ଓଡ଼ିଶା ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଟ୍ବିଟ୍‌, କହିଲେ – ‘ସୁଭଦ୍ରା ଯୋଜନା ନାରୀ ସଶକ୍ତୀକରଣକୁ ଆଗକୁ ବଢ଼ାଇବ’

ଭୁବନେଶ୍ୱର : ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ପୂର୍ବାହ୍ନ ୧୦ଟା ୫୦ରେ ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିବେ। ଆଜି ନିଜ ଜନ୍ମଦିନରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ । ଓଡ଼ିଶା ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଟ୍ବିଟ୍‌ କରିଛନ୍ତି । ସୁଭଦ୍ରା ଯୋଜନାର ଶୁଭାରମ୍ଭ ନେଇ ଉତ୍ସାହିତ ଥିବା କହିଛନ୍ତି । ସୁଭଦ୍ରା ଯୋଜନା ନାରୀ ସଶକ୍ତୀକରଣକୁ ଆଗକୁ ବଢ଼ାଇବା ସହ ନାରୀଶକ୍ତିକୁ ଆର୍ଥିକ କ୍ଷେତ୍ରରେ ସ୍ବାଧୀନତା ଦେବ- ମୋଦି ବୋଲି ଟ୍ବିଟ୍‌ କରି ସୂଚନା ଦେଇଛନ୍ତି ।

 

 

ସେପଟେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଓଡ଼ିଶା ଗସ୍ତ ଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ଓଡ଼ିଶାବାସୀଙ୍କ ତରଫରୁ ସ୍ବାଗତ କରିଛନ୍ତି। ଏନେଇ ନିଜର ସୋସିଆଲ୍ ମିଡିଆ ଏକାଉଣ୍ଟ ‘ଏକ୍ସ’ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲେଖିଛନ୍ତି, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଓଡ଼ିଶାର ପବିତ୍ର ମାଟିକୁ ସ୍ୱାଗତ । ତାଙ୍କ ନେତୃତ୍ୱରେ ଭାରତର ଉନ୍ନତି ଓ ସମୃଦ୍ଧିର ଦିଗରେ ଓଡ଼ିଶା ମଧ୍ୟ ନୂଆ ଅଧ୍ୟାୟ ଲେଖୁଛି।

ଆଜି ଭୁବନେଶ୍ବରର ଜନତା ମୈଦାନରେ ଯୋଜନାର ଶୁଭାରମ୍ଭ କରି ହିତାଧିକାରୀଙ୍କ ଖାତାକୁ ପ୍ରଥମ କିସ୍ତି ଟଙ୍କା ପ୍ରଦାନ କରିବେ ମୋଦି । ଦିନ ୧୨ଟାରେ ହେବ ସୁଭଦ୍ରା ଯୋଜନାର ଶୁଭାରମ୍ଭ । ପ୍ରଥମଦିନରେ ପ୍ରାୟ ୧୦ ଲକ୍ଷ ମାଆମାନଙ୍କୁ ମିଳିବ ପ୍ରଥମ କିସ୍ତି ଟଙ୍କା । ସୁଭଦ୍ରା ଯୋଜନାରେ ପ୍ରାୟ ଏକ କୋଟିରୁ ଅଧିକ ୨୧ବର୍ଷରୁ ୬୦ ବର୍ଷ ବୟସ୍କ ମହିଳାଙ୍କୁ ୫ବର୍ଷରେ ପଚାଶ ହଜାର ଟଙ୍କା ଜମାଖାତାକୁ ପଠାଯିବ । ଏଥିପାଇଁ ଜନତା ମଇଦାନକୁ ଡଗ୍ ସ୍କ୍ବାର୍ଡ ଓ ବମ୍ ସ୍କ୍ବାର୍ଡ ଦ୍ବାରା ତନତନ ଯାଞ୍ଚ କରାଯାଇଛି । ଜନତା ମୈଦାନ ଓ ଗାଡ଼କଣକୁ ନିଜ ନିୟନ୍ତ୍ରଣକୁ ନେଇଛି ଏସପିଜି । ଜନତା ମୈଦାନରେ କାର୍ଯ୍ୟକ୍ରମ ସ୍ଥଳରେ ପ୍ରାୟ ୭୦ହଜାରରୁ ଏକଲକ୍ଷ ଲୋକଙ୍କ ସମାଗମ ହେବା ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି କଡ଼ା ସୁରକ୍ଷା ଗ୍ରହଣ କରାଯାଇଛି । ସୁରକ୍ଷାରେ ରହିବେ ୮୧ପ୍ଲାଟୁନ ପୁଲିସ ଓ ୨ କମ୍ପାନି ସିଆର୍ ପିଏଫ । ଏହା ସହ ୩ଟି ୟୁନିଟ ସ୍ପେଶାଲ ଟାକ୍ଟିକାଲ ୟୁନିଟ ମଧ୍ୟ ନିୟୋଜିତ କରାଯାଇଛି । ନୂଆ ସରକାର ଗଠନ ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହା ପ୍ରଥମ ଓଡ଼ିଶା ଗସ୍ତ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like