ନର୍ସିଂହୋମରେ ପ୍ରବଳ ଭଙ୍ଗାରୁଜା, ଚିକିତ୍ସାରେ ଅବହେଳା ପାଇଁ ମହିଳାଙ୍କ ଜୀବନ ଯାଇଥିବା ଅଭିଯୋଗ

ଜଣେ ପ୍ରସୂତିଙ୍କ ହଠାତ ମୃତ୍ୟୁକୁ ନେଇ ଦେଖାଯାଇଛି ଉତ୍ତେଜନା । ନର୍ସିଂ ହୋମରେ ଥିବା ଜିନିଷ ଭଙ୍ଗାରୁଜା କରିବା ସହ ଡାକ୍ତରଙ୍କ ଗାଡ଼ି ଭାଙ୍ଗିଛନ୍ତି ମୃତକଙ୍କ ସମ୍ପର୍କୀୟ । ମେଡିକାଲ କର୍ତ୍ତୃପକ୍ଷ ନ ଆସିବା ଯୋଗୁଁ ଦେଖାଯାଇଥିଲା ପ୍ରବଳ ଉତ୍ତେଜନା ।

ଛୁଆକୁ ଜନ୍ମ ଦେଲା ସିନା ମା’ । କିନ୍ତୁ ଛୁଆକୁ ଭଲ କରି ଦେଖିବା ପୂର୍ବରୁ ମା’ ଏ ଦୁନିଆ ଛାଡ଼ି ଚାଲିଗଲା । ଆଉ ପ୍ରସୂତିଙ୍କ ଏମିତି ଅବେଳ ମୃତ୍ୟୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି । କାରଣ ଛୁଆକୁ ଜନ୍ମଦେବା ପରେ ମହିଳାଜଣକ ଠିକ୍ ଠାକ୍ ଥିଲେ । କିନ୍ତୁ ନର୍ସିଂ ହୋମରେ ଥିବା କର୍ମଚାରୀଙ୍କ ଚିକିତ୍ସାରେ ଅବହେଳା ପାଇଁ ମହିଳାଙ୍କ ଜୀବନ ଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ ।

ଏଭଳି ଘଟଣା ଘଟିଛି ଭଦ୍ରକ ସହରର ଏକ ଘରୋଇ ନର୍ସିଂ ହୋମରେ । ଆସୁରାଲି ଅଞ୍ଚଳର ଦେବସ୍ମିତା ଜେନା ଦ୍ଵିତୀୟ ସନ୍ତାନ ପାଇଁ ଏହି ନର୍ସିଂ ହୋମରେ ଭର୍ତ୍ତି ହୋଇଥିଲେ । କିନ୍ତୁ ଅପରେସନ ପରେ ନବଜାତ ଶିଶୁ କନ୍ୟାର ମା’ଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଛନ୍ତି ପରିବାର । ତେବେ ଭୁଲ ଅପରେସନ ପାଇଁ ମହିଳାଙ୍କ ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକେ ଘଟଣାସ୍ଥଳରେ ଭଙ୍ଗା ରୁଜା କରିଛନ୍ତି । ଏପରିକି ପୋଲିସ ଉପସ୍ଥିତିରେ ଉତ୍ତେଜନା କମିବାର ନାଁ ନେଉନଥିଲା ।  ତେଣୁ ସେଠାରେ ଉପସ୍ଥିତ ଥିବା ଅନ୍ୟ ସ୍ଥାନୀୟ ଲୋକେ ମୃତକଙ୍କ ସମ୍ପର୍କୀୟଙ୍କୁ ମାଡ ମାରିଥିବା ମଧ୍ୟ ଜଣାପଡ଼ିଛି । ଏପଟେ ପୋଲିସ୍ ସହ ଅତିରିକ୍ତ ଏସପି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ପୋଲିସ ତ ଘଟଣାର ତଦନ୍ତ କରିବ ନିଶ୍ଚିୟ । କିନ୍ତୁ ଏବେ କୁନି ଛୁଆର କଣ ହେବ । ଦୁନିଆ ବିଷୟରେ ଜାଣିବା ପୂର୍ବରୁ ତା ମୁଣ୍ଡ ଉପରୁ ମା’ର ହାତ ଉଠିଗଲା । ଏପଟେ ଝିଅକୁ ହରାଇ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ପରିବାରବର୍ଗ ।