ଗରିବ ଲୋକଙ୍କ ସ୍ୱାସ୍ଥ୍ୟସେବା ପାଇଁ ଅଣ୍ଟା ଭିଡିଛନ୍ତି ଯୁବ ଡାକ୍ତରାଣୀ ଶୋଭାଲିନ

ତାଳଚେର: ଡାକ୍ତରାଣୀ ହେବ ତ ଏମିତି । ପେଶା ଡାକ୍ତର କିନ୍ତୁ ନିଶା ଗରିବ ରୋଗୀଙ୍କ ସେବା କରିବା । ନିଜ ଖର୍ଚ୍ଚରେ ବସ୍ତି ଅଞ୍ଚଳକୁ ଯାଇ ମାଗଣାରେ ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ସହ ଦେଇ ଆସୁଛନ୍ତି ଔଷଧ । ଗରିବ ଲୋକଙ୍କ ସ୍ୱାସ୍ଥ୍ୟସେବା ପାଇଁ ଅଣ୍ଟା ଭିଡିଛନ୍ତି ତାଳଚେର ଅଞ୍ଚଳର ଯୁବ ଡାକ୍ତରାଣୀ ଶୋଭାଲିନ ସାହୁ । ତାଳଚେର ଅଞ୍ଚଳରେ ଗଢି ଉଠିଥିବା ବସ୍ତି ଅଞ୍ଚଳରେ ଏବେ ସ୍ୱାସ୍ଥ୍ୟ ସେବା ପାଇଁ ଖୋଜାପଡୁଛି ଡାକ୍ତର ଶୋଭାଲିନଙ୍କୁ । ତାଙ୍କର ବ୍ୟସ୍ତ ବହୁଳ ସମୟ ଭିତରୁ କିଛି ସମୟ ବାହାର କରି ବସ୍ତି ଅଞ୍ଚଳକୁ ଯାଇ ସ୍ବାସ୍ଥ୍ୟସେବା ଯୋଗାଇ ଦେଉଥିବାରୁ ବେଶ ଖୁସି ଅଛନ୍ତି ବସ୍ତି ବାସିନ୍ଦା ।

ତାଳଚେର ଅନନ୍ତ ବିହାର ଅଞ୍ଚଳର ସଞ୍ଜୟ କୁମାର ସାହୁ ଓ କାକଳି ପ୍ରଧାନଙ୍କ ଏକ ମାତ୍ର ଝିଅ ଶୋଭାଲିନ ସାହୁ । କଳିଙ୍ଗ ଡିଏଭି ପବ୍ଲିକ ସ୍କୁଲରେ ନିଜର କଲେଜ କ୍ୟାରିୟର ସାରିବା ପରେ ପଣ୍ଡିଚେରୀ ଠାରେ ଡାକ୍ତରୀ ପାଠ ସାରି ଏବେ ଭୁବନେଶ୍ୱରର ଏକ ଘରୋଇ ଚିକିତ୍ସାଳୟରେ ଡାକ୍ତର ଭାବେ କାର୍ଯ୍ୟରତ ଅଛନ୍ତି । ପିଲାଟି ଦିନୁ ଗରିବ ଲୋକଙ୍କ ସେବା କରିବା ପାଇଁ ଇଚ୍ଛା ରଖିଥିବା ବେଳେ ଏବେ ତାଙ୍କ ଜୀବନରେ ଆଉ ଗୋଟିଏ ଅଧ୍ୟାୟ ଯୋଡି ହୋଇଯାଇଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ତାଙ୍କୁ ବିଭିନ୍ନ ଦେଶକୁ ଯାଇ ଗରିବ ଲୋକଙ୍କ ସେବା କରିବା ପାଇଁ ବିଶ୍ୱ ସଂସ୍କୃତି ଏବଂ ପରିବେଶ ସୁରକ୍ଷା କମିଶନ ସଦସ୍ୟତା ପ୍ରମାଣପତ୍ର ସହ ସମ୍ମାନ ଜନକ ଡାକ୍ତରୀ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଛି । ଯେଉଁଥିରେ ସେ ଓଡିଶାରୁ ଆରମ୍ଭ କରି ଦେଶ ବିଦେଶରେ ତାଙ୍କର ସ୍ୱାସ୍ଥ୍ୟ ସେବା ଯୋଗାଇଦେବାକୁ ଲକ୍ଷ ରଖିଛନ୍ତି ।

ରୋଗୀ ସେବାକୁ ବ୍ରତ ଭାବି ଏଭଳି କାର୍ଯ୍ୟ କରୁଥିବାରୁ ଚାରିଆଡୁ ଶୁଭେଛାର ସୁଅ ଛୁଟିବାରେ ଲାଗିଛି । ପୂର୍ବରୁ ତାଳଚେର ସରକାରୀ ଚିକିତ୍ସାଳୟରେ ସେ କାର୍ଯ୍ୟରତ ଥିବା ବେଳେ ଗରିବ ଲୋକଙ୍କର ସମସ୍ୟାକୁ ଦେଖି ତାଙ୍କ ନିକଟକୁ ଯାଇ ସେବା ଯୋଗାଇଦେବାକୁ ସେ ପ୍ରେରଣା ପାଇଥିଲେ । ଦିନକୁ ଦିନ ତାଳଚେର ଅଞ୍ଚଳରେ ପ୍ରଦୂଷଣର ମାତ୍ରା ବୃଦ୍ଧି ଯୋଗୁଁ ରୋଗୀ ସଂଖ୍ୟା ଦିନକୁ ଦିନ ବଢୁଛି। ତେଣୁ ତାଳଚେରର ବିଭିନ୍ନ ବସ୍ତି ଅଞ୍ଚଳରେ ସେ ଏହି ମାଗଣା ସ୍ବାସ୍ଥ୍ୟ ସେବା କାର୍ଯ୍ୟ ଆରମ୍ଭ କରିଛନ୍ତି । ତେବେ ଏଭଳି କାର୍ଯ୍ୟ ପାଇଁ ବସ୍ତି ବାସିନ୍ଦାଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ବାପା ମା ଦେଖିଥିବା ସ୍ୱପ୍ନକୁ ଝିଅ ପୂରଣ କରିଥିବାରୁ ବେଶ ଖୁସି ଅଛନ୍ତି ଡାକ୍ତର ଶୋଭାଲିନଙ୍କ ବାପା ମା । ସେପଟେ ଝିଅର ଏଭଳି କାର୍ଯ୍ୟକୁ ନେଇ ବେଶ ଉତ୍ସାହିତ ହେବା ସହ ଆଗାମୀ ଦିନରେ ଏଭଳି କାର୍ଯ୍ୟ ଜାରି ରଖିବା ପାଇଁ ଝିଅକୁ ସମର୍ଥନ ଜାରି ରହିବ ବୋଲି ତାଙ୍କ ପରିବାର ପକ୍ଷରୁ କୁହାଯାଇଛି ।

ଅନେକ ଲୋକ ଡାକ୍ତରୀ ପେଷାରେ ରହିଥିଲେ ମଧ୍ୟ ଶୋଭାଲିନଙ୍କ ଭଳି ଡାକ୍ତର ଏବେ ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଥିବା ବେଳେ ସମାଜ ପାଇଁ ସେ ପାଲଟିଛନ୍ତି ଦେବଦୂତ ।

Also Read: ଡାକ୍ତର ହେବେ ପ୍ରଥମ ଆଦିମ ଦିଦାୟୀ ଯୁବତୀ ଚମ୍ପା ରାସପେଦା