ଦକ୍ଷତା ବିକାଶ କ୍ଷେତ୍ରରେ ଦୁଇପାଦ ଆଗେଇ ସଫଳତା ସାଉଁଟୁଛନ୍ତି ଆଦିବାସୀ ଯୁବତୀ । ଆର୍ଥିକ ଅନାଟନ ପାଇଁ ଅଧାରୁ ପାଠ ଛାଡିଥିଲେ କିନ୍ତୁ ଉନ୍ନତମାନର ତାଲିମ ପାଇବା ପରେ ନିଯୁକ୍ତି ପାଇ ବାପା ମାଆଙ୍କ ମୁହଁରେ ହସ ଫୁଟାଇ ପାରିଛନ୍ତି । ରାୟଗଡା ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଆଦିବାସୀ ଯୁବତୀମାନଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରୁଛି ରାମକୃଷ୍ଣ ମିଷନ । ରାୟଗଡା ଜିଲ୍ଲାର ହାଟମୁନିଗୁଡାଠାରେ ଥିବା ରାମକୃଷ୍ଣ ମିଶନଠାରେ ଖୋଲାଯାଇଛି ସିଲେଇ ତାଲିମ କେନ୍ଦ୍ର । ଏଠାରେ ବିନା ମୂଲ୍ୟରେ ପ୍ରଶିକ୍ଷଣ ସହିତ ନିଃଶୁଳ୍କ ରହିବା ଖାଇବା ବ୍ୟବସ୍ଥା କରାଯାଇଛି । ଏହି ତାଲିମ କେନ୍ଦ୍ରରେ ପାଞ୍ଚ ଜଣ ଶିକ୍ଷୟିତ୍ରୀ ୩୧ ଗୋଟି ଅତ୍ୟାଧୁନିକ ସିଲେଇ ମେସିନରେ ୪୫ ଦିନ ଧରି ତାଲିମ ଦିଅନ୍ତି । ତାଲିମ ପାଇବା ପରେ ସେମାନେ ପରୀକ୍ଷା ଦିଅନ୍ତି ପରେ ନିଯୁକ୍ତିର ସୁଯୋଗ ମିଳେ ।
ରେମଣ୍ଡ ଏବଂ ଜିଲ୍ଲା ଦକ୍ଷତା ବିକାଶ ବିଭାଗର ସହଯୋଗ ଯୋଗୁଁ ଶହେ ଜଣ ଯୁବତୀଙ୍କୁ ଏପର୍ଯ୍ୟନ୍ତ ତାଲିମ ପରେ ବାଙ୍ଗଲୋରଠାରେ ଚାକିରୀର ସୁବିଧା ଯୋଗାଇ ଦିଆଯାଇଛି। ବିନା ମୂଲ୍ୟରେ ଖାଇବା ଏବଂ ରହିବା ସୁବିଧା ସହ ଏହି ଛାତ୍ରୀମାନେ ଚାକିରି କରି ୧୬ ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରି ପାରୁଛନ୍ତି । ଏଭଳି ୧୦୦ରୁ ଉର୍ଦ୍ଧ ଛାତ୍ରୀ ଚାକିରୀ ପାଇବା ପରେ ଜିଲ୍ଲାର ଅଶିକ୍ଷିତ ଝିଅମାନେ ସିଲେଇରେ ତାଲିମ ନେବା ପାଇଁ ଆଗଭର ହୋଇପଡିଛନ୍ତି। ଜିଲ୍ଲା ଦକ୍ଷତା ବିକାଶ ବିଭାଗ ଅଧିକାରୀଙ୍କ କହିବାନୁସାରେ ଜିଲ୍ଲାରୁ ୪୧୦ ଜଣ ଛାତ୍ରୀଙ୍କୁ ତାଲିମ ସହ ଚାକିରି ଯୋଗାଇ ଦେବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।
ଯୁବତୀଙ୍କୁ କୁଶଳୀ କାରିଗରଭାବେ ଗଢିଚୋଳିବା ସହିତ ସେମାନଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିବା କୌଣସି ସଫଳତା ଠାରୁ କମ ନୁହେଁ । ଆଗାମୀ ଦିନରେ ଏହି ପ୍ରକ୍ରିୟା ଜାରି ରହିଲେ ବହୁ ବେକାର ଯୁବତୀ ସମାଜର ମୁଖ୍ୟ ସ୍ରୋତରେ ନିଜକୁ ସାମିଲ କରିପାରିବେ ।