ଆଜିଠୁ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା: କଂସଙ୍କ ଅଟ୍ଟହାସ୍ୟରେ କମ୍ପିବ ବରଗଡ଼

ବରଗଡ଼ : ଆଜିଠାରୁ ବିଶ୍ବର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା । ପରିବେଷଣ ହେବ କୃଷ୍ଣଲୀଳାର ବିଭିନ୍ନ ଦୃଶ୍ୟ । ଚଳିତ ଥର ୭୭ ବର୍ଷରେ ପଦାର୍ପଣ କରିଛି ବରଗଡ଼ ଧନୁଯାତ୍ରା । ଆଜି ଉଦଘାଟନୀ ଉତ୍ସବ । ଆଜିଠାରୁ ବରଗଡ଼ ସହର ପାଲଟିବ ଦ୍ବାପର ଯୁଗର ମଥୁରା ନଗରୀ । ବରଗଡ଼ରେ ଚାଲିବ କଂସ ରାଜୁତି। ପରମ୍ପରା ଅନୁସାରେ ମହାରାଜ କଂସଙ୍କ ନିର୍ଦ୍ଦେଶ ପାଳିବ ପୋଲିସ ପ୍ରଶାସନ। ସେହିପରି ଅମ୍ବାପାଲି ପାଲଟିବ ଗୋପପୁର ଓ ଜୀରା ନଦୀ ସାଜିବ ଯମୁନା । ସହରର ଲୋକ ମଣ୍ତପ ପଡ଼ିଆରେ ହୋଇଛି ମହାରାଜ କଂସଙ୍କ ରଙ୍ଗମହଲ ।

ହାଟପଦାରେ ମହାରାଜ କଂସଙ୍କ ଦରବାର ଚାଲିବ। କଂସଙ୍କ ଅଟ୍ଟହାସ୍ୟ ଓ ଆଦେଶରେ ଥରହର ହେବ ମଥୁରାନଗରୀ । ବରଗଡ଼ର ପ୍ରାୟ ସାତ କିଲୋମିଟର ପରିଧିରେ ୨୨ ଟି ମଞ୍ଚରେ ଧନୁଯାତ୍ରା ମହୋତ୍ସବ ଆୟୋଜିତ ହେବ । କଂସ ଦରବାର, ରଂଗମହଲ ଓ ନନ୍ଦ ଦରବାରରେ ପ୍ରତିଦିନ ଧନୁଯାତ୍ରାର ଦୃଶ୍ୟଗୁଡ଼ିକ ଅଭିନୀତ ହୋଇଥାଏ । ବରଗଡ଼ ସହରରେ କାନ୍ଥବାଡ଼ରେ ଅଙ୍କାଯାଇଛି ଧନୁଯାତ୍ରାର ବିଭିନ୍ନ ଚିତ୍ର ଓ ଚରିତ୍ର । ଧନୁଯାତ୍ରା ପାଇଁ ପୂରା ସହର ସଜେଇ ହୋଇଛି । ୧୩ ତାରିଖ ପର୍ଯ୍ୟନ୍ତ ୧୧ ଦିନ ଧରି ଚାଲିବ ଧନୁଯାତ୍ରା ।

ଅନ୍ୟପଟେ ବରଗଡ଼ର ବିଶ୍ବପ୍ରସିଦ୍ଧ ଧନୁଯାତ୍ରା ଲାଗି ରାଜ୍ୟ ସରକାର ଅନୁଦାନ ରାଶି ଦେଢ଼ କୋଟିକୁ ବୃଦ୍ଧି କରିଛନ୍ତି । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ ଓଡ଼ିଶା ସରକାରଙ୍କ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ସେ କହିଥିଲେ ଧନୁଯାତ୍ରାରେ ଏଥର ଓଡ଼ିଆ ଅସ୍ମିତାର ଝଲକ ଦେଖିବାକୁ ମିଳିବ । ଏହି ବର୍ଦ୍ଧିତ ଅନୁଦାନ ପାଇଁ ପ୍ରମୁଖ ୧୭୦ କଳାକାରଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସମ୍ମାନ ରାଶି ମିଳିବ। ଧନୁଯାତ୍ରାକୁ ୟୁନେସ୍କୋ ଐତିହ୍ୟ ମାନ୍ୟତା ପାଇଁ ବିଶେଷଜ୍ଞ କମିଟି ଗଠନ ହୋଇଛି । ସେହିପରି ଧନୁଯାତ୍ରା ସମ୍ପର୍କିତ ସମସ୍ତ ତଥ୍ୟ ଲାଗି ସରକାର ସ୍ୱତନ୍ତ୍ର ୱେବସାଇଟ୍ ନିର୍ମାଣ କରୁଥିବା ବେଳେ ରାଜ୍ୟବ୍ୟାପି ଏଲ୍ଇଡି ପରଦାରେ ଧନୁଯାତ୍ରାର ସିଧାପ୍ରସାରଣ ପାଇଁ ମଧ୍ୟ ପଦକ୍ଷେପ ନେଇଛନ୍ତି ।