ଚାକିରି ଦେବା ବାହାନାରେ ଝିଅ ଚାଲାଣ ଅଭିଯୋଗ: ଜଣେ ମହିଳା ସମେତ ୩ ଜଣଙ୍କୁ ବାନ୍ଧିଲା ପୋଲିସ
ସୁନ୍ଦରଗଡ଼(କେନ୍ୟୁଜ୍): ଚାକିରି ଦେବା ବାହାନାରେ ଝିଅ ଚାଲାଣ ଅଭିଯୋଗରେ ଜଣେ ମହିଳା ସମେତ ୩ ଗିରଫ। ଏପ୍ରିଲ ପ୍ରଥମ ସପ୍ତାହରେ ସୁନ୍ଦରଗଡ଼ ସଦର ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ରୋଜଗାରର ଲୋଭ ଦେଖାଇ ଦଲାଲମାନେ ବିକି ଦେଇଥିବା ଅଭିଯୋଗ ହୋଇଥିଲା। ମଧ୍ୟପ୍ରଦେଶର ଜଣେ ବ୍ୟକ୍ତିଙ୍କ ପାଖରେ ବିବାହ ପାଇଁ ୨ଲକ୍ଷ ଟଙ୍କାରେ ବିକି ଦେଇଥିବା ଘଟଣା ସାମ୍ନାକୁ ଆସିଥିଲା ।
ଏସପି ସାଗରିକା ନାଥଙ୍କ ନିର୍ଦ୍ଦେଶକ୍ରମେ ସଦର ଥାନା ଅଧିକାରୀ ରମେଶଚନ୍ଦ୍ର ମାହାନାଙ୍କ ନେତୃତ୍ୱରେ ପୁଲିସ ଟିମ୍ ମଧ୍ୟପ୍ର୍ରଦେଶର ରତଲମ ଜିଲ୍ଲା ତାଲ ଥାନା ଅନ୍ତର୍ଗତ କରବାଖେଡ଼ି ଗାଁରେ ଚଢାଉ କରି ନାବାଳିକାଙ୍କୁ ଉଦ୍ଧାର କରିଥିଲେ । ତାକୁ ସୁନ୍ଦରଗଡ଼ ଆଣି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା । ଏହି ମାମଲାରେ ପୁଲିସ ଜଣେ ମହିଳା ଦଲାଲଙ୍କ ସମେତ ୩ ଅଭିଯୁକ୍ତଙ୍କୁ ଶନିବାର ଗିରଫ କରି କୋର୍ଟ ଚାଲାଣ କରିଛି । ଅନ୍ୟ ଦଲାଲଙ୍କୁ ଗିରଫ କରିବାକୁ ତନାଘନା ଚଲାଇଛି । ସୁନ୍ଦରଗଡ ଏସ୍ପି ସାଗରିକା ନାଥ ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।