ମୋ ସ୍ତ୍ରୀ ସୋନାଲି ପଣ୍ଡାକୁ ଛାଡୁନାହାନ୍ତି ଯାତ୍ରା ମାଲିକ : ଅଭିଯୋଗ ଆଣିଲେ ତୁଳସୀ ଯାତ୍ରା ପାର୍ଟିର ପୂର୍ବତନ ମ୍ୟାନେଜର

ଭୁବନେଶ୍ୱର : ନରି ପଣ୍ଡାଙ୍କ ପରେ ତୁଳସୀ ଯାତ୍ରା ପାର୍ଟି ମାଲିକ ନାଣ୍ଡୁ ବାବୁଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ତୁଳସୀ ଯାତ୍ରା ପାର୍ଟିର ପୂର୍ବତନ ମ୍ୟାନେଜର ଜନ୍ । ତୁଳସୀ ଗଣନାଟ୍ୟରେ ଅଭିନୟ କରୁଥିବା ସୋନାଲି ପଣ୍ଡାଙ୍କୁ ଯାତ୍ରା ପାର୍ଟି ଛାଡୁନଥିବା ଅଭିଯୋଗ ଆଣିଛନ୍ତି ସୋନାଲିଙ୍କ ସ୍ବାମୀ ଜନ୍ । ସେ କହିଛନ୍ତି ଯେ ମୋ ସ୍ତ୍ରୀକୁ ଛାଡୁ ନାହାନ୍ତି ତୁଳସୀ ଯାତ୍ରା ପାର୍ଟି ମାଲିକ । ଯେତେ କହିଲେ ବି ଫେରାଉ ନାହାନ୍ତି ।
ଏହା ମଧ୍ୟ କହିଛନ୍ତି ମୋ ସ୍ତ୍ରୀ ସୋନାଲି ପଣ୍ଡାକୁ ତୁଳସୀ ଗଣନାଟ୍ୟ ମାଲିକ ନାଣ୍ଡୁ ବାବୁ ଓରଫ ଅନନ୍ତ ନାରାୟଣ ଧଳ ନିଜ ପାଖରେ ରଖିଛନ୍ତି । ଯାତ୍ରା ପାର୍ଟି ଅଭିନେତ୍ରୀ ସୋନାଲି ପଣ୍ଡାଙ୍କୁ ମୁଁ ବିବାହ କରିଛି । ଆମର ଏକ ପୁଅ ବି ଅଛି । ମୁଁ ମୋ ପୁଅ ସହିତ ୧୨ ବର୍ଷ ହେବ ପାରିକୁଦରେ ରହୁଛି । ହେଲେ ମୋ ସ୍ତ୍ରୀ ସୋନାଲି ପଣ୍ଡା ଏବେ ନାଣ୍ଡୁ ବାବୁଙ୍କ ପାଖରେ । ମୁଁ ଅନେକ ଥର ମୋ ସ୍ତ୍ରୀଙ୍କୁ ମୋ ପାଖକୁ ଫେରାଇବାକୁ କହିଛି , ହେଲେ ତୁଳନୀ ଗଣନାଟ୍ୟ ମାଲିକ ଶୁଣୁନଥିବା କହିଛନ୍ତି ତୁଳସୀ ଯାତ୍ରା ପାର୍ଟିର ପୂର୍ବତନ ମ୍ୟାନେଜର ଜନ୍ ।
ସେପଟେ ଗଣମାଧ୍ୟମରେ ମୁହଁ ଖୋଲିଛନ୍ତି ଅଭିନେତ୍ରୀ ସୋନାଲି ପଣ୍ଡା । ତାଙ୍କ ସ୍ବାମୀ ଜନ ଆଣିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି। କହିଛନ୍ତି, ୧୨ବର୍ଷ ତଳେ ସେ ଜନଙ୍କୁ ପ୍ରେମ ବିବାହ କରିଥିଲେ । ମାତ୍ର ତାଙ୍କ ପ୍ରତି ଅନେକ ନିର୍ଯାତନା ଦିଆଯାଇଛି । ସେ ଜୀବନରୁ ମାରିଦେବା ପାଇଁ ଉଦ୍ୟମ କରିଥିଲେ । ସେତେବେଳେ ଯାତ୍ରା ପାର୍ଟି ମାଲିକ ଶ୍ରୀ ଧଳଙ୍କ ବାପା ତାଙ୍କୁ ଉଦ୍ଧାର କରି ଘରକୁ ନେଇଯାଇଥିଲେ । ଏବେ ସେ ନିଜ ଇଚ୍ଛାରେ ପାର୍ଟିରେ କାମ କରୁଛନ୍ତି। ଭଲରେ ଅଛନ୍ତି। ଜନ ୧୨ ବର୍ଷ ହେଲା କେଉଁଠି ଥିଲେ ବୋଲି ପ୍ରଶ୍ନ କରିଛନ୍ତି ସୋନାଲି ।
ଏହି ଘଟଣାକୁ ନେଇ ମାଲିକ ଅନନ୍ତ ନାରାୟଣ ଧଳ କହିଛନ୍ତି, ଏହି ଘଟଣା ପୁରା ମିଛ । ଏହି ବାବଦରେ ମତେ ନ ପଚରି ସୋନାଲିଙ୍କୁ ପଚାରିଲେ ଖୁବ ଭଲ ହେବ । ମତେ ବଦନାମ ପାଇଁ ଏପରି କରାଯାଉଛି ବୋଲି ମାଲିକ ଅନନ୍ତ ନାରାୟଣ ଧଳ କହିଛନ୍ତି ।
ଆହୁରି ପଢ଼ନ୍ତୁ : ଜମୁଛି ମାଆଙ୍କ ଘଟଯାତ୍ରା; ବୁଲୁଛନ୍ତି ରାମ କୃଷ୍ଣ ବେଶଧାରୀ