ବୋହୁ ଆଣିଥିଲା ଋଣ, ସୁଝିନପାରିବାରୁ ଶୁଶୁକୁ ପିଟିଲେ ମହିଳା ସମିତି ସଭାପତି

ଆଳି(କେନ୍ୟୁଜ୍): ବୋହୁ ଋଣ ଆଣି ସୁଝିବାରେ ଅସମର୍ଥ ଯେଉଁଥିପାଇଁ ଶାଶୁ ଖାଇଲେ ମାଡ଼। ଖାଲି ମାଡ଼ ନୁହେଁ,ଦୁଇ ଘଣ୍ଟାରୁ ଉର୍ଦ୍ଧ ସମୟ ଧରି ଏକ ନିବୁଜ କୋଠରୀରେ ପୁରାଇ ତାଲା ପକାଇ ରଖିଲେ ମହିଳା ସମିତିର ସଭାପତି।ଖବର ପାଇ ରାଜକନିକା ପୋଲିସ ପହଞ୍ଚି ଅଟକ ବୃଦ୍ଧାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି।ଏଭଳି ଏକ ଅମାନବୀୟ ଘଟଣା ଘଟିଛି କେନ୍ଦ୍ରାପଡା ରାଜକନିକା ଥାନା ଅନ୍ତର୍ଗତ ଗଞ୍ଜା ଗାଁରେ। ଗଞ୍ଜା ଗାଁର ଏକ ମହିଳା ସମିତିରୁ ଋଣ ଆଣିଥିଲେ ପୂଜା ରାୟ। ପାରିବାରିକ ଅଭାବରୁ ଠିକ ସମୟରେ କିସ୍ତି ପଇସା ସୁଝି ପାରୁନଥିଲେ ଯାହା ଫଳରେ ବାରମ୍ବାର ମହିଳା ସମିତିର ସଭାପତି ଗାୟତ୍ରୀ ମହଲା ତାଙ୍କୁ ତାଗିଦ କରୁଥିଲେ।
ଦୁର୍ଭାଗ୍ଯବଶତଃ ପୂଜାଙ୍କର ସ୍ବାମୀ ଅସୁସ୍ଥ ହେବାରୁ ସେ ସ୍ୱାମୀଙ୍କୁ ମେଡ଼ିକାଲ ନେଇ ଯାଇଥିବା ବେଳେ ଗତକାଲି ପୁଣି ମହିଳା ସମିତି ସଭାପତି ଗାୟତ୍ରୀ ପହଞ୍ଚିଥିଲେ ପୂଜାଙ୍କ ଘରେ।ପୂଜା ଅନୁପସ୍ଥିତ ଥିବାରୁ ଗାୟତ୍ରୀ ଉତ୍ୟକ୍ତ ହୋଇ ତାଙ୍କର ୮୦ବର୍ଷ ବୟସର ବୃଦ୍ଧା ଶାଶୁ ସରସ୍ବତୀ ରାୟଙ୍କୁ ମାଡ଼ ମାରିବା ସହିତ ଘରେ ପୁରାଇ ତାଲା ପକାଇ ଦେଇଥିଲେ।ଗାଁର କିଛି ଯୁବକ ଏନେଇ ରାଜକନିକା ଥାନାରେ ଖବର ଦେବା ପରେ ପୋଲିସ ପହଞ୍ଚି ସରସ୍ବତୀଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ମେଡ଼ିକାଲରେ ଭର୍ତ୍ତି କରିଥିବା ଜଣାପଡିଛି।
ତେବେ ଏଠି ପ୍ରଶ୍ନ ଉଠୁଛି ଜଣେ ନିରୀହ ବୃଦ୍ଧାଙ୍କୁ ମହିଳା ସମିତିର ସଭାପତି ଦୀର୍ଘ ଚାରିଘଣ୍ଟା ଆବଦ୍ଧ କୋଠରୀ ଭିତରେ ପୁରାଇ ତାଲା ପକାଇବା କେତେଦୂର ଯୁକ୍ତିଯୁକ୍ତ।ଋଣ ଟଙ୍କା ପାଇଁ ମହିଳା ସମିତିର ସଭାପତିଙ୍କର ଏଭଳି ଆଚରଣ ସାଧାରଣରେ ନିନ୍ଦାର ବିଷୟ ହୋଇଛି।ଟଙ୍କା ପାଇଁ ମାନବିକତାକୁ ଭୁଲିଯାଇ ଜଣେ ମହିଳା ଆଉଜଣେ ବୟୋଜ୍ଯଷ୍ଠ ବୃଦ୍ଧାଙ୍କୁ ଘରେ ପୁରାଇ ତାଲା ପକାଇବା ଘଟଣାରେ ରାଜକନିକା ପୋଲିସ ଏପଯ୍ଯନ୍ତ ମହିଳା ସମିତିର ସଭାନେତ୍ରୀଙ୍କୁ ଗିରଫ କରିନାହିଁ।