ଚାଲିଗଲା ମହିଳାଙ୍କ ଜୀବନ, ତଦନ୍ତ କରୁଛି ପୋଲିସ୍

ମରଶରୀର ପାଖରେ ଜଗି ବସିଛନ୍ତି ଘର ଲୋକେ । ନିରୁପାୟ ହୋଇ ଥାନାର ଦ୍ବାରସ୍ତ ହୋଇଛନ୍ତି । ତାଙ୍କ ଝିଅର ଜୀବନ ଯାଇଛି । କେମିତି ବା ଚୁପ ବସିବେ । ଆଉ ଶାଶୁଘର ଲୋକଙ୍କ ନାଁରେ ଝିଅ ଘର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି । ପ୍ରତି ଘରେ କଳି ଝଗଡ଼ା ହୁଏ କିନ୍ତୁ ଏହି ଝଗଡ଼ାରେ କେତେ ଲୋକଙ୍କ ଅମୂଲ୍ୟ ଜୀବନ ଯାଉଛି ନକହିବା ଭଲ । ଆଜି ବି ଜଣେ ମହିଳାଙ୍କ ଜୀବନ ଯାଇଛି ତା ପୁଣି ଘରୋଇ କଳିରୁ ।

ସୂଚନା ଅନୁସାରେ ଋଣ କିସ୍ତି ଟଙ୍କା ଦେବାକୁ ନେଇ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ହୋଇଥିଲା ବଚସା। ଏହି ବଚସା ଯେ ଉଗ୍ର ରୂପ ନେବ କେହି କେବେ କଳ୍ପନା ବି କରି ନଥିଲେ । ମହିଳା ଜୀବନ ହାରିଥିବା ଶାଶୁଘର ଲୋକେ କହୁଥିବାବେଳେ ଝିଅର ପରିବାର ଲୋକ ଆଣିଛନ୍ତି ହତ୍ୟା ଅଭିଯୋଗ । ଭଦ୍ରକ ଗ୍ରାମାଞ୍ଚଳ ଥାନା ବେତଡା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନସ୍ତ ରାଜପୁର ତିହିଡିର ଶଙ୍କର୍ଷଣ ନାୟକଙ୍କ ଝିଅ କୁମୁଦୁନି ନାୟକଙ୍କୁ ବେତଡା ଗାଁର ମାନସ ନାୟକ ଆଜିକୁ ୨୦ ବର୍ଷ ପୂର୍ବେ ବିବାହ କରିଥିଲେ । କୁମୁଦୁନି ଓ ମାନସଙ୍କର ୪ ଟି ଝିଅ ମଧ୍ୟ ଅଛନ୍ତି ।

ତେବେ ବିଭିନ୍ନ ଘରୋଇ ଅର୍ଥ ଲଗାଣ କାରି ସଂସ୍ଥା ପକ୍ଷରୁ କୁମୁଦୁନି ଋଣ ଆକାରରେ ଟଙ୍କା ଆଣିଥିଲେ । ଆଉ ମାସକୁ ମାସ ଟଙ୍କା ସୁଝୁଥିଲେ । ତେବେ ଗତ ଦୁଇ ମାସ ହେଲା ସେହି ଋଣ କିସ୍ତି ଟଙ୍କା ଦେଇପାରି ନାହାନ୍ତି କୁମୁଦୁନି । ଏହାକୁ ନେଇ ଉଭୟ କୁମୁଦିନୀ ଓ ତାଙ୍କ ସ୍ୱାମୀ ମାନସଙ୍କ ମଧ୍ୟରେ ପାଟି ତୁଣ୍ଡ ହୋଇଥିଲା । ସେପଟେ ଘରୋଇ ଅର୍ଥ ଲଗାଣକାରି ସଂସ୍ଥାର କର୍ମଚାରୀମାନେ ଟଙ୍କା ପଇଠ ପାଇଁ ବାରମ୍ବାର ଫୋନ କରୁଥିଲେ ।

ଏହାରି ଭିତରେ କୁମୁଦୁନିଙ୍କର ମୃତ୍ୟୁ ହୋଇଥିବା ନେଇ ଜଣାପଡ଼ିଛି । ତେବେ  ମୃତ ମହିଳାଙ୍କ ଭାଇ ଏନେଇ ମୁହଁ ଖୋଲିଥିବା ବେଳେ ଶାଶୁଘର ଲୋକଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ଅଭିଯୋଗ ପାଇବା ପରେ ଡାକ୍ତରଖାନାରେ ପହଞ୍ଚି ମୃତ ଶରୀରକୁ ବ୍ୟବଛେଦ ପାଇଁ ପଠାଇବା ସହିତ ଗାଁକୁ ଯାଇ ତଦନ୍ତ ଆରମ୍ଭ କରିଛି । ପ୍ରକୃତରେ କୁମୁଦୁନି ନିଜେ ଋଣ ଭାର ସହିତ ସ୍ୱାମୀଙ୍କ ନିର୍ଯାତନା ସହି ନ ପାରି ଜୀବନ ହାରିଛନ୍ତି ନା ତାଙ୍କୁ ଯୋଜନା ବଦ୍ଧ ଭାବେ ହତ୍ୟା କରାଯାଇଛି ତାହା ପୋଲିସର ତଦନ୍ତ ପରେ ହିଁ ଜଣା ପଡିବ ।