ଧୂପକାଠି ଦେଇଛି ରୋଜଗାର, ଅତିରିକ୍ତ ଆୟ ବୃଦ୍ଧି କରିପାରୁଛନ୍ତି ମହିଳା

କଣ୍ଟାମାଳ: ପରିବାରର ମୁଖ୍ୟଙ୍କ ଉପରେ ବୋଝ ନହୋଇ ମହିଳାମାନେ କିଭଳି ସ୍ୱାବଲମ୍ବୀ ହେବେ ସେନେଇ ସରକାର ଅନେକ ବ୍ୟବସ୍ଥା କରିଛନ୍ତି । ଆଉ ଏହାର ସୁଯୋଗ ନେଇ ମହିଳା ଗୋଷ୍ଠୀ ଏବେ ଆରମ୍ଭ କରିଛନ୍ତି ଧୁପକାଠି ତିଆରି ୟୁନିଟ । ଯାହାକି ଏବେ ସେମାନଙ୍କୁ ଦେଇଛି ରୋଜଗାରର ମାଧ୍ୟମ ।
ବୌଦ୍ଧ ଜିଲ୍ଲା ମନମୁଣ୍ଡା ପଂଚାୟତ ବାସୁଦେବପାଲି ଗାଁରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଏହି ମହିଳାମାନେ ହେଉଛନ୍ତି ଗାଁର ନାରୀ ସମୃଦ୍ଧି ପ୍ରଡ୍ୟୁସର ଗ୍ରୁପର ଜଣେ ଜଣେ ସଦସ୍ୟା । ରାଜ୍ୟ ସରକାରଙ୍କ ମିଶନ ଶକ୍ତି ଯୋଜନାରେ ଆର୍ଥିକ ସହଯୋଗ ପାଇବା ପରେ ଏବେ ଏହି ଗ୍ରୁପର ସଦସ୍ୟାମାନେ ଏଠାରେ ଖୋଲିଛନ୍ତି ଧୂପକାଠି ତିଆରି ୟୁନିଟ । ଯାହାକି ସେମାନଙ୍କୁ ଏବେ ଦେଖାଇଛି ରୋଜଗାରର ବାଟ ।
ବୌଦ୍ଧ ଜିଲ୍ଲା ମନମୁଣ୍ଡା ଗ୍ରାମ ପଞ୍ଚାୟତର ବାସୁଦେବପାଲି ଠାରେ ୨୦୧୬ ମସିହାରେ ଗଠନ ହୋଇଥିଲା ଏହି ନାରୀ ସମୃଦ୍ଧି ପ୍ରଡ୍ୟୁସର ଗ୍ରୁପ । ଗାଁର ୭୦ ଜଣ ମହିଳାଙ୍କୁ ନେଇ ଏହି ଗ୍ରୁପ ଗଠନ କରାଯାଇଥିଲା । ପ୍ରଥମେ ଗ୍ରୁପ ମହିଳାମାନଙ୍କୁ ଧୂପକାଠି ପ୍ରସ୍ତୁତି ପାଇଁ ତାଲିମ ପ୍ରଦାନ କରାଯାଇଥିଲା । ପରେ ସେମାନଙ୍କୁ ସରକାରଙ୍କ ମିଶନ ଶକ୍ତି ଯୋଜନାରେ ମେସିନ ଓ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇ ଦିଆଗଲା ପରେ ଏମାନେ ଆରମ୍ଭ କରିଥିଲେ କାମ । ଏବେ ସଫଳତାର ସହ ଆରମ୍ଭ ହୋଇଛି ଗ୍ରୁପ ଦ୍ୱାରା ଧୂପକାଠି ପ୍ରସ୍ତୁତି କାର୍ଯ୍ୟ । କେବଳ ସେତିକି ନୁହେଁ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ଧୂପକାଠି ମାର୍କେଟିଂର ବ୍ୟବସ୍ଥା କରା ଗଲାପରେ ଏବେ ଗ୍ରୁପର ସଦସ୍ୟାମାନେ ଜଣପିଛା ମାସକୁ ୮ ରୁ ୧୦ ହଜାର ଟଙ୍କା ରୋଜଗାର କରି ସ୍ୱାବଲମ୍ବୀ ହୋଇପାରିଛନ୍ତି ।
ମହିଳାମାନେ ନିଜେ ରୋଜଗାର କରି ସେମାନଙ୍କ ଅତିରିକ୍ତ ଆୟ ବୃଦ୍ଧି କରିପାରିଛନ୍ତି । ମହିଳାମାନେ କୌଣସି କ୍ଷେତ୍ରରେ କମ୍ ନୁହଁନ୍ତି ବୋଲି ପ୍ରମାଣ କରି ଦେଖାଇଛନ୍ତି ଏମାନେ ।