ପାହାଡ ଟାପୁ ଉପରେ ଯୁବକଙ୍କ ପଡ଼ିଛି ମୃତଦେହ, ଭାଇ ପାଇଁ କାନ୍ଦୁଛି ଭଉଣୀ

ରାୟଗଡ଼ା: ମୋ ଭାଇକୁ କଲ୍ କରିଥିଲି । ମୋ ଭାଇ ଫୋନ୍ ରିସିଭ କରିନଥିଲା । କିନ୍ତୁ ତା ପୂର୍ବ ଦିନ ମୋ ସହ କଥା ହୋଇଥିଲା ଭାଇ ଦୋକାନରେ ଥିବା କହିଥିଲା । ଯେତେବେଳେ ଆଜି ସକାଳୁ ବି ଭାଇ ଫୋନ ଉଠାଇଲାନି ସେତେବେଳେ ମୁଁ ଯାଇଥିଲି ସେ କାମ କରୁଥିବା ଦୋକାନକୁ । ସେଠାରେ ଯାଇ ସମସ୍ତଙ୍କ ପଚାରିଲି ପରେ ଜାଣିବାକୁ ପାଇଲି ମୋ ଭାଇ ରାତିରୁ ଯାଇଛି ସକାଳୁ ଘରକୁ ଫେରିନି ବୋଲି ସେମାନେ କହିଥିଲେ। କିନ୍ତୁ ଆଜି ତାକୁ ଏଠି ଏ ଅବସ୍ଥାରେ ଦେଖୁଛି । ଏକଥା କହି ଭାଇ ପାଇଁ ଭଉଣୀ ଆଖିରୁ ଝରି ପଡ଼ୁଛି ଲୁହ । କାରଣ ଭଉଣୀ ତା ଭାଇକୁ ନେଇ କେତେ କଣ ସେ ସ୍ବପ୍ନ ଦେଖିଥିଲା । ତା ଭାଇ ଭଲ ପିଲା ଦେଖି ତା’ର ବେଶ୍ ଧୂମ୍ ଧାମରେ ବାହାଘର କରିବ । ଆଉ ଭାର ନେଇ ତା ଶାଶୂ ଘରକୁ ଯିବ । ଏବେ ସେ କାହା ହାତରେ ରାକ୍ଷୀ ବାନ୍ଧିବ ? ଭାଇ ବୋଲି କାହାକୁ ଡାକିବ ? ଏକଥା ଭାବି ଭାବି କାନ୍ଦୁଛି ଭଉଣୀ ।

ହଁ ଆଜ୍ଞା, ସକାଳୁ ସକାଳୁ ଲୋକାରଣ୍ୟ ହୋଇଯାଇଥିଲା ଟାପୁ । ପାହାଡ ଟାପୁ ଉପରେ ଯୁବକଙ୍କ ମୃତଦେହ ଦେଖିବାକୁ ମିଳିଥିଲା । ପାଖରେ ପଡିଛି ମଦ ବୋତଲ, ମେଡିସିନ ସହ ମୋବାଇଲ ଓ କିଛି ଟଙ୍କା । ରାୟଗଡ଼ା ସହର ଉପକଣ୍ଠସ୍ଥ ବାଇସିଂ ପଞ୍ଚାୟତ ଧୁମାଗୁଡ଼ା ଗାଁ ନିକଟସ୍ଥ ରାସ୍ତା କଡ଼ରେ ଥିବା ଏକ ଛୋଟ ପାହାଡ ଟାପୁ ଉପରେ ଦେଖିବାକୁ ମିଳିଥିଲା ଏଭଳି କିଛି । ପାହାଡ ଟାପୁରେ ଯୁବକଙ୍କ ମୃତଦେହ ମିଳିବା ପରେ ଚର୍ଚ୍ଚା ଜୋର ଧରିଛି ।

ମୃତ ଯୁବକ ଜଣକ ହେଲେ କାଶିପୁର ବ୍ଲକ ଗୋରଖପୁର ପଞ୍ଚାୟତ ପଟାମୁଣ୍ଡା ଗାଁର ୨୨ ବର୍ଷର ଯୁବକ ପବିତ୍ର ନାଏକ । ଖବର ପାଇ ରାୟଗଡ଼ା ଟାଉନ ଥାନା ଆଇଆଇସି କେକେ ବିକେ କହଁରଙ୍କ ନେତୃତ୍ୱରେ ପୋଲିସ ଓ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି । ମୃତ ଦେହରେ କୌଣସି କ୍ଷତ ଚି଼ହ୍ନ ନଥିବାରୁ ଏବଂ ନିକଟରେ ମଦ ବୋତଲ, କପା ମେଡିସିନ, ମୋବାଇଲ ଓ କିଛି ଟଙ୍କା ପଡିଥିବାରୁ ଯାହା ହତ୍ୟା ଆଡକୁ ଇସାରା କରୁଛି ।

ସେପଟେ ମୃତକଙ୍କ ଭଉଣୀ ମଧ୍ୟ ପବିତ୍ରଙ୍କୁ ହତ୍ୟା କରାଯାଇଥିବା ପରି ସଂଗୀନ ଅଭିଯୋଗ ଆଣିଛନ୍ତି । ପବିତ୍ର ପାହାଡ ଉପରକୁ ଆସିଲେ କେମିତି ? ସେ ନିଜେ ଜୀବନ ହାରିଛନ୍ତି ନା ତାଙ୍କୁ କେହି ଯୋଜନାବନ୍ଧ ଭାବରେ ପାହାଡ ଉପରକୁ ଆଣି ହତ୍ୟା କରିଛି ? ସାଇଣ୍ଟିଫିକ୍‌ ଟିମ୍‌ ସହାୟତାରେ ବିଭିନ୍ନ ଦିଗକୁ ନେଇ ଛାନ୍‌ଭିନ୍‌ ଚଳାଇଛି ପୋଲିସ ।

You might also like