ୠଣ କରି କିସ୍ତି ଶୁଝିଥିଲେ ମହିଳା, ହେଲେ ଟଙ୍କା ଜମା ହେଇନି କି ୠଣ ବି ଶୁଝିନି

ଜଳେଶ୍ୱର : ତାତିଛନ୍ତି ମହିଳା । ଖାଲି ହୋହଲ୍ଲା କଲେନି, ସେମାନଙ୍କ ସହ ଦୁର୍ବ୍ୟବହାର କରିଥିବା କର୍ମଚାରୀଙ୍କୁ ଭଲକି ଛେଚିଲେ । ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ଜାମକୁଣ୍ତା ଛକ ନିକଟରେ ଘଟିଛି ଏହି ଘଟଣଶ । ଏଠାରେ ଥିବା ଏକ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥା ସାମ୍ନାରେ ମହିଳାମାନେ ବିକ୍ଷୋଭ କରିଥିଲେ । ସଂସ୍ଥା ର କର୍ମଚାରୀମାନେ ମହିଳାମାନଙ୍କୁ ଗାଳି ଗୁଲଜ ଏବଂ ଠେଲାପେଲା କରିଥିବା ନେଇ ଅଭିଯୋଗ ହୋଇଥିଲା । ସେପଟେ କର୍ମଚାରୀମାନେ ଭିତର ପଟୁ କବାଟ ବନ୍ଦ କରି କାର୍ଯ୍ୟାଳୟ ଭିତରେ ଲୁଚିଲେ । ସେମାନେ ବାହାରକୁ ବାହାରିବା ପରେ କର୍ମଚାରୀଙ୍କୁ ନିସ୍ତୁକ ପିଟିଲେ ମହିଳା ଗୋଷ୍ଠୀ ।

ଯାହା ଖବର ରହିଛି, ଦୀର୍ଘ ବର୍ଷ ଧରି ଏହି ସଂସ୍ଥା ମହିଳା ଗୋଷ୍ଠୀଙ୍କୁ ୠଣ ଦେଇ କିସ୍ତି ଆକାରରେ ଟଙ୍କା ଆଦାୟ କରୁଥିଲା । ତେବେ ଗତ କିଛି ମାସ ଧରି ସିଂଲା ଥାନା ଅନ୍ତର୍ଗତ କଷାଫଳ ଗାଁର ମହିଳାମାନେ ୠଣ ନେଇ ଏହି ସଂସ୍ଥାର ଏଜେଣ୍ଟ ଙ୍କୁ କିସ୍ତି ବାବଦ ଟଙ୍କା ଦେଇ ଥିଲେ । ତେବେ ଏଜେଣ୍ଟ କିନ୍ତୁ ମହିଳାମାନଙ୍କୁ ଏ ବାବଦ କୌଣସି ରସିଦ ଦେଇ ନଥିଲେ । କିସ୍ତି ଟଙ୍କା ମଧ୍ୟ ଅଫିସରେ ଜମା କରି ନଥିଲେ । ଯାହା ଫଳରେ ପୁଣି ଅନ୍ୟ ସଂସ୍ଥାରୁ ୠଣ ନେବା ପାଇଁ ମହିଳାମାନେ ଆବେଦନ କରିବା ବେଳେ ଅନଲାଇନରେ ୠଣ ଖିଲାପୀ ଦେଖାଇଲା । ଖିଲାପୀ ତାଲିକାରେ ସେମାନଙ୍କ ନାମ ଥିବାରୁ ଆଉ ୠଣ ମିଳିବ ନାହିଁ ବୋଲି ସେମାନଙ୍କୁ କୁହାଗଲା ।

ଏକଥା ଜାଣିବା ପରେ ଘଟଣାର ସତ୍ୟତା ଯାଞ୍ଚ କରିବା ପାଇଁ ମହିଳାମାନେ ଜାମକୁଣ୍ତା ଛକ ସ୍ଥିତ କାର୍ଯ୍ୟାଳୟକୁ ଆସିଥିଲେ । ମ୍ୟାନେଜରଙ୍କ ଦେଖା ନପାଇ ସେମାନଙ୍କ ଠାରୁ ଟଙ୍କା ଆଣିଥିବା ଏଜେଣ୍ଟଙ୍କୁ ଏବାବଦରେ ପଚାରିଲେ । ତେବେ ଅଭିଯୋଗ ଅନୁଯାୟୀ କର୍ମଚାରୀମାନେ ମହିଳାମାନଙ୍କୁ ଗାଳି ଗୁଲଜ କରିବା ସହ ଠେଲାପେଲା କରିଥିଲେ । ଏଥିରେ ଭୀଷଣ ରାଗି ଯାଇ ମହିଳା ଗୋଷ୍ଠୀ କର୍ମଚାରୀଙ୍କୁ ନିସ୍ତୁକ ପିଟି ଥିଲେ ବୋଲି କୁହାଯାଉଛି । ଏନେଇ ମହିଳା ଗୋଷ୍ଠୀ ପକ୍ଷରୁ ସିଂଲା ଥାନାରେ ଲିଖିତ ଅଭିଯୋଗ ହୋଇଥିବା ବେଳେ ଫାଇନାନ୍ସ ସଂସ୍ଥାର ମ୍ୟାନେଜରଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ ।

ତେବେ ତଦନ୍ତ ପରେ ଯାଇ ସ୍ପଷ୍ଟ ହେବ ଘଟଣା ପଛର ରହସ୍ୟ । ଏଜେଣ୍ଟ କିସ୍ତି ଟଙ୍କା ନେଇ କଣ କଲେ ? ଏଥିରେ କିଛି ଘୋଟାଲା ହୋଇଛି କି ? ଏସବୁ ଜଣାପଡ଼ିବ । ଅବଶ୍ୟ ଘଟଣାକୁ ନେଇ ପୋଲିସ୍ କିଛି ପ୍ରତିକ୍ରିୟା ରଖି ନାହିଁ ।ଅନ୍ୟପଟେ ଗରିବ ମହିଳାମାନଙ୍କ ଆର୍ଥିକ ମେରୁଦଣ୍ଡ ସଶକ୍ତ କରିବା ପାଇଁ ୠଣ ଦେଉଥିବା ସଂସ୍ଥା ମଧ୍ୟ ଭରସାଯୋଗ୍ୟ ଏଜେଣ୍ଟ ରଖିବା ଦରକାର । ସେହିପରି ୠଣ ନେଉଥିବା ମହିଳାମାନେ ମଧ୍ୟ ସଚେତନ ହୋଇ କିସ୍ତି ପଇଠ କରିବା ପରେ ରସିଦ୍ ଦାବି କରିବା ଉଚିତ । କାରଣ ଏସବୁ କ୍ଷେତ୍ରରେ କାହାରିକି ବିଶ୍ୱାସ କଲେ ଏଭଳି ଫଳ ଭୋଗିବାକୁ ପଡ଼ି ପାରେ ।