ବେଆଇନ କାଠ ଗାଡି ଜବତ ବେଳେ ବନ ବିଭାଗ କର୍ମଚାରୀଙ୍କୁ ନିସ୍ତୁକ ପିଟିଲେ କାଠ ମାଫିଆ

ଜଳେଶ୍ୱର: ବେଆଇନ କାଠ ଗାଡି ଜବତ କରି ନେଉଥିବା ବେଳେ ବନ ବିଭାଗ କର୍ମଚାରୀଙ୍କୁ ନିସ୍ତୁକ ପିଟିଲେ କାଠ ମାଫିଆ । ମାରଣାସ୍ତ୍ରରେ ଆକ୍ରମଣ କରିବା ସହିତ କାଠ ଫାଳିଆରେ ଗୋଡାଇ ଗୋଡାଇ ପିଟିଛନ୍ତି ମାଫିଆ । ବାଲେଶ୍ୱର ଜିଲ୍ଲା ଭୋଗରାଇ ଥାନା ଅନ୍ତର୍ଗତ ବାଟଗ୍ରାମ ବ୍ରିଜ ନିକଟରେ ଘଟିଛି ଏଭଳି ଅଭାବନୀୟ ଘଟଣା ।
ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ଜଳଧା ଗ୍ରାମରୁ ଏକ ଇଞ୍ଜିନ ଚାଳିତ ରିକ୍ସାରେ ଲକ୍ଷାଧିକ ଟଙ୍କାର ମୂଲ୍ୟବାନ କାଠ ପଶ୍ଚିମବଙ୍ଗକୁ ଚୋରା ଚାଲାଣ ହେଉଥିବା ନେଇ କୌଣସି ସୂତ୍ରରୁ ଖବର ପାଇ ଜଳେଶ୍ୱର ଏବଂ ଭୋଗରାଇ ବନବିଭାଗ ଟିମ ମିଳିତ ଭାବରେ ଚଢଉ କରି କାଠ ଗାଡିଟିକୁ ଜବତ କରିଥିଲେ ।
ଆଜି ସକାଳେ ଗାଡିଟିକୁ ଉଦୟପୁର ବନବିଭାଗ କାର୍ଯ୍ୟାଳୟକୁ ନେଉଥିବା ବେଳେ ୩୦ରୁ ଉର୍ଧ୍ବ କାଠ ମାଫିଆ ବାଟଗ୍ରାମ ବ୍ରିଜ ନିକଟରେ କାଠ ଗାଡିକୁ ଅଟକାଇ ବନବିଭାଗ କର୍ମଚାରୀମାନଙ୍କୁ କାଠ ଫାଳିଆରେ ନିସ୍ତୁକ ପିଟିବା ସହ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିବା ନେଇ ବନବିଭାଗ କର୍ମଚାରୀମାନେ ଅଭିଯୋଗ କରିଛନ୍ତି ।
ଏହାସହ ରିକ୍ସା ସମେତ ସବୁ କାଠକୁ ରାସ୍ତା କଡରୁ ୨୦ ଫୁଟ ତଳକୁ ଠେଲି ଦେଇ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ । ମାଫିଆଙ୍କ ଆକ୍ରମଣରେ ୩ ଜଣ ବନବିଭାଗ କର୍ମଚାରୀ ଆହତ ହୋଇଥିବା ବେଳେ ଖବର ପାଇ ଭୋଗରାଇ ପୋଲିସ ଏବଂ ବନ ବିଭାଗ ଟିମ ବିଭିନ୍ନ ସ୍ଥାନରେ ଚଢଉ କରି ୩ ଜଣ ଅଭିଯୁକ୍ତଙ୍କୁ ଅଟକ ରଖିଛି । ତେବେ ଏ ସମ୍ପର୍କରେ ଅଟକ ଥିବା ମହିଳାଙ୍କୁ ପଚାରିବାରୁ ସେମାନେ ଆକ୍ରମଣ କରିନଥିବା କହିଛନ୍ତି ।