ମାସ୍କ ଚେକିଂ ସମୟରେ ଲଙ୍କାକାଣ୍ଡ, ପୁଲିସ ଠେଙ୍ଗାରେ ମହିଳାଙ୍କ ଫାଟିଲା ମୁଣ୍ଡ

କଟକ (କେନ୍ୟୁଜ୍‌) : ପୋଲିସର ମାସ୍କ ଚେକିଂ ସମୟରେ ଖଣ୍ଡଯୁଦ୍ଧ। କଟକ ଜିଲ୍ଲା ଓଲଟପୁର ଥାନା ଅଧୀନ ଅଡ଼ଶପୁର ବଜାରରେ ପୁଲିସର ମାସ୍କ ଚେକିଂ ସମୟରେ ଲଙ୍କାକାଣ୍ଡ। ମାସ୍କ ଚେକିଂ ବେଳେ ଜଣେ ମହିଳାଙ୍କୁ ପୁଲିସ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏହା ପରେ ସ୍ଥାନୀୟ ଅଂଚଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ପରିସ୍ଥିତି ଏମିତି ହୋଇଗଲା ଯେ ପୁଲିସ ଓ ଜନତାଙ୍କ ମଧ୍ୟରେ ଧସ୍ତାଧସ୍ତି ଆରମ୍ଭ ହୋଇଗଲା। ଏହାପରେ ଉତ୍ତ୍ୟକ୍ତ ଲୋକେ ନିଆଁ ଜାଳି ରାସ୍ତା ଅବରୋଧ କରିଥିଲେ। ଘଟଣାସ୍ଥଳରେ କଟକ ସଦର ଉପଖଣ୍ଡ ଅଧିକାରୀ ପହଁଚି ଆହତ ମହିଳାଙ୍କୁ ଡାକ୍ତରଖାନା ପଠାଇଥିଲେ। ଲୋକଙ୍କୁ ବୁଝାସୁଝା କରିବା ପରେ ଲୋକମାନେ ରାସ୍ତା ଅବରୋଧରୁ ହଟିଥିଲେ।

ସୂଚନା ଅନୁସାରେ, ଜଣେ ଯୁବକ ତାଙ୍କ ପତ୍ନୀଙ୍କ ସହ ଛୋଟ ପୁଅକୁ ନେଇ ବାଇକରେ ଡାକ୍ତରଖାନା ଯାଉଥିଲେ। ତେବେ ବାଟରେ ସେମାନଙ୍କ ବାଇକକୁ ପୁଲିସ ଅଟକାଇଥିଲା । ମାସ୍କ ପିନ୍ଧିନଥିବା ଅଭିଯୋଗରେ ତାଙ୍କୁ ଜରିମାନା ଦେବାକୁ କହିଥିଲେ। ତେବେ ତାଙ୍କ ମୁହଁରେ ରୁମାଲ ଓ ତାଙ୍କ ପତ୍ନୀଙ୍କ ମୁହଁରେ ଶାଢ଼ୀ ରହିଥିବାରୁ କାହିଁକି ଜୋରିମାନା ଦେବେ ଯୁବକ ଜଣକ ପାଲଟା ପ୍ରଶ୍ନ କରିଥିଲେ। ଏହାପରେ ପୁଲିସ ତାଙ୍କୁ ମାଡ ମାରିଥିବା ଅଭିଯୋଗ କରିଛନ୍ତି ସଂପୃକ୍ତ ଯୁବକ। ତାଙ୍କ ପତ୍ନୀ ପ୍ରତିବାଦ କରିବାରୁ ପୁଲିସ ଗାଡି ଡ୍ରାଇଭର ମାଡ ମାରି ମୁଣ୍ଡ ଫଟାଇ ଦେଇଥିବା ସେ ଅଭିଯୋଗ କରିଛନ୍ତି ।

ତେବେ ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଗ୍ରାମାଞ୍ଚଳ ଏସପି ବି.ଯୁଗଳ କିଶୋର। ସେ କହିଛନ୍ତି ଘଟଣାର ତଦନ୍ତ ଚାଲିଛି। ଏସଡିପିଓ ଘଟଣାର ତଦନ୍ତ କରୁଛନ୍ତି। ତଦନ୍ତ ଆଧାରରେ କାର୍ଯ୍ୟାନୁଷ୍ଠନ ଗ୍ରହଣ କରାଯିବ ବୋଲି କହିଛନ୍ତି ଏସପି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.