ରାଜ୍ୟ ସରକାରଙ୍କ ମାଳ ମାଳ ଯୋଜନା, ହେଲେ ଭିନ୍ନକ୍ଷମଙ୍କ ନିକଟରେ ପହଞ୍ଚିପାରୁନି ସୁବିଧା

ଯାଜପୁର ଟାଉନ (କେନ୍ୟୁଜ): ଗରିବ ହିତାଧିକାରୀଙ୍କ ପାଇଁ ଉଭୟ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ମାଳ ମାଳ ଯୋଜନା ଥିଲେ ସୁଦ୍ଧା ପ୍ରକୃତ ହିତାଧିକାରୀଙ୍କ ନିକଟରେ ଏହି ଯୋଜନା ଗୁଡିକ ସଫଳ ରୂପେ ପହଂଚିି ପାରୁ ନାହିଁ । ପଂଳରେ ଅନେକ ସମୟରେ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ମିଳିପାରୁନି ପ୍ରକୃତ ଯୋଜନା । ଯାଜପୁର ଦଶରଥପୁର ବ୍ଲକ ଅନ୍ତର୍ଗତ ବିରିପଟ୍ଟା ପଂଚାୟତ ବରେଇ ଗ୍ରାମର ଗଦାଧର ଦାସଙ୍କ କ୍ଷେତ୍ରରେ କିଛି ଏମିତି ଘଟିଥିବା ଅଭିଯୋଗ ହୋଇଛି । ଗଦାଧର ଭିନ୍ନକ୍ଷମ ହୋଇଥିଲେ ମଧ୍ୟ ତାଙ୍କୁ ଆଜି ପର୍ଯ୍ୟନ୍ତ କୌଣସି ସୁବିଧା ସୁଯୋଗ ମିିଳିପାରୁନାହିଁ । ଅର୍ଥାଭାବରୁ ତାଙ୍କର ଚିକିତ୍ସା ହୋଇ ପାରୁନଥିବାରୁ ଏଦିଗରେ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯିବ ବୋଲି ଅତିରିକ୍ତ ଜିଲାପାଳ ପ୍ରତିଶୃତି ଦେଇଛନ୍ତି ।

ଗଦାଧର ଦାସ ,ବୟସ ୬୪ । ସ୍ତ୍ରୀ ଓ ଗୋଟିଏ ପୁଅ ଓ ଝିଅକୁ ନେଇ ସଂସାର । ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଗଦାଧର ଏବେ ଘରେ ବସିରହିଛନ୍ତି । ଭୁବନେଶ୍ୱରରେ ଏକ ଘରୋଇ ସିକ୍ୟୁରିଟି ସଂସ୍ଥାରେ ସିକୁରିଟି ଗାର୍ଡ଼ ଭାବେ କାର୍ଯ୍ୟ କରୁଥିବା ସମୟରେ ହଠାତ୍ ତାଙ୍କୁ ହୃଦଘାତ ହୋଇଥିଲା । ତାଙ୍କ ସହକର୍ମୀଙ୍କ ଦ୍ୱାରା ଚିକିତ୍ସା ହୋଇଥିଲା କିନ୍ତୁ ଏବେ ଅପରେସନ ପାଇଁ ଅର୍ଥ ବାଧକ ସାଜିଛି । ପଂଳରେ ଭିନ୍ନକ୍ଷମ ଅବସ୍ଥାରେ ଥାଇ ଘରେ ପଡିରହିଛନ୍ତି । ତାଙ୍କ କାନକୁ ଭଲଭାବେ ଶୁଭୁନାହିଁ । ହେଲେ ତାଙ୍କୁ ଏ ଯାଏ ମିଳିନାହିଁ ଭିନ୍ନକ୍ଷମ କି ବାର୍ଦ୍ଧକ୍ୟ ଭତା । ସରକାରଙ୍କ ପକ୍ଷରୁ ମିଳୁଥିବା ରାସନ ହିଁ ତାଙ୍କର ସାହା ଭରଷା । ବନ୍ଧୁବାନ୍ଧବ ଓ ସାହି ଭାଇଙ୍କ ପକ୍ଷରୁ ଧାର କରଜ କରି ନିଜର ମାସିକ ଔଷଧ ଖର୍ଚ କରୁଥିବାର ଦେଖିବାକୁ ମିଳିଛି । ସବୁଠାରୁ ବଡ଼ ଦୁଃଖର ବିଷୟ ମୁଣ୍ଡ ଗୁଞ୍ଜିବା ପାଇଁ ତାଙ୍କୁ ମିଳି ନାହିଁ ଆବାସ ଗୃହ । ବର୍ଷା ହେଲେ ପାଲ ପଡିଥିବା ଚାଳଛପର ଘରେ ପରିବାର ପାଇଁ ଚଳିବା ମୁସ୍କିଲ ।

ବାରମ୍ୱାର ଭତା ପାଇଁ ଆବେଦନ କରିଥିଲେ ସୁଦ୍ଧା ଏଯାବତ ତାଙ୍କ ଦୁଃଖ କୌଣସି ପ୍ରଶାସନିକ ଅଧିକାରୀ ହୁଅନ୍ତୁ ବା ଲୋକପ୍ରତିନିଧି କେହିହେଲେ ବୁଝିନାହାଁନ୍ତି । ପ୍ରତିଥର ପ୍ରତିଶୃତି ମିଳୁଛି ହେଲେ ପ୍ରତିଶୃତି ହୋଇଯାଇଛି ପାଣିର ଗାର । ଗଦାଧରଙ୍କ ଅବସ୍ଥା ବଦଳି ନାହିଁ । ନିର୍ବାଚନ ଆସିଲେ ମିଳେ ମିଛ ପ୍ରତିଶୃତି । ଗୋଟିଏ ପଟେ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଛି ଅନ୍ୟପଟେ ପରିବାର ଚଳାଇବା ପାଇଁ ମଧ୍ୟ ନାନା ହଇରାଣ ହେବାକୁ ପଡୁଛି । ଏ ପରିସ୍ଥିତିରେ ଗଦାଧରଙ୍କ ସ୍ତ୍ରୀ କହିଛନ୍ତି ତାଙ୍କୁ ଯଦି ପ୍ରଶାସନିକ ସ୍ତରରେ ଚିକିତ୍ସାର ବ୍ୟବସ୍ଥା କରିଲେ ତାଙ୍କ ସ୍ୱାମୀ ଙ୍କୁ ସେ ଚିକିତ୍ସା କରାଇପାରନ୍ତେ । ଏଥିସହିତ ଭତା ଓ ଆବାସ ଗୃହ ଖଣ୍ଡେ ପାଇବା ପାଇଁ ଗଣମାଧ୍ୟମ ମାଧ୍ୟମରେ ପ୍ରଶାସନକୁ ନିବେଦନ କରିଛନ୍ତି । ସେପଟେ ଏ ନେଇ ଆମେ ଯାଜପୁର ଜିଲାପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲୁ । ଏ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଅତିରିକ୍ତ ଜିଲାପାଳ ଅକ୍ଷୟ କୁମାର ମଲ୍ଲିକ ପ୍ରତିଶୃତି ଦେଇଛନ୍ତି । ସରକାର ବିଭିନ୍ନ ଯୋଜନା ପ୍ରଣୟନ କରି କାମ ସାରିଦେଉଛନ୍ତି କିନ୍ତୁ ଗଦାଧରଙ୍କ ଭଳି ଅନେକ ହିତାଧିକାରୀ ଏହାର ଲାଭପାଇବାରୁ ବଂଚିତ ହେଉଛନ୍ତି । ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବୀ ହୋଇଛି ।

Leave A Reply

Your email address will not be published.