ନିଶାମୁକ୍ତ ସମାଜ ଗଠନ କରିବା ପାଇଁ ଆଗେଇ ଆସିଛନ୍ତି ମହିଳା, କଲେ ରାସ୍ତା ରୋକ ଆନ୍ଦୋଳନ
ନା କହି ହେଉଥିଲା ନା ସହି ହେଉଥିଲା । ଘରେ ଘରେ ମଦ ପାଇଁ ସବୁଦିନ ଅଶାନ୍ତି । ନିରୁପାୟ ହୋଇ ଏବେ ରାସ୍ତାକୁ ଓହ୍ଲାଇଛନ୍ତି ମହିଳା । ରାସ୍ତାରେ ନିଆଁ ଜଳାଇ ମଦକୁ ବିରୋଧ କରିଛନ୍ତି । ମହିଳାମାନେ ନିଶାମୁକ୍ତ ସମାଜ ଗଠନ କରିବା ପାଇଁ ଆଗେଇ ଆସିଛନ୍ତି ।
ଭଦ୍ରକ ଜିଲ୍ଲା କେନ୍ଦୁଆପଦା ବଜାରରେ ଥିବା ଦେଶୀ ବିଦେଶୀ ମଦ ଦୋକାନ ଉଛେଦ ଦାବିରେ ରାସ୍ତା ରୋକ ଆନ୍ଦୋଳନ କରିଛନ୍ତି ମହିଳା । ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଗଣ୍ଡଗରା ନିକଟରେ ଏହି ରାସ୍ତା ରୋକ ହୋଇଛି । ଗାଁ ନିକଟରେ ଥିବା ମଦ କାଉଣ୍ଟରକୁ ଉଚ୍ଛେଦ ଦାବିରେ ଆଖପାଖ ଗାଁର ଶତାଧିକ ମହିଳାମାନେ ମଦ ଦୋକାନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ବନ୍ତ ବାରିକପୁର ରାସ୍ତାକୁ ଅବରୋଧ କରିଥିଲେ । ଫଳରେ ସେଠାରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ରାସ୍ତାରୋକ ଯୋଗୁଁ ଉଭୟ ପାର୍ଶ୍ବରେ ଯାନବାହାନ ଅଟକି ରହିଥିଲା । ଖବର ପାଇ କେନ୍ଦୁଆପଦା ଫାଣ୍ଡି ପୋଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା।
ତେବେ ମହିଳାମାନେ ଅଭିଯୋଗ କରିଛନ୍ତି ଯେ ଗାଁ ନିକଟରେ ମଦ ଭାଟି ଥିବାରୁ ଗ୍ରାମବାସୀ ଏବଂ ସାଧାରଣ ଯାତ୍ରୀଙ୍କ ସହ ବିଦ୍ୟାଳୟକୁ ଯାଉଥିବା ଛାତ୍ରଛାତ୍ରୀ ଏବଂ ସାଧାରଣ ଯାତ୍ରୀମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ମଦ୍ୟପମାନେ ଏଠାରୁ ମଦ ପିଇ ଗାଁ ଓ ପରିବାର ମଧ୍ୟରେ ଅଶାନ୍ତି ମୂଳକ ପରିସ୍ଥିତି ସୃଷ୍ଟି କରୁଛନ୍ତି । ଏନେଇ ଦିନକୁ ଦିନ ପରିବେଶ ଅଶାନ୍ତ ହେଉଥିବା ମହିଳାମାନେ ଅଭିଯୋଗ କରିଛନ୍ତି । ବାରମ୍ବାର ଅଭିଯୋଗ କରିବା ପରେ ବି କେହି ପଦକ୍ଷେପ ନେଉ ନାହାନ୍ତି । ତେଣୁ ୨ଟି ମଦ ଦୋକାନ ଉଚ୍ଛେଦ ଦାବିରେ ବାଧ୍ୟ ହୋଇ ମହିଳାମାନେ ଏକଜୁଟ ହୋଇ ରାସ୍ତା ରୋକ ଆନ୍ଦୋଳନ କରିଛନ୍ତି ।
ମଦ ପାଇଁ ଅନେକ ଘର ଉଜୁଡ଼ି ଯାଉଛି । କେତେ ଲୋକ ନିଶାରେ ଦୁର୍ଘଟଣାଗ୍ରସ୍ତ ହୋଇ ପ୍ରାଣ ହରାଉଛନ୍ତି । ଏହା ପରେ ବି ଲୋକଙ୍କର ମଦ ନିଶା ଛାଡ଼ୁନି । ଘରେ ହେଉଥିବା କଳି ଝଗଡ଼ାର କାରଣ ଏଇ ମଦ । ତେଣୁ ଏହାକୁ ବନ୍ଦ କରିବା ପାଇଁ ମହିଳାମାନେ ପଦାକୁ ଗୋଡ଼ କାଢ଼ିଛନ୍ତି । ତୁରନ୍ତ ଏମାନଙ୍କ ସମସ୍ୟାର ସମାଧାନ କରାଗଲେ ଅନେକ ଘର ଉଜୁଡ଼ି ଯିବାରୁ ବଞ୍ଚିଯିବ ।