ଚୋରା ଦେଶୀ ମଦ କାରବାରକୁ ବିରୋଧ କରିବାରୁ ମହିଳାଙ୍କ ପରିବାର ଉପରେ ଆକ୍ରମଣ

ଯାଜପୁର : ଚୂଲି ପାଖରେ ଫୋପଡ଼ା ଯାଇଛି ରନ୍ଧା ଭାତ । ପୂରା ପରିବାର ଦାଣ୍ଡରେ କରୁଛନ୍ତି ହୋ ହାଲ୍ଲା ପାଟି ତୁଣ୍ଡ । ଏ ଚିତ୍ର ଘରୋଇ କଳହର ନୁହେଁ । ଜଣକ ଘରେ ଏଭଳି କାଣ୍ଡ କରିଛନ୍ତି ଜଣେ ମଦ ବ୍ୟବସାୟୀ । ଶାଶୂ ବୋହୂ ଅଭିଯୋଗ ଆଣି ପ୍ରଶାସନଙ୍କୁ ମାଗୁଛନ୍ତି ନ୍ୟାୟ।
ଗାଁ ରେ ବେଧଡ଼କ ଚାଲିଛି ଚୋରା ଦେଶୀ ମଦ କାରବାର । ହାତ ପାହାନ୍ତାରେ ମିଳିଯାଉଥିବାରୁ ମଦ୍ୟପଙ୍କ ଖୁସି କହିଲେ ନ ସରେ । ମଦ ପିଇ ଗାଁରେ ଆତଙ୍କ ଖେଳାଇଛି । ଛକ ବଜାର ଓ ଗାଁ ଗଣ୍ଡାରେ ଏହି ଦେଶୀ ମଦ ମିଳି ଯାଉଥିବାରୁ ଏହି କାରବାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଫଳରେ ମଦ୍ୟପଙ୍କ ସଂଖ୍ୟା ବୃଦ୍ଧି ପାଇବା ସହ ସ୍ଥାନୀୟ ଲୋକେ ଏହାର ଶିକାର ହେଉଛନ୍ତି । ଖାଲି ସେତିକି ନୁହେଁ ସ୍କୁଲ ଓ ଅଙ୍ଗନବାଡି ପରିସରରେ ଏହି ଚୋରା ମଦ କାରବାର ବୃଦ୍ଧି ପାଉଥିବା ନେଇ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏହାକୁ ବିରୋଧ କଲେ ଆକ୍ରମଣର ଶିକାର ହେବାକୁ ପଡୁଛି । ଏପରିକି ବିରୋଧ କରିବାକୁ ଯାଇ ଜଣେ ମହିଳା ଓ ତାଙ୍କ ପରିବାର ଉପରେ ଆକ୍ରମଣ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଏବେ ଭୟଭିତ ଅବସ୍ଥାରେ ଅଛନ୍ତି ଆକ୍ରମଣର ଶିକାର ହୋଇଥିବା ପରିବାର । ଏଭଳି ଅଭିଯୋଗ ଆସିଛି ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ବାରବାଟି ପଂଚାୟତ ବେତଣ୍ଡା ଗାଁରୁ ।
ତେବେ ଏହି ଗାଁରେ ରହିଛି ସରକାରୀ ବିଦ୍ୟାଳୟ ସହ କୋମଳମତି ଶିଶୁ ପାଇଁ ଏକ ଅଙ୍ଗନବାଡି କେନ୍ଦ୍ର। ଏଥିସହ ନିକଟରେ ମନ୍ଦିର ଓ ଜନବସତି ରହିଛି । ବିଦ୍ୟାଳୟ ଓ ଅଙ୍ଗନବାଡି ପାଚେରୀ ନିକଟରେ ଚୋରାରେ ଦେଶୀ ମଦ ଆଣି ଏକ କୁଡିଆ ଓ ଗଛ ମୂଳରେ ବେଧଡ଼କ ବିକ୍ରୀ କରାଯାଉଛି। ଫଳରେ ଏହାର କୁପ୍ରଭାବ ପଡିବା ସହ ମଦ୍ୟପଙ୍କ ଉତ୍ପାତ ବଢ଼ିବାରେ ଲାଗିଛି । ଫଳରେ ଗ୍ରାମର ମହିଳା ରଶ୍ମିତା ମଲିକ ଏଠାରେ ମଦ ବିକ୍ରୀକୁ ବିରୋଧ କରିବାରୁ ଘରେ କେହି ନ ଥିବାର ସୁଯୋଗ ନେଇ ଉକ୍ତ ମହିଳାଙ୍କୁ ଚୋରା ମଦ ବେପାରରେ ଲିପ୍ତ ଥିବା ଗାଁର ସୁକାନ୍ତ ମଳିକ,ରିବନ୍ଦ୍ର ମଳିକଓ ମଦନ ମଳିକ ଆକ୍ରମଣ କରିଥିଲେ । ଫଳରେ ମହିଳା ଜଣକ ଧର୍ମଶାଳା ଥାନାରେ ଅଭିଯୋଗ କରିଥିଲେ ।
ଅଭିଯୋଗ ପରେ ଚୋରା ମଦ ବେପାରୀ ଉତ୍ୟକ୍ତ ହୋଇ ଥାନାରେ କାହିଁ ଅଭିଯୋଗ କଲ ବୋଲି କହି ରଶ୍ମିତାର ସ୍ୱାମୀ ତପନ ମଲିକଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଫଳରେ ବାଧ୍ୟ ହୋଇ ତାଙ୍କ ପରିବାର ପୁଣି ଥାନାର ଦ୍ୱାରସ୍ଥ ହୋଇଥିଲେ । ପୋଲିସ ଏହି ଘଟଣାର ତଦନ୍ତ କରୁଥିବା ବେଳେ ପୂରା ପରିବାର ଏବେ ଭୟଭିତ ଅବସ୍ଥାରେ । ଏପଟେ ଚୋରା ମଦ ବେପାରୀଙ୍କ ବିରୋଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଆଜି ଗ୍ରାମବାସୀମାନେ ଏକାଠି ହୋଇ ଦାବି କରିଛନ୍ତି ।
Also Read:ରାସନ କାର୍ଡ ନିୟମକୁ ନେଇ ଚିନ୍ତାରେ ଶହ ଶହ ହିତାଧିକାରୀ, ଲୁହ ଗଡ଼ାଉଛନ୍ତି ମହିଳା