ଯୁବ ଡାକ୍ତରଙ୍କ ନିଆରା ପ୍ରୟାସ, ବିବାହ ବାର୍ଷିକକୁ ସ୍ମରଣୀୟ ରଖିବା ପାଇଁ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇବା ସହ ବାଣ୍ଟିଲେ ଶୀତବସ୍ତ୍ର
କାମାକ୍ଷାନଗର: ବର୍ତ୍ତମାନ ସମୟରେ ଧୁମଧାମରେ ଆନିଭର୍ସରି ପାଳନ କରିବା ଯେମିତି ଏକ ଟ୍ରେଣ୍ଡ ହୋଇଗଲାଣି । ଆପଣ ଦେଖିଥିବେ ଯେ ଲୋକେ ନିଜର ବିବାହ ବାର୍ଷିକକୁ ସ୍ମରଣୀୟ ରଖିବା ନିମନ୍ତେ ବିଭିନ୍ନ ଢଙ୍ଗରେ ତଥା ବହୁ ଆଡମ୍ବରରେ ସେଲିବ୍ରେସନ କରନ୍ତି । ଅଧିକାଂଶ ଲୋକ ବଡ଼ ବଡ଼ ହୋଟେଲ, କ୍ଲବ, ମଣ୍ଡପରେ ବନ୍ଧୁବାନ୍ଧବ ଏବଂ ସାଙ୍ଗସାଥୀଙ୍କୁ ଏକାଠି କରି ବହୁ ଜାକ ଜମକରେ ଆନିଭର୍ସରି ପାଳନ କରୁଛନ୍ତି । ହେଲେ ଏମିତି କିଛି ହାତଗଣତି ବ୍ୟକ୍ତିତ୍ୱ ଅଛନ୍ତି ଯେଉଁମାନେ ଏଭଳି ଚାକଚକ୍ୟଠୁ ଦୂରେଇ ନିଆରା ଢଙ୍ଗରେ ସେହି ସ୍ଵତନ୍ତ୍ର ଦିନକୁ ପାଳିବାକୁ ପସନ୍ଦ କରିଥାନ୍ତି ।
ଯାହାର ଏକ ଉଦାହରଣ ଦେଖିବାକୁ ମିଳିଛି କାମାକ୍ଷାନଗରରେ । ଜଣେ ଯୁବ ଡାକ୍ତର ନିଜ ବିବାହ ବାର୍ଷିକୀରେ କିଛି ଏମିତି ମହତ କାମ କରିଛନ୍ତି ଯାହା ସବୁଦିନ ପାଇଁ ସ୍ମରଣୀୟ ହୋଇରହିବ । ହଁ ଆଜ୍ଞା ବିବାହ ବାର୍ଷିକୀରେ ଯୁବ ଡାକ୍ତର ନେଇଛନ୍ତି ଏକ ନିଆରା ନିଷ୍ପତି । ନିଜ ବିବାହ ବାର୍ଷିକୀକୁ ସ୍ମରଣୀୟ କରିବା ପାଇଁ ଅପହଞ୍ଚ ଅଞ୍ଚଳରେ ପହଞ୍ଚି ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇବା ସହ ଶୀତବସ୍ତ୍ର ବଣ୍ଟନ କରିଛନ୍ତି କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟର ଯୁବ ଡାକ୍ତର ପୁଣ୍ୟଶ୍ଳୋକ ପତି ।
କଙ୍କଡାହାଡ଼ ବ୍ଲକ ଆଦିବାସୀ ଅଧ୍ୟୁଷିତ ବାମ ପଞ୍ଚାୟତର ଅପହଞ୍ଚ ଇଲାକା ଭାବେ ପରିଗଣିତ ପାକଟମୁଣ୍ଡା ଗ୍ରାମରେ ପହଞ୍ଚି ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ହେଉଥିବା ଲୋକଙ୍କୁ ନିଜସ୍ୱ ଉଦ୍ୟମରେ ଘର ପାଖରେ ସ୍ୱାସ୍ଥ୍ୟସେବା ଯୋଗାଇଛନ୍ତି ଡାକ୍ତର ପତି । ଅପହଞ୍ଚ ଇଲାକାରେ ପହଞ୍ଚି ଲୋକଙ୍କୁ ମାଗଣାରେ ବିଭିନ୍ନ ସ୍ୱାସ୍ଥ୍ୟ ପରୀକ୍ଷା ଯଥା ରକ୍ତଚାପ, ଗ୍ୟାଷ୍ଟ୍ରିକ ସମସ୍ୟା, ଡ଼ାଇବେଟିସ, ଥଣ୍ଡା, ଜ୍ୱର, ଇତ୍ୟାଦିର ଚିକିତ୍ସା କରିବା ସହ ନିଶୁକ୍ଳ ଔଷଧ ବଣ୍ଟନ କରିଛନ୍ତି ଏହି ଯୁବ ଡାକ୍ତର ।
ଏହା ସହିତ ଏହି ଗ୍ରାମରେ ବସବାସ କରୁଥିବା ଲୋକମାନଙ୍କୁ ଶୀତ ଦାଉରୁ ରକ୍ଷା ପାଇଁ କମ୍ବଳ ମଧ୍ୟ ବଣ୍ଟନ କରିଛନ୍ତି ଡାକ୍ତର ପତି । କେବଳ ଯେ ଏ ବର୍ଷ ସେ ଏଭଳି ମହତ କାର୍ଯ୍ୟ କରିଛନ୍ତି ତା ନୁହେ, ସେ ପ୍ରତିବର୍ଷ ନିଜ ବିବାହ ବାର୍ଷିକୀରେ ଆସି ଗ୍ରାମବାସୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ମାଗଣାରେ ଔଷଧ, କମ୍ବଳ ଆଜି ବାଣ୍ଟିଥାନ୍ତି । ଯୁବ ଡାକ୍ତରଙ୍କ ଏହି ମହନୀୟ କାର୍ଯ୍ୟ ଫଳରେ ଅପହଞ୍ଚ ଅଞ୍ଚଳର ଲୋକମାନେ ସୁବିଧାରେ ନିଜ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ସହ ଡାକ୍ତରଙ୍କ ଏଭଳି ମହାନ କାର୍ଯ୍ୟକୁ ଖୁବ ପ୍ରଶଂସା କରିବା ସହ ତାଙ୍କ ଉତ୍ତୋରତର ମଙ୍ଗଳ କାମନା କରିଛନ୍ତି ।
ସତରେ ନିଜର ଏକ ବହୁତ ଖାସ୍ ଦିନରେ ଏମିତି ମହତ କାମ କରିବା ନିଶ୍ଚିତ ଭାବେ ଏକ ବଡ କଥା । ଆଜିର ଏ ସ୍ୱାର୍ଥପର ଦୁନିଆରେ ମଣିଷ ମଣିଷକୁ ପଚାରୁନି ଏଭଳି ପରିସ୍ଥିତିରେ ଯୁବ ଡାକ୍ତରଙ୍କର ଲୋକଙ୍କ ପାଇଁ ଏଭଳି ସେବା ମନୋଭାବାନା ଖୁବ କମ୍ ଦେଖିବାକୁ ମିଳିଥାଏ । ଯାହା ଆଜିର ଯୁବପିଢିଙ୍କ ପାଇଁ ଏକ ଉଦାହରଣ ନିଶ୍ଚୟ ।