ ମାଗି କିଛି ଟଙ୍କା ନେଇ ପୁରୀ ଯାଇଥିଲା ଝିଅକୁ ନେଇ । ଆଉ ପୁରୀରେ ପହଁଚି ବଡ଼ ଠାକୁରଙ୍କ ସୁନା ବେଶ ଦେଖି ଖୁସିରେ ମା’ ଝିଅ ହାତ ଧରାଧରି ହୋଇ ଭିଡ଼ ଭିତରେ ଫେରୁଥିଲେ ।

ହେଲେ ଏମିତି ବେଳେ ହଠାତ୍ ତାଙ୍କ ହାତ ଛାଡି ଦେଇଥିଲା ଝିଅ କମଳିନୀ । ଆଉ ସେହି ଦିନ ଠାରୁ ଝିଅ ନିଖୋଜ । ବୁଢୀ ମା’ ପୁରୀରେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲା କିନ୍ତୁ ଝିଅକୁ ଆଜି ପର୍ଯ୍ୟନ୍ତ ପାଇପାରିଲାନି । ମଝିରେ ମଝିରେ ଗାଁ ଲୋକଙ୍କ ସହାୟତାରେ ପୁରୀ ଯାଇ ଝିଅକୁ ଖୋଜୁଥିଲା ଏହି ବୃଦ୍ଧା ମା’ ଜଣକ, ହେଲେ ଏବେ ପରିଣତ ବୟସରେ ଆଉ ଯାଇପାରୁନାହିଁ । ଝିଅ କଥା ଚିନ୍ତା କରି କରି ବୁଢ଼ୀ ମା’ଟି ବିଭିନ୍ନ ସମୟରେ ବାହୁନି ବାହୁନି ହୋଇ କାନ୍ଦିବା ଛଡା ତା ପାଖରେ ଆଉ କିଛି ଉପାୟ ନାହିଁ ।

ନିଜର ଗୋଡ଼ ହାତ ପଡି ଗଲାଣି । ଠିକ୍ ଭାବେ ଚାଲି ମଧ୍ୟ ପାରୁ ନାହିଁ । ପରିଣତ ବୟସରେ ସାହାରା ବୋଲି ତାର କେହି ନାହିଁ । ଏପଟେ ଚଳିବା ପାଇଁ ଭତ୍ତା ଓ ଚାଉଳ ସରକାରଙ୍କ ପକ୍ଷରୁ ମିଳୁଛି । ବୁଢ଼ୀ ମା’ର ଏପରି ମାନସିକ ଓ ଶାରୀରିକ ଅବସ୍ଥା ଦେଖି ସମ୍ପର୍କୀୟ ଲୋକ ମାନେ ପ୍ରତିଦିନ କିଛି ଖାଇବାକୁ ଦେଉଛନ୍ତି ସତ କିନ୍ତୁ ନିଜ ରକ୍ତର ଝିଅକୁ ଭାବି ଭାବି ବୁଢ଼ୀ ମା’ ଦିନକୁ ଦିନ ଜରାଜୀର୍ଣ୍ଣ ହୋଇଗଲାଣି । ତେବେ ଝିଅର ନିଖୋଜ ସମ୍ପର୍କରେ ପୁରୀ ସିଂହଦ୍ୱାରା ଥାନାରେ ଏତଲା ଦିଆଯାଇଛି ଓ ତାର ଫଟୋ ମଧ୍ୟ ଦିଆ ଯାଇଛି । କିନ୍ତୁ ଏଯାଏ କିଛି ଖୋଜ ଖବର ମିଳିନାହିଁ ।

ତେବେ ଏଭଳି ଏକ ପରିସ୍ଥିତିରେ ବୁଢୀ ମା’ର ଦୁଃଖ ଦେଖି ସହିହେଉନି । କେଉଁଠି ଏବେ ତା ଝିଅ? କେମିତି ମିଳିବ ତା ଠିକଣା? ଏଇ ବୁଢୀ ମା’ଟିକୁ ଯଦି ଟିକେ ସହଯୋଗ କରିବା ତେବେ ହୁଏତ ତା ଝିଅ ମିଳିଯାଇପାରେ । ତେଣୁ ଝିଅଟିକୁ ଖୋଜିଆଣି ଏଇ ବୃଦ୍ଧା ମା’ ପାଖରେ ପହଁଚାଇ ଦେବାକୁ ସମସ୍ତେ ନିବେଦନ କରିଛନ୍ତି ।