କାଠ ଫାଳିଆରେ ପିଟି ପିଟି ଯୁବକଙ୍କୁ ହତ୍ୟା, ଅଭିଯୁକ୍ତ ଗିରଫ

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ଖଡିଆଳ ଗୋଶାଳା ପଡ଼ାରେ ଜଣେ ଯୁବକଙ୍କୁ କାଠଫାଳିଆରେ ପିଟି ପିଟି ହତ୍ୟା କରାଯାଇଥିବା ଜଣାପଡିଛି  l ଯୁବକଙ୍କୁ ହତ୍ୟା କରିବା ପରେ ହତ୍ୟାକାରୀ ଜଣକ ଖଡ଼ିଆଳ ଥାନାରେ ଆତ୍ମସମର୍ପଣ କରିଛି l ମୃତ ଯୁବକ ହେଲେ ଖଡ଼ିଆଳ ଥାନା ଅନ୍ତର୍ଗତ ଲକ୍ଷ୍ମୀପୁର ଗାଁର ସୁରେଶ ବାରିକ । ଘଟଣାକୁ ନେଇ ଖଡ଼ିଆଳ ଥାନା ପରିସରରେ ଦୀର୍ଘ ସମୟଧରି ଉତ୍ତେଜନା ଦେଖାଯାଇଥିଲା l ଫେରାର ଥିବା ଅନ୍ୟ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ମୃତକଙ୍କ ପରିବାର ଲୋକେ ଓ ଗ୍ରାମବାସୀ ଖଡିଆଳ ଥାନାକୁ ଘେରାଉ କରିବା ସହ ୩୫୩ ନମ୍ୱର୍ ଜାତୀୟ ରାଜପଥକୁ ଅବରୋଧ କରିଥିଲେ ।

ଯାଫଳରେ ମଧ୍ୟାହ୍ନ ୧୨ଘଣ୍ଟାରୁ ସନ୍ଧ୍ୟା ୬ ଘଣ୍ଟା ପର୍ଯ୍ୟନ୍ତ ଗାଡି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା l ପରେ ନୂଆପଡା ଅତିରିକ୍ତ ଏସପି ଇନ୍ଦ୍ରମଣି ବେହେରା ଓ ଖଡ଼ିଆଳ ତହସିଲଦାର ନରସିଂ ଗଡ଼ବା ଘଟଣାସ୍ଥଳରେ ପହଂଚି ଆନ୍ଦୋଳନକାରୀ ଙ୍କ ସହ ଆଲୋଚନା କରିଥିଲେ l ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଖୁବ ଶୀଘ୍ର ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ପ୍ରତିଶୃତି ଦେବା ପରେ ଗ୍ରାମବାସୀଙ୍କ ଆନ୍ଦୋଳନ ପ୍ରତ୍ୟାହୃତ ହେଵା ସହ ରାସ୍ତା ରୋକ ହଟିଥିଲା l ଏନେଇ ଖଡ଼ିଆଳ ଥାନାରେ ମାମଲା ରୁଜୁ ହୋଇଛି l

ହତ୍ୟାର କାରଣ ସଠିକ ଭାବେ ଜଣାପଡିନଥିବା ବେଳେ ଜଣେ ବିବାହିତା ମହିଳାଙ୍କ ସହ ପ୍ରେମ ସମ୍ପର୍କକୁ ନେଇ ହତ୍ୟାକାଣ୍ଡ ଘଟିଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଥିବା କୁହାଯାଉଛି l ସେହିଭଳି ପୋଲିସ ମୃତ ଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠେଇ ଥିବା ବେଳେ ଅଭିଯୁକ୍ତ ବେଣୁଧର ମାଝୀକୁ ଗିରଫ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି l ଫେରାର ଥିବା ଅନ୍ୟଅଭିଯୁକ୍ତଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ଅତିରିକ୍ତ ଏସପି ଇନ୍ଦ୍ରମଣି ବେହେରା ସୂଚନା ଦେଇଛନ୍ତି l