ହ୍ଵାଟ୍‌ସ ଆପ୍‌ରେ ଆସିଥିଲା ନ୍ୟୁଡ୍‌ ଭିଡିଓ କଲ୍‌, ୨ ଲକ୍ଷ ଟଙ୍କା ଡିମାଣ୍ଡ କରି ଇଞ୍ଜିନିୟର ଠାରୁ ନେଇଗଲେ ୧୪ ହଜାର ଟଙ୍କା

କେନ୍ୟୁଜ୍(ବ୍ୟୁରୋ): ଅଚିହ୍ନା ଫୋନ ନମ୍ବରରୁ ମେସେଜ କିମ୍ବା ଭିଡିଓ କଲ ଆସୁଛି କି ? ସାବଧାନ ! ଆପଣ ବି ହୋଇପାରନ୍ତି ସାଇବର ଠକାମୀର ଶିକାର । ସାଇବର ଠକ ହ୍ଵାଟସ ଆପ୍‌ ଡିପିରେ ସୁନ୍ଦରୀଙ୍କ ଫଟୋ ଲଗାଇ ଲୋକଙ୍କୁ ଫାଶରେ ପକାଉଛନ୍ତି । ପ୍ରଥମେ ଅଚିହ୍ନା ଫୋନ ନମ୍ବରରୁ ମେସେଜ ଓ ବନ୍ଧୁତା । ପରେ ହ୍ଵାଟସ ଆପ୍‌ରେ ନ୍ୟୁଡ ଭିଡିଓ କଲ । ଆଉ କଲ ଧରିବା ମାତ୍ରେ ଫଟୋ ସ୍କ୍ରିନ ସଟ ନେଇ ଯାଆନ୍ତି ସାଇବର ଠକ । ଏହାପରେ ଫୋନ ରିସିଭ କରିଥିବା ବ୍ୟକ୍ତିଙ୍କ ଫଟୋକୁ ଏଡିଟ୍‌ କରି ଅଶ୍ଳୀଳ ଫଟୋରେ ଲଗାଇ ବ୍ଲାକମେଲିିଂ କରି ଲକ୍ଷାଧିକ ଟଙ୍କା ଲୁଟୁଛନ୍ତି । ଗତ ଜୁଲାଇରେ ଭୁବନେଶ୍ୱର ସାଇବର ଥାନାରେ ଏପରି ଦୁଇଟି ମାମଲା ରୁଜୁ ହୋଇଛି । ଆଉ ଠକାମୀର ଶିକାର ହୋଇଛନ୍ତି ଜଣେ ଇଞ୍ଜିନିୟର । ନ୍ୟୁଡ କଲ୍‌ ପରେ ଧମକାଇ ତାଙ୍କଠାରୁ ୨୫ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ସାଇବର ଠକ । ସେହିପରି ଆଜି ଆଉ ଜଣେ ଇଞ୍ଜିନିୟର ନ୍ୟୁଡ କଲରେ ଶିକାର ହୋଇ ହରାଇଛନ୍ତି ୧୪ ହଜାର ଟଙ୍କା ।

ନୂଆ ନୂଆ ଉପାୟରେ ଠକୁଛନ୍ତି ସାଇବର ଅପରାଧୀ । କେତେବେଳେ ଘରର ବକେୟା ବିଜୁଳି ବିଲ ପୈଠ ତ ଆଉ କେତେବେଳେ କୋରିୟରରେ କ୍ରେଡିଟ କାର୍ଡ ଦେବାକୁ କହି ଲୋକଙ୍କୁ ଠକୁଛନ୍ତି । ତେବେ ଅଜଣା ଫୋନ ନମ୍ବରରୁ ଏପରି କଲ କି ମେସେଜ ଆସିଲେ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଭୁବନେଶ୍ୱର ଡିସିପି ।

ଜୁଲାଇରେ ଭୁବନେଶ୍ୱରରେ ବିଭିନ୍ନ ଲୋକଙ୍କୁ ଠାରୁ ସାଇବର ଠକ ମୋଟ୍‌ ୧ କୋଟି ୩୮ ଲକ୍ଷ ୬୪ ହଜାର ୬୯୪ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି । ସେଭିତରୁ ୧୧ ଲକ୍ଷ ୩୯ ହଜାର ୯୪୧ ଟଙ୍କା ଠକଙ୍କ ପାଖରୁ ଫେରାଇ ଆଣିବାରେ ସକ୍ଷମ ହୋଇଛି ସାଇବର ଥାନା । ୧୮ ଲକ୍ଷ ୯୮ ହଜାର ୯୦୭ ଟଙ୍କା ବ୍ଲକ କରାଯାଇଛି । ଜୁଲାଇରେ ସାଇବର ଥାନାରେ ମୋଟ୍‌ ୭ଟି ମାମଲା ରୁଜୁ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.