ଗାଁରେ ଦେଶୀ ମଦ ବନ୍ଦ ପାଇଁ ଅଣ୍ଟା ଭିଡିଲେ ମହିଳା ଗୋଷ୍ଠୀ, ବର୍ଷାରେ ଭିଜି ଭିଜି କଲେ ଆନ୍ଦୋଳନ    

ବର୍ଷାରେ ଭିଜି ନ୍ୟାୟ ମାଗିଲେ ମହିଳା । ନିଜ ପରିବାରକୁ ଭାଙ୍ଗି ଯାଉଥିବା ଦେଖି ନପାରି ଅନ୍ଦୋଳନକୁ ଓହ୍ଲାଇଛନ୍ତି ଶହ ଶହ ମହିଳା । ମହିଳାଙ୍କ ପ୍ରତିବାଦରେ ଥରି ଉଠିଲା ଗାଁ ଦାଣ୍ଡ । ବର୍ଷାକୁ ଖାତିର ନକରି ପଦାକୁ ଗୋଡ଼କୁ କାଢ଼ିଛନ୍ତି । ତେବେ ମହିଳାଙ୍କ ଏଭଳି ଆନ୍ଦୋଳନର କାରଣ ହେଉଛି ମଦ । ମଦ ପାଇଁ ସଂସାର ଭାସି ଯାଉଛି । ତେଣୁ ମହିଳାମାନେ ମଦ ବନ୍ଦ ପାଇଁ ବିରୋଧ କରିଛନ୍ତି ।

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ବିଭିନ୍ନ ଗାଁରେ ଏବେ ଦେଶୀ ମଦ ବିକ୍ରି ଚାଲିଛି । ଦେଶୀ ମଦକୁ ବନ୍ଦ କରିବା ପାଇଁ ଏବେ ମହିଳାମାନେ ଘରୁ ଗୋଡ଼ କାଢ଼ିଛନ୍ତି। ବୀରମହାରାଜପୁର ବ୍ଲକର ଦୁର୍ଜନତୈଲା ପଞ୍ଚାୟତର କୁଞ୍ଜାପାଲି, ବରଘାଟ, ମସିଣାପାଲି, ବ୍ରାହ୍ମଣିପାଲି, ଠେଙ୍ଗୋଡେମ୍, ସାଗଜୁରୀ ଆଦି ଗାଁରେ ମଦ ବନ୍ଦ କରିବା ପାଇଁ ମହିଳାମାନେ ଉଦ୍ୟମ କରିଛନ୍ତି । ଏନେଇ ଆଜି ମହିଳାମାନେ ବୀରମହାରାଜପୁର ଥାନା ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି  ।

ମଦ ପାଇଁ ଘରେ ଘରେ ଅଶାନ୍ତି ହେଉଥିବା ଖବର ଆପଣମାନେ ପ୍ରତିଦିନ ଶୁଣୁଥିବେ । ଏହି ସମସ୍ୟାକୁ ଦୂର କରିବା ପାଇଁ ମହିଳାମାନେ ଏଭଳି ବର୍ଷାରେ ଭିଜି ଭିଜି ଆନ୍ଦୋଳନକୁ ଓହ୍ଲାଇଛନ୍ତି । ମହିଳାଙ୍କ ଦାବିକୁ ଗୁରୁତ୍ବ ଦିଆଗଲେ ଅନେକ ପରିବାର ଉଜୁଡ଼ି ଯିବାରୁ ବଞ୍ଚିଯାଆନ୍ତା । ନଚେତ ଏ ମହିଳା ଓ ଏମାନଙ୍କ ପରିବାର ଲୋକଙ୍କ ଅବସ୍ଥା ଯେ କଣ ହେବ କହିହେବନି ।