ସାପ କାମୁଡାରେ ଚାଲିଗଲା କୁନି ଝିଅର ଜୀବନ, ବାହୁନି ବାହୁନି କାନ୍ଦୁଛି ପୁରା ପରିବାର

ଆଚାର ଆଣିବାକୁ ଛାତ ଉପରକୁ ଯାଇଥିଲା କୁନି ଝିଅ । ହେଲେ ଛାତ ଉପରେ ଯମ ଭଳି ଜଗି ବସିଥିଲା ସାପ । ଆଚାର ଆଣୁ ଆଣୁ ସାପ ହାବୁଡ଼ରେ ପଡ଼ିଗଲା । ଆଉ ସାପ କାମୁଡାରେ ଚାଲିଗଲା କୁନି ଝିଅର ଜୀବନ । ଏମିତି ବି ଆସେ ମୃତ୍ୟୁ । ଆଚାର ପାଇଁ ଝିଅର ଜୀବନ ଗଲା କେହି ବିଶ୍ବାସ ବି କରି ପାରୁ ନାହାଁନ୍ତି । କେମିତି ବା ଝିଅର ମୃତ୍ୟୁକୁ ସହିବେ । ସବୁଦିନ ହସି ଖେଳି ଘରେ ଅଝଟ କରେ । କିନ୍ତୁ ଏବେ ଘରେ ଅଝଟ କରିବ କିଏ । ଚିର ନିଦ୍ରାରେ ଶୋଇଯାଇଛି ଝିଅ । ସେପଟେ ବାହୁନି ବାହୁନି କାନ୍ଦୁଛି ପୁରା ପରିବାର ।

ଏଭଳି ଘଟଣା ଘଟିଛି କପ୍ତିପଦା ଥାନା କାଲାଡାହୀ ରଙ୍ଗାମାଟିଆ ଗାଁରେ। ଗାଁର ପ୍ରଶାନ୍ତ ଗାଣଙ୍କ ୬ ବର୍ଷର ଝିଅ କବିତା ଗାଣ ସନ୍ଧ୍ୟା ସମୟରେ ଖାଦ୍ୟରେ ଆଚାର ଖାଇବାକୁ ମନ ବଳାଇଥିଲା । ଏହା ପରେ ସେ ଘର ଛାତ ଉପରେ ଥିବା ଆଚାର ଆଣିବା ପାଇଁ ଯାଇଥିଲା । ହେଲେ ଅନ୍ଧାରରେ ଏକ ସାପ ତା ହାତକୁ କାମୁଡି ଦେଲା। ଭୟରେ ଚିତ୍କାର କରି ଛାତରୁ ତଳକୁ ଆସିଲା କବିତା । ସଙ୍ଗେ ସଙ୍ଗେ ଘରକୁ ଆସି ତାକୁ ସାପ କାମୁଡି ଥିବା କଥା କହିଲା । ଦେଖୁ ଦେଖୁ ବାନ୍ତି ମଧ୍ୟ କଲା କବିତା । ପରିବାର ଲୋକେ କବିତାକୁ ତୁରନ୍ତ ଚିକିତ୍ସା ପାଇଁ କପ୍ତିପଦା ଡାକ୍ତରଖାନାକୁ ଆଣିଥିଲେ ।

ହେଲେ ସେତେବେଳକୁ ସବୁ କିଛି ସରି ଯାଇଥିଲା । ଡାକ୍ତରଖାନାରେ ଡାକ୍ତର ଝିଅକୁ ମୃତ ଘୋଷଣା କରିଥିଲେ । ଏହି ଖବର ଜଣାପଡିବା ପରେ କପ୍ତିପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ଘଟଣାକୁ ନେଇ ଡାକ୍ତରଖାନାରେ ଶୋକାକୁଳ ପରିବେଶ ଦେଖାଯାଇଛି । ଦୁନିଆ କଣ ଜାଣିବା ଆଗରୁ ସମସ୍ତଙ୍କୁ ବିଦାୟ ଦେଇଛି କୁନି ଝିଅ କବିତା । ସାପ କାମୁଡ଼ାରେ ଏମିତି ଝିଅର ଜୀବନ ଗଲା ଯେ ପରିବାର ଧୈର୍ଯ୍ୟହରା ହୋଇପଡ଼ିଛି । ସାପ କାମୁଡ଼ାରେ ଅନେକ ଲୋକଙ୍କ ମୃତ୍ୟୁ ଖବର ଆପଣ ପ୍ରତିଦିନ ଶୁଣୁଥିବେ ।

କୁନି ଝିଅ ଯଦି ଅନ୍ଧାରରେ ଛାତକୁ ଯାଇ ନଥାନ୍ତା ହୁଏତ ତା ଜୀବନ ଯାଇ ନଥାନ୍ତା । ତେଣୁ ଦର୍ଶକ ବନ୍ଧୁ ଏଭଳି ଘଟଣାରୁ ବର୍ତ୍ତିବାକୁ ଚାହୁଁଥିଲେ ଘର ଆଖପାଖକୁ ସଫା ରଖନ୍ତୁ । ଅନ୍ଧାରରେ ଏପରି ସ୍ଥାନକୁ ଯାଆନ୍ତୁ ନାହିଁ କି ବିପଦକୁ ଡାକନ୍ତୁ ନାହିଁ । ଘରେ କୁନି କୁନି ପିଲା ଥିଲେ ସେମାନଙ୍କ ଉପରେ ନଜର ଦିଅନ୍ତୁ । ଏକା କୌଣସି ସ୍ଥାନକୁ ଛାଡ଼ନ୍ତୁ ନାହିଁ । ଏମିତି କରିବା ଦ୍ବାରା ହିଁ ସମସ୍ତେ ସୁରକ୍ଷିତ ରହିବେ ।

You might also like