ଅନୁଷ୍ଠିତ ହୋଇଯାଇଛି ବ୍ରହ୍ମପୁର ସହରର ଅଧିଷ୍ଠାତ୍ରୀ ଦେବୀ ମା’ ବୁଢ଼ି ସାଆନ୍ତାଣୀଙ୍କ ବିଶ୍ୱ ପ୍ରସିଦ୍ଧ ଠାକୁରାଣୀ ଯାତ୍ରା

ବ୍ରହ୍ମପୁର: ବିଶ୍ୱାସ ଅଛି ତ ଧର୍ମ ଅଛି, ଧର୍ମ ଅଛି ତ ଆଧ୍ୟାତ୍ମିକ ଚେତନା ମଧ୍ୟ ଅଛି । ଏସବୁ ଦେଖିବାକୁ ମିଳିଥାଏ ବହୁ ବର୍ଷ ଧରି ପ୍ରଚଳିତ ହୋଇ ଆସୁଥିବା ଆମ ସଂସ୍କୃତି ଓ ଆମ ପରମ୍ପରାରେ । ଆଉ ତାର ଅଂଶ ବିଶେଷ ହେଉଛି ବ୍ରହ୍ମପୁର ସହରରେ ପ୍ରତି ଦୁଇ ବର୍ଷକୁ ଥରେ ଅନୁଷ୍ଠିତ ହେଉଥିବା ସହରର ଅଧିଷ୍ଠାତ୍ରୀ ଦେବୀ ମା’ ବୁଢ଼ି ସାଆନ୍ତାଣୀଙ୍କ ବିଶ୍ୱ ପ୍ରସିଦ୍ଧ ଠାକୁରାଣୀ ଯାତ୍ରା । ଏହି ଯାତ୍ରାରେ ଯୋଡ଼ି ହୋଇ ରହିଛି ଅନେକ ପରମ୍ପରା, ସଂସ୍କୃତି ଓ ବିଶ୍ୱାସ । ସେହି ପରମ୍ପରା ପ୍ରକାରେ ଯାତ୍ରାର ପଞ୍ଚମ ଦିବସରେ ସହରର କମଳାବାରି ସାହି ବାସିନ୍ଦାଙ୍କ ପକ୍ଷରୁ ୬୦ ଫୁଟ ଉଚ୍ଚତା ବିଶିଷ୍ଟ ବାଉଁଶରେ ଧର୍ମଝଣ୍ଡା ପ୍ରସ୍ତୁତ କରାଯାଇ ମଣ୍ଡପର ସମ୍ମୁଖରେ ଡ଼ାହାଣ ପାର୍ଶ୍ବରେ ସ୍ଥାପନ କରାଯାଇଥାଏ । ଧର୍ମଝଣ୍ଡାର ଶୀର୍ଷରେ ମା’ଙ୍କ ପ୍ରତୀକ ରୂପେ ଲାଲ୍ ଓ କଳା କନାର ପତକା ଉଡ଼ୁଥାଏ । ଯାହା ପାଖଆଖ ଅଞ୍ଚଳକୁ ଯାତ୍ରା ଆରମ୍ଭର ବାର୍ତ୍ତା ଦେଇଥାଏ । ଧର୍ମଝଣ୍ଡାକୁ ମା’ଙ୍କ ପ୍ରତୀକ ରୂପେ ବିବେଚନା କରି ଭକ୍ତ ଶ୍ରଦ୍ଧାଳୁମାନେ ହଳଦୀ ପାଣି ଅର୍ପଣ କରି ପିଠା ପଣା ଭୋଗ ଲାଗି କରିଥାନ୍ତି । ବ୍ରହ୍ମପୁରରେ ଚାଲିଥିବା ମା’ ବୁଢ଼ି ସାଆନ୍ତାଣୀଙ୍କ ବିଶ୍ୱ ପ୍ରସିଦ୍ଧ ଠାକୁରାଣୀ ଯାତ୍ରା ବହୁ ପୁରାତନ । ଯାତ୍ରାର ଆକର୍ଷଣ ଓ ଧାର୍ମିକ ଚେତନା ଲୋକଙ୍କ ଏଠାକୁ ଟାଣି ଆଣିଥାଏ ।

ଯାତ୍ରାର ତୃତୀୟ ଦିବସରେ ମା’ ଚାଙ୍ଗୁଡ଼ିରୁ ବାହାରି ଘଟ ଭିତରେ ପ୍ରବେଶ କରିଥାନ୍ତି । ସେହିପରି ଯାତ୍ରାର ଚତୁର୍ଥ ଦିବସରେ ମା’ ଘଣ୍ଟ, ତାଳ ଓ ଚାଙ୍ଗୁ ବାଜାର ପଟୁଆରରେ ନଗର ପରିକ୍ରମାରେ ବାହାରିଥାନ୍ତି । ପ୍ରଥମେ ମହୁରୀଗଡ଼ ରାଜବାଟି ଯାଇ ରଜାଙ୍କୁ ଦର୍ଶନ ଦେବା ପରେ ପରମ୍ପରା ପ୍ରକାରେ କମଳାବାରି ସାହିକୁ ଯାଇ ଧର୍ମଝଣ୍ଡା ସ୍ଥାପନ ପାଇଁ ସେଠାକାର ବାସିନ୍ଦାଙ୍କୁ ନିମନ୍ତ୍ରଣ ଦେଇଥାନ୍ତି । କିଛି ନିର୍ଦ୍ଦିଷ୍ଟ ପରିବାର ଓ ସାହି ବାସିନ୍ଦା ପୁରୁଷାନୁକ୍ରମେ ମା’ଙ୍କ ବିଭିନ୍ନ ସେବା ପ୍ରଦାନ କରି ଆସୁଛନ୍ତି ।

ଏଣୁ ସାହି ଦାଣ୍ଡରେ ମା’ଙ୍କ ନିମନ୍ତ୍ରଣ ପାଇଁ ଲାଗି ପଡ଼ିଥାନ୍ତି ସାହି ବାସିନ୍ଦା । ପୁରୁଷ ପୁରୁଷ ଧରି କମଳାବାରି ସାହି ବାସିନ୍ଦା ହିଁ ଧର୍ମଝଣ୍ଡା ପ୍ରସ୍ତୁତିର କାର୍ଯ୍ୟ ତୁଲାଇ ଆସୁଛନ୍ତି । ଠାକୁରାଣୀ ଯାତ୍ରା ହେଲେ ବାହାରେ ରହୁଥିବା ଲୋକମାନେ ମଧ୍ୟ ପହଞ୍ଚି ଯାଇଥାନ୍ତି ନିଜ ନିଜ ଘରେ । ଏକାଠି ମିଶି ଧର୍ମଝଣ୍ଡାକୁ ପ୍ରସ୍ତୁତ କରିବା ସହ ଭାଇଚାରାର ବାର୍ତ୍ତା ଦେଇଥାନ୍ତି ସାହି ବାସିନ୍ଦା ।

Also Read: ଆରମ୍ଭ ହୋଇଯାଇଛି ଲଙ୍କାପୋଡ଼ି ଯାତ୍ରା, ସ୍ୱତନ୍ତ୍ର ମଞ୍ଚରେ ଚାଲିଲା ଦଶରଥଙ୍କ ଦରବାର