ଯୌତୁକ ପାଇଁ ଗଲା ବୋହୂର ଜୀବନ, ଗିରଫ ହେଲା ସ୍ବାମୀ

ପୁଣି ଯୌତୁକ ପାଇଁ ଗଲା ଜଣଙ୍କ ଜୀବନ । ଯୌତୁକ ଲାଳସା ଏମିତି ଏ ମଣିଷ ମୁହଁରେ ଲାଗିଛି ଯେ ଭୁଲି ଯାଉଛନ୍ତି ମାନବିକତା । ଟଙ୍କା ପଇସା ଲୋଭରେ କିଛି ଅମଣିଷ ଅଛନ୍ତି ଯେଉଁମାନେ ସମ୍ପର୍କକୁ ଭୁଲି ଯାଉଛନ୍ତି । ଜଣେ ବୋହୂ ଆଜି ସବୁଦିନ ପାଇଁ ଚିରନିଦ୍ରାରେ ଶୋଇଯାଇଛି । କେତେ କଣ ଆଶା ନେଇ ସ୍ବାମୀର ହାତ ଧରିଥିଲା । କିନ୍ତୁ ସ୍ବାମୀର ଯୌତୁକ ନିଶାରେ ଆଜି ସ୍ତ୍ରୀର ଜୀବନ ଯାଇଛି । ଝିଅର ପରିବାର ଲୋକେ ଏଭଳି ଅଭିଯୋଗ ଆଣିଛନ୍ତି । ତେବେ ଅଭିଯୋଗ ପାଇବା ପରେ ପୋଲିସ ତପ୍ତରତା ଦେଖାଇ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି ।

ବଲାଙ୍ଗିର ଜିଲ୍ଲା ଆଗଲପୁର ଥାନା ଫତାମୁଣ୍ଡା ଗାଁରେ ଘଟିଯାଇଛି ଏମିତି ଦୁଃଖଦ ଘଟଣା । ବଧୁ ହତ୍ୟା ଅଭିଯୋଗ ପାଇ ଅଭିଯୁକ୍ତ ସ୍ବାମୀକୁ ଗିରଫ କରିଛି ପୋଲିସ । ସୀମା ସାହୁ ନାମକ ମହିଳାଙ୍କ ଜୀବନ ଯାଇଥିବା ସୂଚନା ମିଳିଛି । ସୀମାଙ୍କ ବାପଘର ଲୋକେ ଯୌତୁକ ଜନିତ ହତ୍ୟାକାଣ୍ଡ ହୋଇଥିବା ନେଇ ଅଭିଯୋଗ କରିଛନ୍ତି ।

ପାଞ୍ଚ ବର୍ଷ ପୁର୍ବରୁ ଲୁଚୁକିପାଲି ଗାଁର ସୀମା ସାହୁ ପଟାମୁଣ୍ଡା ଗାଁର ମହେନ୍ଦ୍ର ସାଙ୍କୁ ବିବାହ କରିଥିଲେ । ବିବାହ ପରେ ସବୁ କିଛି ଠିକ୍ ଠାକ୍ ଥିଲା । କିନ୍ତୁ ଧୀରେ ଧୀରେ ସ୍ବାମୀ ତା ଅସଲ ରୂପ ଦେଖାଇବା ଆରମ୍ଭ କଲା । ବିବାହ କିଛି ଦିନ ପରେ ଉଭୟ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ  ଯୌତୁକକୁ ନେଇ ଝଗଡ଼ା ଲାଗି ରହୁଥିଲା । ଆଉ ଆଜି ସେହି ଯୌତୁକ ପାଇଁ ସୀମାଙ୍କ ଜୀବନ ଏମିତି ଚାଲିଯିବ କେହି କେବେ ଭାବି ବି ନଥିଲେ । ସୀମାଙ୍କ ମୃତଦେହ ଉଦ୍ଧାର ପରେ ଆଗଲପୁର ଥାନାରେ ଏନେଇ ମାମଲା ରୁଜୁ କରାଯାଇଛି । ଅଭି‌‍ଯୁକ୍ତ ସ୍ବାମୀ ମହେନ୍ଦ୍ର ସାହୁକୁ ଗିରଫ କରି ତଦନ୍ତ କରୁଛି ପୋଲିସ ।

ବିବାହ ସମସ୍ତଙ୍କ ପାଇଁ ଏକ ସ୍ବପ୍ନ ଥାଏ । ସବୁ ଝିଅ ଭାବନ୍ତି ବିବାହ ପରେ ସ୍ବାମୀ ସବୁ ସୁଖଦୁଃଖରେ ସ୍ତ୍ରୀର ହାତ ଧରିବ । କିନ୍ତୁ କିଛି ଅମଣିଷଙ୍କ ପାଇଁ ନୀରିହ ଝିଅଙ୍କ ଜୀବନ ଏମିତି ଅକାଳରେ ଚାଲି ଯାଉଛି ।