ପେଟ ଚାଖଣ୍ଡେ ପାଇଁ ଦହଗଞ୍ଜ ହେଉଛନ୍ତି ଶ୍ରମିକ, କାମ ପାଇବା ପାଇଁ କରୁଛନ୍ତି ସଂଘର୍ଷ

ରାୟଗଡ଼ା(କେନ୍ୟୁଜ): କଳକାରଖାନା ଭରା ରାୟଗଡା ଜିଲ୍ଲାରେ ସ୍ଥାନୀୟ ଶ୍ରମିକଙ୍କୁ ମିଳୁନି କାରଖାନାରେ କାମ l ଗୁଜୁରାଣ ମେଣ୍ଟେଇବାକୁ ଅନେକ ଶ୍ରମିକ ଦାଦନ ଖଟିବା ପାଇଁ ଅନ୍ୟ ରାଜ୍ୟକୁ ଯାଉଥିବା ବେଳେ ଅଧିକାଂଶ ଜିଲ୍ଲା ସଦର ମହକୁମା ଠାରେ କାମଟିଏ ପାଇବା ଆଶାରେ ପଡି ରହୁଛନ୍ତି l ଏହି ଶ୍ରମିକମାନେ ଦାଦନରେ ଗଣା ନହେଲେ ମଧ୍ୟ ଏମାନଙ୍କ ଦୁଃଖ ଦାଦନ ଠାରୁ କିଛି କମ ନୁହଁ l ଶ୍ରମବିଭାଗ ଆଉ ଜିଲ୍ଲା ପ୍ରଶାସନ ନଜର ଆଢ଼ୁଆଳରେ ରହିଛନ୍ତି ଏମାନେ ।

ଦକ୍ଷିଣ ଓଡିଶାର ଶିଳ୍ପ ସମୃଦ୍ଧ ରାୟଗଡା ୧୯୯୨ ମସିହାରେ ସ୍ବତନ୍ତ୍ର ଜିଲ୍ଲାର ମାନ୍ୟତା ପାଇବା ପରେ ବିକାଶର ଧାରାରେ ସାମିଲ ହୋଇଛି । ରାୟଗଡା ଜିଲ୍ଲାରେ ଜେକେକାଗଜ କଳ , ଇମ୍ପା ଫୋରୋଏଲୋଏଜ ସହିତ ଉତ୍କଳ ଆଲୁମିନା କାରଖାନା ରହିଛି । ଶିଳ୍ପାନୁଷ୍ଠାନ ଗଢି ଉଠିଲେ ଗାଁ ଲୋକେ ଆଉ ଭିଟାମାଟି ଛାଡି କୁଆଡେ ଦାଦାନ ଖଟିବାକୁ ଯିବେନି । ଘର ପାଖରେ କାମ ମିଳିବ ବେଶ୍ ସୁରୁଖୁରୁରେ ପରିବାର ଚଳିବ ଏହିଭଳି ଆଶା ବାନ୍ଧିଥିଲେ । କିନ୍ତୁ ଶ୍ରମିକଙ୍କ ଭାଗ୍ୟରେ ସେଭଳି କିଛି ଆଖିଦୃଶିଆ ଘଟିପାରିନାହିଁ l ଆଜି ବି ଶ୍ରମିକମାନେ ନିଜ ପେଟ ଚାଖଣ୍ଡେ ପାଇଁ ଦହଗଞ୍ଜ ହେଉଛନ୍ତି । ରାୟଗଡା ସହରକୁ ଜିଲ୍ଲାର ଖଣି ଖାଦାନ ଭରା କାଶୀପୁର ବ୍ଲକ ରୁ ସର୍ବାଧିକ ଶ୍ରମିକ କାମ ଅନେ୍ଵଷଣରେ ଆସୁଥିବା ବେଳେ ଅନ୍ୟ ସବୁ ବ୍ଲକରେ ମଧ୍ୟ ସମାନ ଅବସ୍ଥା ।

ଏମାନେ ଦାଦନ ନ ହେଲେବି ଦାଦନ ଠୁ ଦୟନୀୟ ଅବସ୍ଥାରେ ଚଳୁଥିବା ଖବର ଶ୍ରମବିଭାଗ ପାଖରେ ନାହିଁ l ସରକାରଙ୍କ ମହାତ୍ମା ଗାନ୍ଧୀ ନିଶ୍ଚିତ ରୋଜଗାର ଯୋଜନା ଏବଂ ଜିଲ୍ଲାରେ ନିର୍ମିତ ବିରାଟ ବିରାଟ ଶିଳ୍ପାନୁଷ୍ଠାନ ଗୁଡ଼ିକ ଥାଇ ମଧ୍ୟ ଏମାନଙ୍କ ପରିବାରର ଭୋକିଲା ପେଟକୁ ଦାନା ମୁଠାଏ ଯୋଗାଇବା ଭଳି କାମଟେ ମିଳୁନାହିଁ l ଆଜି ବି ରାୟଗଡା ସହରରେ କାମ ପାଇଁ ଘୁରି ବୁଲୁଥିବା ଶ୍ରମିକର ପ୍ରଶ୍ନ ” ବାବୁ କାମ ଖଣ୍ଡେ ମିଳିବକି ” ? କିନ୍ତୁ ଜବାବ କାହା ଠାରେ ମଧ୍ୟ ନାହିଁ l ମୁକ୍ତ ଆକାଶ ତଳେ କଟୁଛି ଏହି ଶ୍ରମିକଙ୍କ ଜୀବନ । ତେବେ ଜିଲ୍ଲା ଶ୍ରମ ଅଧିକାରୀ ଏ ବିଷୟରେ ତଦନ୍ତ କରି ପଦକ୍ଷେପ ନେବେ ବୋଲି କହିଛନ୍ତି ।

କି ଖରା କି ବର୍ଷା କିଛି ବି ଖାତିର ନ କରି ନିଜ ପରିବାରର ଭୋକ ମେଣ୍ଟେଇବା ପାଇଁ ଶ୍ରମିକ ମାନେ ସହରକୁ ପ୍ରତ୍ୟେକ ଦିନ ଆସୁଛନ୍ତି । ଦେଖାଯାଉ ଏମାନଙ୍କ ସମସ୍ୟା କେବେ ଦୂର ହେଉଛି ।

 

You might also like