ମାଆକୁ ଝୁରୁଛି ପାଞ୍ଚ ବର୍ଷର ଶିଶୁକନ୍ୟା । ଏପଟେ ସ୍ୱାମୀ ନିରାଶ ହୋଇ ସ୍ତ୍ରୀ ଅପେକ୍ଷାରେ ରହିଛନ୍ତି । କାହିଁକି ନା ତାଙ୍କ ସ୍ତ୍ରୀ ନିଖୋଜ ହୋଇ ଯାଇଛନ୍ତି । ଗତ ୧୫ ତାରିଖରୁ ନିଖୋଜ ଥିବା ମହିଳାଙ୍କ ସନ୍ଧାନ ମିଳୁନି। ଏପରି ଅଭାବନୀୟ ଘଟଣା ଘଟିଛି ବୋଲଗଡ଼ ବ୍ଲକ ଫିରିଫିରା ଗାଁରେ । ପରିବାର ଲୋକ ବୋଲଗଡ଼ ଥାନାରେ ଅଭିଯୋଗ କରିଥିବା ବେଳେ ଏଯାଏ ନିଖୋଜ ମାଆର ପତା ପାଇନି ବୋଲଗଡ଼ ପୋଲିସ । ଘଟଣାରୁ ପ୍ରକାଶ ପାଇଛି ଯେ ବୋଲଗଡ ଫିରିଫିରା ଗାଁର ଲିପୁନ କୁମାର ସେଠି ୧୦ବର୍ଷ ତଳେ ବାଲେଶ୍ୱର ଜିଲ୍ଲାର ରଞ୍ଜିତାଙ୍କୁ ପ୍ରେମ ବିବାହ କରିଥିଲେ । ତାଙ୍କର ଏକ ୫ ବର୍ଷର ଶିଶୁକନ୍ୟା ଅଛି । ଗତ ୧୫ ତାରିଖ ରବିବାର ଘରେ ଖୁଦୁରୁକୁଣୀ ଓଷା ଚାଲିଥିବା ବେଳେ ରଞ୍ଜିତା ତାଙ୍କର ୫ ବର୍ଷର ଶିଶୁ କନ୍ୟାକୁ ନିଜ ରୁମରେ ଶୁଆଇଥିଲେ। କିନ୍ତୁ ରାତି ପ୍ରାୟ ୧୦ ବେଳକୁ ରଞ୍ଜିତାଙ୍କ ସ୍ୱାମୀ ଲିପୁନ ଆସି ଦେଖିବା ବେଳକୁ କୁନିଝିଅ ଶୋଇଥିବା ବେଳେ ରଞ୍ଜିତା ନଥିଲେ । ଆଖପାଖ ଖୋଜାଖୋଜି ସହିତ ବୋଲଗଡ଼ ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକ । ସେପଟେ ରଞ୍ଜିତାଙ୍କ ମୋବଇଲ ସ୍ବିଚ ଅଫ ରହିଥିବା ବେଳେ ସେ ତାଙ୍କ ବାପ ଘରକୁ ଯାଇ ନଥିବା ଜଣା ପଡିଛି ।
କିନ୍ତୁ ଏବେ ବି ରଞ୍ଜିତାଙ୍କ ଫେରିବା ବାଟକୁ ଚାହିଁ ବସିଛନ୍ତି ସ୍ୱାମୀ । ଅନ୍ୟପଟେ ଏକମାତ୍ର ଶିଶୁକନ୍ୟା ଦିନରାତି ମାଆକୁ ମନେପକାଇ କାନ୍ଦୁଥିବା ବେଳେ ସ୍ୱାମୀ ଲିପୁନ ସେହି ଚିନ୍ତାରେ ଘରୋଇ କମ୍ପାନୀରେ ଚାକିରି ଛାଡି ଘରେ ବସିଛନ୍ତି ବୋଲଗଡ଼ ପୋଲିସ ଏହାକୁ ଗୁରୁତର ସହିତ ନେଇ ରଞ୍ଜିତାଙ୍କୁ ଖୋଜି ବାହାର କରିବାକୁ ଦାବି ହୋଇଛି ।