ଦାଦନ ଖଟିବାକୁ ଯାଇ ନିର୍ଯାତନାର ଶିକାର ହେଉଥିଲେ ଶ୍ରମିକ, ଉଦ୍ଧାର କଲା ଜିଲ୍ଲା ପ୍ରଶାସନ

ଦିନକୁ ଦିନ ବଢୁଛି ଦାଦନ ଶ୍ରମିକ ନିର୍ଯାତନା ଘଟଣା । ଦାନା ଯୋଗାଡ ପାଇଁ ଭିଟାମାଟିରୁ ବାହାର ରାଜ୍ୟକୁ ଯାଇ ନିର୍ଯାତିତ ହେଉଛନ୍ତି ନିରୀହ ଗରିବ । ବଲାଙ୍ଗିର ଜିଲ୍ଲା ବଡବନ୍ଧ ଗାଁର ୩୦ ଜଣ ଶ୍ରମିକ ଦାଦନ ଖଟିବାକୁ ଯାଇ ସିକନ୍ଦରାବାଦରେ ନିର୍ଯାତିତ ହେବା ପରେ ବହୁ ଦୁଖଃକଷ୍ଟରେ ଉଦ୍ଧାର ହୋଇ ଘରକୁ ଫେରିଛନ୍ତି । କିନ୍ତୁ ଏବେ ବି ମିଳୁଛି ଦାଦନ ସର୍ଦ୍ଦାରର ଧକମ ।
ସିକନ୍ଦରାବାଦ ଇଟାଭାଟିରେ ନିର୍ଯାତିତ ହେବା ପରେ ଭୋକ ଉପାସରେ ଜୀବନ ବିକଳରେ ଭିଟାମାଟିକୁ ଫେରିଛନ୍ତି ୩୦ ଜଣ ଶ୍ରମିକ । ବଲାଙ୍ଗିର ଜିଲ୍ଲା ନାନ୍ଦୁପଲା, ମହରାପଦର ଓ ସରମାହାଣ ଗାଁର କିଛି ଶ୍ରମିକ ତିନିମାସ ପୂର୍ବରୁ ଇଟାଭାଟିରେ କାମ କରିବାକୁ ବାହାର ରାଜ୍ୟକୁ ଯାଇଥିଲେ । ୩୦ ହଜାର ଅଗ୍ରିମ ଟଙ୍କା ଦେଇ ସିକନ୍ଦରାବାଦ ନେଇ ଯାଇଥିଲା ଦାଦନ ସର୍ଦ୍ଦାର । ଦାଦନ ପରିବାର ସହିତ ଅଧାରେ ପାଠପଢା ଛାଡି ବି କିଛି ଶିଶୁ ଦାଦନ ଖଟିବାକୁ ଯାଇଥିଲେ । ସେଠାରେ ପହଞ୍ଚିଲେ ପୁଣି ଅଧିକ ମଜୁରି ଦିଆଯିବ କହି ବାହାର ରାଜ୍ୟକୁ ନେଇଥିଲା ଦାଦନ ସର୍ଦ୍ଦାର । ହେଲେ ସେଠାରେ ଆରମ୍ଭ ହେଲା ନିର୍ଯାତନା । ମହିଲା ଶ୍ରମିକଙ୍କୁ ର୍ଦୁବ୍ୟବହାର ସହିତ ମାଡ ବି ଦିଆଗଲା । ଶେଷରେ ଜିଲ୍ଲା ପ୍ରଶାସନର ସହାୟତାରେ ଏବେ ସମସ୍ତ ଶ୍ରମିକ ଉଦ୍ଧାର ହୋଇଛନ୍ତି ।
ଏବେ ଏହି ଶ୍ରମିକ ଉଦ୍ଧାର ହୋଇ ଘରକୁ ସିନା ଆସିଛନ୍ତି ହେଲେ ବାରମ୍ବାର ଦାଦନ ସର୍ଦ୍ଦାରର ଧମକ ଆସୁଛି । ବଲାଙ୍ଗିର ଜିଲ୍ଲାରେ ଏହା ନୂଆ ଘଟଣା ନୁହେଁ । ବେଆଇନ ଭାବରେ ଶ୍ରମ ବିଭାଗର ଅଜାଣତରେ ଏବେ ହଜାର ହଜାର ଶ୍ରମିକ ବାହାର ରାଜ୍ୟରେ କାମ କରୁଛନ୍ତି । ଶ୍ରମିକ ନିର୍ଯାତନା ଅଭିଯୋଗ ପାଇବା ପରେ ଘଟଣା ପଦାକୁ ଆସୁଛି । ଏବେ ଏନେଇ ତଦନ୍ତ ଆରମ୍ଭ କରିଛି ଜିଲ୍ଲା ଶ୍ରମ ବିଭାଗ ।
ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ ବାହାର ରାଜ୍ୟକୁ ବେଆଇନ ଭାବରେ କାମ କରିବାକୁ ଯାଇଥାନ୍ତି । ସରକାରଙ୍କ ନିୟମ କାନୁନକୁ ଫୁକରି ଶ୍ରମିକ ଚାଲାଣ କରିଥାନ୍ତି ଦାଦନ ସର୍ଦ୍ଦାର । ଯଦି ଏହି ଶ୍ରମିକମାନଙ୍କୁ ଓଡ଼ିଶାରେ କାମ ମିଳନ୍ତା ତେବେ ଏମାନେ ହୁଏତ ବାହାର ରାଜ୍ୟକୁ ଖଟିବାକୁ ଯିବେ ନାହିଁ ।