ସୁଭଦ୍ରା ପାଇଁ ନାକେଦମ୍, ରାତିରୁ ବ୍ୟାଙ୍କ ଆଗରେ ଇଟା ରଖି ଲାଇନ ଲଗାଉଛନ୍ତି ମହିଳା

ଯାଜପୁର : ସୁଭଦ୍ରା ପାଇଁ ବ୍ୟାଙ୍କରେ ଭିଡ଼ । କେୱାଇସି ଲାଗି ନାକେଦମ୍ । ବ୍ୟାଙ୍କ ଆଗରେ ଇଟା ରଖି ଲାଇନ ଲଗାଉଛନ୍ତି ମହିଳା । ସୁଭଦ୍ରା ପାଇଁ ଜନସେବା କେନ୍ଦ୍ର ଓ ବିଭିନ୍ନ ବ୍ୟାଙ୍କକୁ ଦଉଡ଼ି ଦଉଡ଼ି ମହିଳାଙ୍କୁ ନିରାଶ ହେବାକୁ ପଡ଼ିଛି। ବିଶେଷ କରି ଡିବିଟି ଓ କେୱାଇସି ଫର୍ମ ପୂରଣ ପାଇଁ ବାରମ୍ବାର ବ୍ୟାଙ୍କ ଯିବାକୁ ପଡ଼ୁଛି। ରାତିରୁ ବ୍ୟାଙ୍କ ସମ୍ମୁଖରେ ଇଟା ରଖି ନମ୍ବର ଲଗାଉଛନ୍ତି । ଲମ୍ବା ଧାଡ଼ିରେ ବ୍ୟାଙ୍କ ଖୋଲିବା ପର୍ଯ୍ୟନ୍ତ ଅପେକ୍ଷା କରୁଛନ୍ତି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବ୍ରହ୍ମବରଦା ଅଞ୍ଚଳରେ ଥିବା ଭାରତୀୟ ଷ୍ଟେଟ୍ ବ୍ୟାଙ୍କରେ ।

ବିଶେଷକରି ମହିଳାମାନେ ପିଲା ଛୁଆ ଧରି ବିଳମ୍ବିତ ରାତିରୁ ଧାଡ଼ିରେ ଅପେକ୍ଷା କରୁଛନ୍ତି । ବ୍ୟାଙ୍କ ପକ୍ଷରୁ କେୱାଇସି ପାଇଁ ଗ୍ରାହକମାନଙ୍କୁ ୫୦ ଟି ଟୋକନ ଧରାଇ ଦିଆଯାଉଛି ।  ଅଧିକ ଅଧିକ ଗ୍ରାହକ ଆସୁଥିବାରୁ ଏଭଳି ସମସ୍ୟା ଦେଖାଦେଇଛି । ଫଳରେ ମହିଳା ମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।  ଏପରିକି ବ୍ୟାଙ୍କ୍ ଖୋଲିବା ସମୟରେ ବହୁ ଗ୍ରାହକ ଏକାଥରକେ ପ୍ରବେଶ କରିବା ସମୟରେ ପରିସ୍ଥିତି ଜଟିଳ ହୋଇପଡୁଛି ।  ସେପଟେ ଏହି ଘଟଣାକୁ ନେଇ ବ୍ୟାଙ୍କ କର୍ତ୍ତୃପକ୍ଷ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି ।

You might also like