ଗ୍ରାମାଞ୍ଚଳ କ୍ଷୁଦ୍ର ବ୍ୟବସାୟର ଚିରନ୍ତନ ବଜାର ବ୍ୟବସ୍ଥା ଓ ଜଳବାୟୁ ପରିବର୍ତ୍ତନ ସହଣୀ କୃଷି ସମ୍ପର୍କିତ କର୍ମଶାଳା

ଭୁବନେଶ୍ୱର : ଜଳବାୟୁ ପରିବର୍ତ୍ତନର ପ୍ରଭାବ ଦ୍ୱାରା ଚାଷୀ ଓ ଗ୍ରାମାଞ୍ଚଳର କ୍ଷୁଦ୍ର ବ୍ୟବସାୟୀ ମାନେ ଅଧିକ ମାତ୍ରାରେ ପ୍ରଭାବିତ ହେଉଛନ୍ତି । ପ୍ରାକୃତିକ ବିପର୍ଯୟ, ଅନିୟମିତ ବର୍ଷା ଓ ପାଣିପାଗରେ ନିରନ୍ତର ପରିବର୍ତ୍ତନ କୃଷି ଓ ଅଣକୃଷି ଉତ୍ପାଦିତ ଦ୍ରବ୍ୟ ଗୁଡିକର ଉତ୍ପାଦନ ଠାରୁ ବଜାର ବ୍ୟବସ୍ଥାର ସମସ୍ତ ଦିଗଗୁଡିକୁ ପ୍ରଭାବିତ କରୁଛି ।  ଜଳବାୟୁ ପରିବର୍ତ୍ତନର ପ୍ରଭାବ ଯୋଗୁଁ କୃଷି ଉତ୍ପାଦନ ହ୍ରାସ ପାଉଥିବାରୁ ଉତ୍ପାଦନ ବଢାଇବା ପାଇଁ ଚାଷୀ ମାନେ ବହୁ ପରିମାଣରେ ରାସାୟନିକ ସାର ଓ କୀଟନାଶକ ବ୍ୟବହାର କରିବା ଦ୍ଵାରା ଚାଷର ଖର୍ଚ୍ଚ ବଢିବା ସହ ଲାଭ କମ ହେଉଛି । ଏପରିକି ନୂତନ ପିଢ଼ିର ଯୁବକ ଯୁବତୀ ମାନେ ବର୍ତ୍ତମାନ କୃଷିକୁ ଏକ ବ୍ୟବସାୟ ଭାବେ ଗ୍ରହଣ କରୁନାହାନ୍ତି ।

ଜଳବାୟୁ ପରିବର୍ତ୍ତନ ସହଣୀ କୃଷି ବ୍ୟବସ୍ଥା ସହିତ ଗ୍ରାମାଞ୍ଚଳରେ ଉତ୍ପାଦିତ ହେଉଥିବା କୃଷି ଓ ଅଣ କୃଷି ଉତ୍ପାଦ ଗୁଡ଼ିକର ଚିରନ୍ତନ ବଜାର ବ୍ୟବସ୍ଥା ହୋଇପାରିଲେ କ୍ଷୁଦ୍ର ବ୍ୟବସାୟୀ ମାନେ ଉପକୃତ ହୋଇ ପାରିବେ । ଏକ ନିର୍ଦ୍ଧିଷ୍ଟ କୃଷି ଉତ୍ପାଦର ଚାଷ ପ୍ରଣାଳୀ, ପ୍ରକ୍ରିୟାକରଣ ଏବଂ ମୂଲ୍ୟ ଶୃଙ୍ଖଳ ସେବା ସହ ଗୋଟିଏ ଅଞ୍ଚଳରେ ବହୁ ପରିମାଣରେ ଚାଷ ହେଲେ ତାହାର ବଜାର ବ୍ୟବସ୍ଥା ସହଜ ହୋଇ ପାରିବ ଏବଂ ଉତ୍ପାଦନ କାରୀମାନେ ଲାଭ ପାଇପାରିବେ ।

ଏ ସମ୍ପର୍କରେ ହିନ୍ଦୁସ୍ତାନ ଇଣ୍ଟରନେସନାଲ ହୋଟେଲରେ ସ୍ୱେସ୍ଥାସେବୀ ଅନୁଷ୍ଠାନ ମହାଶକ୍ତି ଫାଉଣ୍ଡେସନର ୨୦ତମ ପ୍ରତିଷ୍ଠା ଦିବସ ସମାରୋହରେ ଉପସ୍ଥିତ ବକ୍ତାମାନେ ମତପ୍ରକାଶ କରିଛନ୍ତି । ଅନୁଷ୍ଠାନର ସଭାପତି ଡ଼. ଦେବାଶିଷ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ଆଲୋଚନା ଚକ୍ରରେ ଶ୍ରୀ ଏସ କେ ତାଲୁକଦାର, ସାଧାରଣ ପ୍ରବନ୍ଧକ ନାବାର୍ଡ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ ।

ଠିକ ସେହିପରି ସ୍ଥାୟୀ ବଜାର ବ୍ୟବସ୍ଥା ମାଧ୍ୟମରେ କ୍ଷୁଦ୍ର ଉଦ୍ୟୋଗକୁ ସୁଦୃଢ଼ କରିବା ଲାଗି ଶ୍ରୀ ରାଜଗୋପାଳ ଦାଶ, ଡେପୁଟି ସିଇଓ, ଓରମାସ, ଶ୍ରୀ ପ୍ରଦୀପ କୁମାର ଘୋଷାଲ, ସିଏସଆର ମୁଖ୍ୟ-ଟିପିସିଓଡିଏଲ୍ (ଟାଟା ପାୱାର), ଏଲଟିଆଇ ମାଇଣ୍ଡଟ୍ରି ଫାଉଣ୍ଡେସନର ଆସୋସିଏଟ ଡାଇରେକ୍ଟର-ଜିତେନ୍ଦ୍ର ଘଙ୍ଗାସ, ଶ୍ରୀ ଜିତେଶ ରଥ, ବରିଷ୍ଠ ଟିମ୍ ସଦସ୍ୟ ହିଣ୍ଡାଲ୍କୋ ଡାଉନଷ୍ଟ୍ରିମ୍, ସିଏସ୍ଆର୍ ସମନ୍ୱୟ ଏବଂଜିନ୍ଦଲ ଷ୍ଟେନଲେସ୍ ଲିମିଟେଡ୍-ଓଡ଼ିଶାର ସିଏସ୍ଆର୍ ମୁଖ୍ୟ ସୁକାନ୍ତ କୁମାର ରଥ ପ୍ରମୁଖ ମତବ୍ୟକ୍ତ କରିଥିଲେ।

କାର୍ଯ୍ୟକ୍ରମ ରେ ୩ ଗୋଟି ପୁସ୍ତକ ଉନ୍ମୋଚନ ହୋଇଥିଲା । କୃଷି କ୍ଷେତ୍ର ରେ ଉଲ୍ଲେଖନୀୟ ଅବଦାନ ପାଇଁ କୃଷକ ଉତ୍ପାଦକ କମ୍ପାନୀ ଗୁଡ଼ିକୁ ସମ୍ମାନୀତ କରାଯାଇଥିଲା । କାର୍ଯ୍ୟକ୍ରମ ରେ ଓଡ଼ିଶା ର ୧୫ ଗୋଟି ଜିଲ୍ଲା ରୁ ୨୦୦ ପ୍ରତିନିଧି ଯୋଗ ଦେଇଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like