ବେଆଇନ ଓ ଚୋରା ଭାବରେ ଜଙ୍ଗଲରୁ ମୂଲ୍ୟବାନ ଗଛ ସବୁ କାଟି ପଦା କଲେଣି କାଠ ମାଫିଆ, ଚିନ୍ତାରେ ସ୍ଥାନୀୟ ଲୋକେ

ମଣିଷ ନିଜର ସ୍ବାର୍ଥ ପାଇଁ ନିଜର ଆବଶ୍ୟକତା ପୂରଣ ପାଇଁ ଜଙ୍ଗଲ ସବୁ ନଷ୍ଟ କରୁଛି । ଏହାର ପ୍ରଭାବରେ ବଡ଼ ବଡ଼ ଜଙ୍ଗଲ ସବୁ ପଦା ହେବାକୁ ବସିଲାଣି । ଜଙ୍ଗଲ ନଷ୍ଟ ହେବା ଯୋଗୁଁ ପରିବେଶରେ ମଧ୍ୟ ବହୁତ ପରିବର୍ତ୍ତନ ଦେଖିବାକୁ ମିଳୁଛି । ସବୁଠୁ ବଡ଼ କଥା ହେଲା ଜଙ୍ଗଲରେ ରହୁଥିବା ବନ୍ୟ ଜନ୍ତୁ ବାସହରା ହୋଇ ଏବେ ସହର ମୁହାଁ ହେଲେଣି ।
ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ବଙ୍ଗୋମୁଣ୍ଡା ଓ କଣ୍ଟାବାଞ୍ଜି ରେଞ୍ଜରେ ଥିବା ମହଖଣ୍ଡ ଓ ରାଜୁ ଜଙ୍ଗଲ, ଛତର ଦଣ୍ଡୀ ଜଙ୍ଗଲ । ଏହି ସବୁ ଜଙ୍ଗଲ ଦିନେ ଅନେକ ବନ୍ୟ ଜନ୍ତୁଙ୍କର ମୂକସାକ୍ଷୀ ଥିବା ବେଳେ ଅନେକ ଶାଳ ପିଆଶାଳ ତଥା ବିଭିନ୍ନ ଔଷଧୀୟ ଗଛରେ ପରିପୂର୍ଣ୍ଣ ଥିଲା । ହେଲେ ଏବେ ଏହି ସବୁ ଜଙ୍ଗଲକୁ ଦେଖିଲେ ଜଣା ପଡୁଛି କାଠ ମାଫିଆଙ୍କ ଲୋଲୁପ ଦୃଷ୍ଟି ଏହି ସବୁ ଜଙ୍ଗଲରେ ପଡିଛି । ବେଆଇନ ଓ ଚୋରା ଭାବରେ ଜଙ୍ଗଲରୁ ମୂଲ୍ୟବାନ ଗଛ ସବୁ କାଟି ପଦା କଲେଣି କାଠ ମାଫିଆ ।
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଏ ସବୁ ଜଙ୍ଗଲ ପୂର୍ବରୁ ଘଞ୍ଚ ଥିବାବେଳେ ବହୁତ ପ୍ରକାରର ବନ୍ୟ ଜୀବଜନ୍ତୁ ସବୁ ରହୁଥିଲେ । ତୁରେକେଲାରୁ ମହଖଣ୍ଡକୁ ଯିବାକୁ ଦିନବେଳା ମଧ୍ୟ ଭୟ କରୁଥିଲେ । ହେଲେ ଏବେ ପରିସ୍ଥିତି ବଦଳି ଯାଇଛି । ଜଙ୍ଗଲ ନଷ୍ଟ ହେବା ଫଳରେ ଏହି ସବୁ ଜଙ୍ଗଲରେ ରହୁଥିବା ବନ୍ୟ ଜନ୍ତୁମାନେ ଏବେ ସହର ମୁହାଁ ହେଲେଣି ।
ଖାଲି ଯେ ଜଙ୍ଗଲ କାଟି ଜଙ୍ଗଲ ନଷ୍ଟ ହେଉଛି ତାହା ନୁହଁ ଅନେକ ସମୟରେ ଜଙ୍ଗଲରେ ନିଆଁ ଲାଗି ମଧ୍ୟ ଜଙ୍ଗଲ ସବୁ ଧ୍ଵଂସ ହେଉଛି । ନିଆଁ ଲାଗି ଅନେକ ଔଷଧୀୟ ଗଛ ସବୁ ନଷ୍ଟ ହେଉଛି । ଅନେକ ସମୟରେ ବନ ବିଭାଗର ଅବହେଳା ଯୋଗୁଁ ଜଙ୍ଗଲ ସବୁ ନଷ୍ଟ ହେଉଥିବା ଅଭିଯୋଗ ହେଉଛି । ଜଙ୍ଗଲ ନଷ୍ଟ ହେବା ଦ୍ୱାରା ଜଳବାୟୁରେ ମଧ୍ୟ ବହୁ ପରିବର୍ତ୍ତନ ହେଉଥିବା ଦେଖିବାକୁ ମିଳୁଛି । ଠିକରେ ବର୍ଷା ହେଉ ନାହିଁ ତାପମାତ୍ରା ବଢ଼ିବାରେ ଲାଗୁଛି ଏହାକୁ ନେଇ ଚିନ୍ତା ବ୍ୟକ୍ତ କରୁଛନ୍ତି ପରିବେଶବିତ । ଜଙ୍ଗଲ ଧ୍ୱଂସ ହେଉଥିବା ଘଟଣା ଓ ଜଙ୍ଗଲୀ ଜୀବଜନ୍ତୁ ସହର ମୁହାଁ ହେଉଥିବା ଘଟଣାକୁ ନେଇ ବଲାଙ୍ଗିର ଡିଏଫଓ କହିଛନ୍ତି ଅନେକ ସମୟରେ ବନ ବିଭାଗ ପକ୍ଷରୁ ରେଡ କରାଯାଉଛି । କାଠ ମାଫିଆମାନଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଉଛି ଓ ବିଭିନ୍ନ ଜାଗାରେ ବୃକ୍ଷ ରୋପଣ କରାଯାଇ ନୂଆ ଜଙ୍ଗଲ ସୃଷ୍ଟି କରିବା ପାଇ ପ୍ରୟାସ କରାଯାଉଛି ।
ଜଙ୍ଗଲ ନଷ୍ଟ ହେଉଥିବା ଜାଗାରେ ନୂଆ ଗଛ ସୃଷ୍ଟି କରିବା ପାଇଁ ବନ ବିଭାଗ ପକ୍ଷରୁ ବ୍ୟବସ୍ଥା କରାଯାଉଛି । କିନ୍ତୁ କାଠ ମାଫିଆଙ୍କ ଲୋଲୁପ ନଜରରୁ ଜଙ୍ଗଲକୁ ବଞ୍ଚାଇ ହେଉନି । କାଠ ମାଫିଆଙ୍କ ପ୍ରତି କଡା କାର୍ଯ୍ୟାନୁଷ୍ଠାନ ନିଆଗଲେ ହିଁ ଜଙ୍ଗଲ ସୁରକ୍ଷିତ ରହିବ ।