ଆଜି ବିଶ୍ବ ହସ୍ତତନ୍ତ ଦିବସ, ସୂକ୍ଷ୍ମ ସୂତାରେ ସୁନ୍ଦର ସୁନ୍ଦର ବାନ୍ଧଶାଢ଼ୀ ବୁଣି ନିଜର ହସ୍ତକଳାର ଦେଇଥାନ୍ତି ପରିଚୟ ବୁଣାକାର
କଣ୍ଟାମାଳ: ଆଜି ବିଶ୍ବ ହସ୍ତତନ୍ତ ଦିବସ । ରାଜ୍ୟର ସମସ୍ତ ବୁଣାକାରଙ୍କ ପାଇଁ ଖୁସିର ଦିନଟିଏ । ବୌଦ୍ଧ, ସୋନପୁର ଓ ଉଦଳାର ବୁଣାକାରମାନେ ସୂକ୍ଷ୍ମ ସୂତାରେ ସୁନ୍ଦର ସୁନ୍ଦର ବାନ୍ଧଶାଢ଼ୀ ବୁଣି ନିଜର ହସ୍ତକଳାର ଦେଇଥାନ୍ତି ପରିଚୟ । ମଙ୍ଗାରେ ଚାଲିଛି ଶାଢ଼ୀ ବୁଣା । ବିଭିନ୍ନ ଡିଜାଇନର ଶାଢ଼ୀ ବୁଣା ଚାଲିଛି । ପିଲାଠୁ ବୁଢ଼ା ସମସ୍ତେ ଲାଗିପଡିଛନ୍ତି ଶାଢ଼ୀ ବୁଣାରେ । ଜିଲ୍ଲାର ଗବଜୋର, ଜୁନାନି, ମନମୁଣ୍ଡା, ବାଉଁଶୁଣି, ମାର୍ଜାକୁଦ, ଚମ୍ପାପୁର,ବିଳାସପୁର ବୁଟୁପାଳି ପ୍ରଭୃତି ଗାଁରେ ଥିବା ୮ ହଜାର ଲୋକ ବୁଣୁଥିବା ବାନ୍ଧଶାଢ଼ୀ, ବମକେଇ , ପଶାପଲି ଶାଢ଼ୀର ଚାହିଦା ଦେଶ ବିଦେଶରେ ରହିଛି । ଦିନକୁ ଦିନ ବାନ୍ଧ ସୂତାର ଦାମ ବଢୁଛି । ବୁଣାକରମାନଙ୍କୁ ଉପଯୁକ୍ତ ପାରିଶ୍ରମିକ ଓ ପ୍ରୋତ୍ସାହନ କମି କମି ଯାଉଛି । ଫଳରେ ଅନେକ ବୁଣାକର ଏହି ବୃତ୍ତିରୁ ମୁହଁ ଫେରାଉଛନ୍ତି। ତେଣେ ରାଜ୍ୟ ବୟନିକା ସଭାପତି କହିଛନ୍ତି ବୁଣାକାରଙ୍କୁ ସବସିଡିରେ ସୂତା ଦେବା ସହ ସେମାନେ କିପରି ଆର୍ଥିକକ୍ଷେତ୍ରରେ ଉନ୍ନତି କରିବେ ଚେଷ୍ଟା କରିବେ।
ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ଚୁଳିଆପୋଷି ଗାଁରେ ହସ୍ତତନ୍ତରେ ବିଭିନ୍ନ ପ୍ରକାର ଲୁଗା ତିଆରି କରି ମହିଳାମାନେ ହୋଇ ପାରିଛନ୍ତି ସ୍ବାବଲମ୍ବୀ । ୨୦୧୮ରେ ଏକ ସଂସ୍ଥା କିଛି ମହିଳାଙ୍କୁ ତନ୍ତରେ ଲୁଗା ତିଆରି କରିବାର ପ୍ରଶିକ୍ଷଣ ଦେଇଥିଲେ। ଏହା ପରେ ମହିଳାମାନେ ଆଉ ପଛକୁ ଫେରି ଚାହିଁ ନାହାନ୍ତି । ୩୦୦ରୁ ଊର୍ଦ୍ଧ୍ବ ମହିଳା ଡଙ୍ଗରିଆ, ସିମିନୋଇ, ସାନ୍ତାଳୀ, ଝୋଟିଶାଢ଼ୀ ଓ ଫଡ଼ାକୁମ୍ଭ ଶାଢି ବୁଣୁଛନ୍ତି । ବିଭିନ୍ନ ଗଛର ଛାଲି, ପତ୍ର ଓ ବିଭିନ୍ନ ଫୁଲରୁ ରଙ୍ଗ ପ୍ରସ୍ତୁତ କରି ଶାଢ଼ୀ ତିଆରି କରିଥାଆନ୍ତି । ଚାଲିଛି ରଙ୍ଗ କାମ । ପ୍ରଥମେ ଗରମ ପାଣିରେ ଓଜନ ହୋଇଥିବା ରଙ୍ଗକୁ ମିଶାଯାଉଛି । ଆଉ ପରେ ପରେ ପ୍ରସ୍ତୁତ ରଙ୍ଗରେ ସୂତାକୁ କରାଯାଉଛି ରଙ୍ଗୀନ । ଠିକ ସେହିଭଳି ବାନ୍ଧକୁ ମଧ୍ୟ ରଙ୍ଗ କରାଯାଉଛି । ରିଠା ଫଳ,ମଂଜିଷ୍ଟା,ଲାଖ,ଧାତକି ଫୁଲ,ହରିଡା,ଗେଣ୍ଡୁ ଫୁଲ,ଡାଳିମ୍ୱ ଚୋପାରୁ ଭେଜିଟେବୁଲ ରଙ୍ଗ ପ୍ରସ୍ତୁତ ହେଉଛି । ଚାକିରିରୁ ଅବସର ପରେ ବାନ୍ଧଶିଳ୍ପୀ ପ୍ରଫୁଲ୍ଲ ମେହେର ପୁଣିଥରେ ଭେଜିଟେବୁଲ ରଙ୍ଗରେ ଶାଢୀ ତିଆରି କରୁଛନ୍ତି ।