କାମୁଡ଼ିଲା ନାଗସାପ, ସାପ ସହିତ ଡାକ୍ତରଖାନାରେ ପହଞ୍ଚିଲେ ଯୁବକ

ଗତକାଲି କାଳ ବୈଶାଖୀ ଯୋଗୁଁ ଘର ଭାଙ୍ଗିବା ସହ ଧନ ଜୀବନ ସହିତ ଅନେକ କିଛି କ୍ଷତି ହୋଇଛି । କାହା ଘରର ଛପର କୁଆଡ଼େ ଉଡ଼ି ପଳାଇଛି ତ ଆଉ କାହାର ଆଜବେଷ୍ଟ ଭାଙ୍ଗି ଚୁନା । ଖୋଲା ଆକାଶ ତଳେ ବିତୁଛି ଅନେକ ଲୋକଙ୍କ ଜୀବନ । ଏପରି କାଣ୍ଡ ଘଟାଇଛି କାଳ ରୂପୀ କାଳବୈଶାଖୀ । ବେସାହାରା କରି ଦେଇଛି ଅନେକ ପରିବାରକୁ । ତଥାପି ତା’ର ମନ ଶାନ୍ତି ପଡ଼ିନି । ବର୍ଷା ଝଡ଼ ଥମିଯିବା ପରେ ଜୀବଜନ୍ତୁ ସରୀସୃପ ଜୀବନ ବିକଳେ ଘରେ ପଶି ଯାଇଛନ୍ତି । ସାପ କାମୁଡ଼ାରେ ଆହତ ହୋଇ ଅଳ୍ପକେ ଜୀବନ ପାଇଛନ୍ତି ଯୁବକ ।

ବାସୁଦେବପୁର ବ୍ଲକ ଜଗନ୍ନାଥପୁର ଗାଁର ଯୁବକ ନାଗସାପ କାମୁଡ଼ାରେ ଆହତ ହୋଇଛନ୍ତି । ଏହି ଯୁବକ ହେଲେ ଭାସ୍କର ସେନାପତି । ଗତକାଲି ବର୍ଷା ହେବାରୁ ଘର ପାଖଦେଇ ଯାଉଥିବା ଏକ ନାଗସାପ ଜାଲରେ ଛନ୍ଦି ହୋଇଯାଇଥିଲା। ସାପଟି ଜାଲରେ ଗୋଡ଼ାଇ ହୋଇଯାଇଥିବା ଦେଖି ଭାସ୍କର ଗୋଟିଏ ଛୁରୀ ସାହାଯ୍ୟରେ ସାପକୁ ଗାମୁଛାରେ ଧରି ଖୋଲିବାକୁ ଚେଷ୍ଟା କରୁଥିଲା । ହେଲେ ସାପଟି କୌଣସି ପ୍ରକାର ଗାମୁଛା ଭିତରୁ ଭାସ୍କର ହାତ ପାପୁଲିକୁ କାମୁଡ଼ିଦେଇଥିଲା।

ଯେଉଁ ନାଗ ସାପ କାମୁଡ଼ିଲା ସେହି ସାପକୁ ଏକ ବସ୍ତାରେ ଭର୍ତି କରି ମେଡିକାଲରେ ପହଞ୍ଚି ଥିଲେ ଯୁବକ ଜଣକ । ସାପକୁ ଦେଖି ପୁରା ମେଡିକାଲରେ ସୃଷ୍ଟି ହୋଇଥିଲା ହଇଚଇ । ସମସ୍ତେ ଭୟରେ ଥରହର । ସାପ ସାପ ଚିତ୍କାରରେ କମ୍ପିଥିଲା ମେଡିକାଲ ପରିସର । ପରେ ଡାକ୍ତର ସେହି ସାପକୁ ଚିହ୍ନିବା ସହ ସେହି ହିସାବରେ ଭାସ୍କରଙ୍କ ଚିକିତ୍ସା ଆରମ୍ଭ କରିଥିଲେ । ଏବେ ଭାସ୍କରଙ୍କ ସୁସ୍ଥ ଥିବା କୁହାଯାଉଛି ।

ତେବେ ଖବର ପାଇ ବନ ବିଭାଗ ପକ୍ଷରୁ ଡାକ୍ତରଖାନାରେ ପହଂଚି ସାପକୁ ଉଦ୍ଧାର କରି ନେଇଥିଲେ ଏବଂ ସାପକୁ ଉଦ୍ଧାର କରି ଆଣିଥିବାରୁ ଧନ୍ୟବାଦ କହିଥିଲେ । ସାପ କାମୁଡ଼ାରୁ ଭାସ୍କରଙ୍କ ଜୀବନ ଅଳ୍ପକେ ରକ୍ଷା ପାଇଥିବାରୁ ତାଙ୍କ ପରିବାର ଖୁସି ହୋଇଛନ୍ତି ।

Also Read:ଚୀନ : ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ, ୨୨ ମୃତ, ବଢିପାରେ ମୃତକଙ୍କ ସଂଖ୍ୟା