କବର ଭିତରୁ ବାହାରିଲା ମୃତ ଶରୀର, ଏବେ ସତ ବାହାର କରିବ ପୋଲିସ୍

ଯାଜପୁର ଟାଉନ: କବର ଭିତରୁ ବାହାରିଲା ମୃତ ଶରୀର । ଏବେ ସତ ବାହାର କରିବ ପୋଲିସ୍ । କଥାଟା ଶୁଣି ଚକିତ ଲାଗୁଥିଲେ ବି ସତ । କବର ତଳୁ ସତ ବାହାର କରିବ ବିଞ୍ଝାରପୁର ପୋଲିସ୍ ।  ଯାଜପୁର ଜିଲ୍ଲା ବିଞ୍ଝାରପୁରରେ ସଂଖ୍ୟାଲଘୁ ମହିଳାଙ୍କୁ ହତ୍ୟା ଅଭିଯୋଗ । ଅଭିଯୋଗ ପରେ ମାଟିତଳୁ କବରରୁ ମୃତା ମହିଳାଙ୍କ ମୃତ ଶରୀର ବାହାର କରି ଏବେ ଛାନବିନ କରୁଛି ବିଞ୍ଝାରପୁର ପୋଲିସ୍ ।

ଅଭିଯୋଗ ମୁତାବକ, ପଶ୍ଚିମବଙ୍ଗର ମେଦିନାପୁର ଜିଲ୍ଲା ଦେବରା ଥାନା ଅଞ୍ଚଳର ଠିକାଦାର ରାଜାଉଲ୍ଲ ରେହମାନଙ୍କ ଝିଅ ରୋଜିନା ଖାତୁନ୍ । ବିଂଝାରପୁର ଥାନା କାଲାମହଲ୍ଲା ଗ୍ରାମର ସେକ ଇସହାକଙ୍କ ପୁଅ ସେକ ମୁସ୍ତକିମ ୨୦୧୭ ମସିହାରେ ବିବାହ କରିଥିଲେ ରୋଜିନା । ବିବାହ ସମୟରେ ବର ପକ୍ଷଙ୍କ ଦାବି ଅନୁଯାୟୀ କନ୍ୟା ପକ୍ଷ ନଗଦ ୪ ଲକ୍ଷରୁ ଅଧିକ ଟଙ୍କା, ୧୨୦ ଗ୍ରାମ ସୁନା ଅଳଙ୍କାର ସମେତ ଘରୋଇ ସାମଗ୍ରୀ ଦେଇଥିଲେ ।

କିନ୍ତୁ ବିଭିନ୍ନ ସମୟରେ ଶାଶୁ ଘର ଲୋକ ଅଧିକ ଯୌତୁକ ଦାବି କରି ରୋଜିନାଙ୍କୁ ମାନସିକ ନିର୍ଯ୍ୟାତନା ଦେଇଆସୁଥିଲେ । ତେବେ ହଠାତ୍ ଗତ ମାସ ୨୧ ତାରିଖ ରାତି ୧୧ଟାରେ ରୋଜିନାଙ୍କ ହାର୍ଟ ଆଟାକ୍ ରେ ଦେହାନ୍ତ ହୋଇଥିବା ନେଇ ରୋଜିନାଙ୍କ ସ୍ୱାମୀ ଫୋନ୍ କରି ଜଣାଇଥିଲେ । ଖବର ପାଇ ରୋଜିନାଙ୍କ ଘର ଲୋକ ତୁରନ୍ତ ଯାଇ ଘଟଣାସ୍ଥଳରେ ପହଁଚିଥିଲେ । ତେବେ ରୋଜିନାଙ୍କ କାନ ଏବଂ ବେକରେ କଳା ଦାଗ ଥିବା ଦେଖିବାକୁ ପାଇଥିଲେ ପରିବାର ଲୋକେ । ପଚାରିବାକୁ  ରୋଜିନାଙ୍କ ଶାଶୁ ଘର ଲୋକ କହିଥିଲେ ହାର୍ଟ ଆଟାକ୍  କାରଣରୁ ଏପରି ଦାଗ ହୋଇଛି । ତେବେ ଘଟଣାକୁ ଏତେ ଗୁରୁତର ନନେଇ ଶେଷର ରୋଜିନାଙ୍କର ଶେଷ କର୍ମ କରାଯାଇଥିଲା ।

ତେବେ ଝିଅ ଯିବା ପରେ ପରିବାର ଲୋକେ ଜ୍ୱାଇଁକୁ ଯେତେ ଫୋନ୍ କରିଥିଲେ ସୁଦ୍ଧା ସେ ଉଠାଇନଥିଲେ । ଶେଷରେ ରୋଜିନାଙ୍କ ବାପଘର ଲୋକେ ରୋଜିନାଙ୍କ ପିଲା ଛୁଆଙ୍କୁ ଦେଖିବାକୁ ଶେଷରେ ଜ୍ୱାଇଁ ଘରେ ଯାଇ ପହଁଚିଥିଲେ । କିନ୍ତୁ ଜ୍ୱାଇଁ ନିଜ ପିଲାକୁ ଧରି ଚମ୍ପଟ ମାରିଥିଲା । ଯାହାଫଳରେ ରୋଜିନାଙ୍କ ମୃତ୍ୟୁକୁ ନେଇ ପରିବାର ଲୋକଙ୍କର ସନ୍ଦେହ ବଢିଥିଲା ।

ତେଣୁ ହତ୍ୟା କରାଯାଇଥିବା ପରିବାର ପକ୍ଷରୁ ଗତ ଶନିବାର ବିଞ୍ଝାରପୁର ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି କରି ପୋଲିସ୍ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଗତକାଲି ମାଜିଷ୍ଟ୍ରେଟ ଓ ସାଇଣ୍ଟିଫିକ ଟିମ୍ ସହିତ କବର ଦିଆଯାଇଥିବା ମାଟିତଳୁ ମୃତ ଶରୀର ଜବତ କରି ବ୍ୟବଛେଦ ପାଇଁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଇ ତଦନ୍ତ ଆରମ୍ଭ କରିଛି । ଏପଟେ ରୋଜିନାଙ୍କ ଶାଶୁ ଘର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନଥିବାବେଳେ, ଦେଖିବାକୁ ବାକି ରହିଲା କବର ତଳୁ ସତ ବାହାର କରିବାରେ ପୋଲିସ୍ କେତେଦୁର ସଫଳ ହେଉଛି ।