ପେସାରେ ଇଞ୍ଜିନିୟର, ହେଲେ ନିଶା ଚାଷ ! ଛାଡିଦେଲେ ଆମେରିକାର ଚାକିରି

ନିଆଳି ପେସାରେ ଇଞ୍ଜିନିୟର, ହେଲେ ନିଶା ଚାଷ । ଏଥିପାଇଁ ଆମେରିକାର ଲକ୍ଷ ଲକ୍ଷ ଟଙ୍କା ଦରମାର ଚାକିରି ଛାଡି ଗାଁରେ ଚାଷ କରୁଛନ୍ତି ପ୍ରଦ୍ୟୋତ କୁମାର ଜେନା । ନିଆଳି ଦହିଜଙ୍ଗ ଗାଁର ପ୍ରଦ୍ୟୋତଙ୍କର ପିଲାଦିନୁ ଚାଷ ପ୍ରତି ଥିଲା ବେଶ୍‌ ଦୁର୍ବଳତା । ଏଥିପାଇଁ ସେ ଆମେରିକାରୁ ଲକ୍ଷ ଲକ୍ଷ ଟଙ୍କା ଦରମାର ଚାକିରି ଛାଡି ଗାଁରେ ଚାଷ କରୁଛନ୍ତି । ୧୦ ଏକର ପରିମିତ ଜମିରେ ଉଭୟ ରାସାୟନିକ ଓ ଜୈବିକ ପଦ୍ଧତିରେ ଚାଷ କରୁଛନ୍ତି । ନୂଆ ଜ୍ଞାନକୌଶଳରେ ଜମିରେ ପ୍ଲାଷ୍ଟିକ୍‌ ମଲଚିଙ୍ଗ, ବୁନ୍ଦା ଜଳସେଚନ ସୁବିଧା ସହ ଛାୟାଗୃହ ମଧ୍ୟରେ ଚାଷ କାମକୁ ଗୁରୁତ୍ୱ ଦେଇଛନ୍ତି ପ୍ରଦ୍ୟୋତ ।

ପ୍ରଦ୍ୟୋତ ଏବେ ଭୁବନେଶ୍ୱରର ଏକ ଘରୋଇ କମ୍ପାନିରେ କାମ କରନ୍ତି । ସେଥିରୁ ସମୟ ବାହାର କରି ଚାଷକାର୍ଯ୍ୟରେ ନିଜକୁ ନିୟୋଜିତ କରିଥାନ୍ତି । କେବଳ ପନିପରିବା ନୁହେଁ, କୁକୁଡା, ମାଛ ଓ ଧାନଚାଷକୁ ମଧ୍ୟ ଗୁରୁତ୍ୱ ଦିଅନ୍ତି ପ୍ରଦ୍ୟୋତ । ଦିନକୁ ଦିନ ଚାଷ ପ୍ରତି ବିମୁଖ ଶିକ୍ଷିତ ଯୁବ ଗୋଷ୍ଠୀଙ୍କ ପାଇଁ ପ୍ରଦ୍ୟୋତ ଉଦାହରଣ ଓ ପ୍ରେରଣା ନିଶ୍ଚୟ ।